କଟକ: ମିସନ୍‌ ଶକ୍ତି ଅନ୍ତର୍ଗତ ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଅନ୍ୟ ‌ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକର କମିଟି/ସବ୍-କମିଟିଗୁଡ଼ିକର ପୁନର୍ଗଠନ ପାଇଁ ଜାରି ମାର୍ଗଦର୍ଶିକା (ଗାଇଡ୍‌ଲାଇନ୍‌)କୁ ଝଟକା ଲାଗିଛି। ମିସନ ଶକ୍ତି ବିଭାଗ କମିସନର ତଥା ସଚିବଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠି ସହିତ ସଂଲଗ୍ନ ମାର୍ଗଦର୍ଶିକାର ନିର୍ଦ୍ଦିଷ୍ଟ ଦୁଇଟି ସର୍ତ୍ତ (୫.୧୦  ଓ ୫.୧୧) ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ଏହି ମାର୍ଗଦର୍ଶିକାକୁ ଚାଲେଞ୍ଜ କରି କେନ୍ଦୁଝରର ବୈତରଣୀ ମିସନ ଶକ୍ତି ଫେଡେରେସନ୍‌ର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାର୍ଗଦର୍ଶିକାର ଦୁଇଟି ସର୍ତ୍ତ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ମେ’ ୧୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।


ମାମଲାର ବିବରଣୀରୁ ପ୍ରକାଶ ଯେ, ମିସନ୍‌ ଶକ୍ତି ବିଭାଗ କମିସନର୍‌ ତଥା ସଚିବଙ୍କ ତରଫରୁ ଏସ୍‌ଏଚ୍‌ଜି, ସିଏଲ୍‌ଏଫ୍‌, ଜିପିଏଲ୍‌ଏଫ୍‌, ବିଏଲ୍‌ଏଫ୍‌ ଓ ଡିଏଲ୍‌ଏଫ୍‌ର ପରିଷଦ/କମିଟି/ସବ୍-କମିଟି ପୁନର୍ଗଠନ ପ୍ରସଙ୍ଗରେ ଜାରି ମାର୍ଗଦର୍ଶିକା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଗତ ଜାନୁଆରି ୨୨ରେ ଚିଠି ଲେଖାଯାଇଥିଲା। ଜଣେ ସଦସ୍ୟ ଦୁଇ ଥର ଅଫିସ ବିଅରର୍‌ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିଲା। ଗୋଷ୍ଠୀ ଅନୁଷ୍ଠାନ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ଗୋଟିଏ ପରିବାରର କେବଳ ଜଣେ ସଦସ୍ୟ ରହିପାରିବେ। ଗୋଟିଏ ପରିବାରର ଦୁଇ ଜଣ ବା ଅନ୍ୟ ସମ୍ପର୍କୀୟ ଗୋଟିଏ ଗୋଷ୍ଠୀ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ କମିଟିରେ ସଦସ୍ୟ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା। ଏପରି ମାର୍ଗଦର୍ଶିକା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି।

ଏସ୍‌ଏଚ୍‌ଜି ସହିତ ସିଏଲ୍‌ଏଫ୍‌, ଜିପିଏଲ୍‌ଏଫ୍‌, ବିଏଲ୍‌ଏଫ୍‌ ଓ ଡିଏଲ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟିଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇ ନଥିବା ବେଳେ ସରକାର ପୁନର୍ଗଠନ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏସ୍‌ଏଚ୍‌ଜି ଓ ଅନ୍ୟ ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକ ସୋସାଇଟି ପଞ୍ଜୀକରଣ ଆଇନ ଦ୍ବାରା ପରିଚାଳିତ ହୋଉଛି। ତେଣୁ ଏଭଳି ଅନୁଷ୍ଠାନଗୁଡ଼ିକ ନିଜ ବାଇ-ଲ’ ଦ୍ବାରା ପରିଚାଳିତ। ଏଭଳି ସ୍ଥିତିରେ କମିଟି/ସବ୍-କମିଟିକୁ ସଦସ୍ୟଙ୍କ ନିର୍ବାଚନ ଓ ଯୋଗ୍ୟତା ଇତ୍ୟାଦି ପ୍ରସଙ୍ଗରେ ସରକାର ମାର୍ଗଦର୍ଶିକା ଜାରି କରିବା ଗ୍ରହଣୀୟ ନୁହେଁ। ଏଭଳି ମାର୍ଗଦର୍ଶିକାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ କୁମାର ମହାନ୍ତ ମାମଲା ପରିଚାଳନା କରୁଥିଲେ।

Orissa High Court | Cuttack