ରୁପ୍ରା: କଳାହାଣ୍ଡିଜିଲ୍ଲା ନର୍ଲାବ୍ଲକ୍ ଅଧୀନ ରୁପ୍ରା ଅହିଂସା ଛକ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କେସିଙ୍ଗା ପଟୁ ଆସୁଥିବା ଏକ କ୍ରେନ୍ ଧକ୍କାରେ ଜଣେ ବୃଦ୍ଧ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

Advertisment

ସୂଚନା ମୁତାବକ ଉକ୍ତ ପିଡବ୍ଲୁଡି ରାସ୍ତାର କେସିଙ୍ଗା ପଟୁ ଆସୁଥିବା କ୍ରେନ୍ (ଓଡି ୦୮କ୍ୟୁ ୬୧୬୬) ରୁପ୍ରା ଗ୍ରାମର ପ୍ରସାଦୁ ଭୋଇ ୮୦ବର୍ଷଙ୍କୁ ପଛପଟୁ ଧକ୍କା ଦେବାରୁ ପ୍ରସାଦୁ ତଳେ ପଡ଼ିଯାଇଥିଲେ ସେ ତଳେ ପଡିଯିବା ପରେ ତାଙ୍କ ଉପରେ କ୍ରେନର ପଛଚକ ଚାଲି ଯିବାରୁ ପାଟି ପଟୁ ପ୍ରବଳ ରକ୍ତସ୍ରାବ ହେବାସହ ଘଟଣାସ୍ଥଳରେହିଁ ବୃଦ୍ଧ ଟଳି ପଡ଼ିଥିଲେ। ପରେ ତାଙ୍କ ପରିବାର ଲୋକେ ତଥା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ।

ସେହିପରି ଘଟଣା ସମ୍ପର୍କରେ ଖବର ପାଇ ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଡି ମାଲିକ ଆସି କ୍ଷତିପୂରଣ ପ୍ରଦାନ କରିବାକୁ ଅଡି ବସିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ କେସିଙ୍ଗା ଆଦର୍ଶ ଥାନାରୁ ଏସଡିପିଓ ସନ୍ଦୀପ ମାଝୀ ସଦଳବଳେ ଘଟଣାସ୍ଥଳରେ ରାତି ୯ଟା ସମୟରେ ପହଞ୍ଚି ଥିଲେ।

ଖବର ଲେଖାହେଲା ବେଳକୁ ଘଟଣାସ୍ଥଳରେ ଗାଡି ମାଲିକ ମ. ରାମପୁର ଅଞ୍ଚଳର ରୋହିତ ସାହୁ ନ ଆସିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା। ଘଟଣାର କୌଣସି ସମାଧାନ ନହେବାରୁ ପାଞ୍ଚଘଣ୍ଟା ପରେ ମଧ୍ୟ ରାସ୍ତା ଉପରେ ମୃତ ଶରୀର ପଡ଼ିରହି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ପ୍ରସାଦୁଙ୍କ ପତ୍ନୀ ତଥା ଦୁଇପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ରହିଛନ୍ତି। 

Kalahandi