ରାଉରକେଲା: ପୂର୍ଣ୍ଣକ୍ଷମ ରାଉରକେଲା ବିମାନବନ୍ଦର ସ୍ବପ୍ନ, ବାସ୍ତବତାର ରୂପ ନେଉଛି। କାରଣ, ଏଠାରେ ବଡ଼ ବିମାନ ଚଳାଚଳ, ୪ସି ମାନ୍ୟତା, ରନ୍ୱେ ସଂପ୍ରସାରଣ ଓ ଉନ୍ନତୀକରଣ ପାଇଁ ପ୍ରକ୍ରିୟା ବେଗ ଧରିଛି। ବୁଧବାରଠାରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ତିନିଜଣିଆ ପ୍ରତିନିଧି ଓଏଲ୍ଏସ୍ ସର୍ଭେ ଆରମ୍ଭ କରିଛନ୍ତି। ପ୍ରତିନିଧି ଦଳରେ ଏଏଆଇର ଆସୋସିଏଟ୍ କନ୍ସଲ୍ଟାଣ୍ଟ୍ କେ. ଆରିଭୋଲି, ବରିଷ୍ଠ ଜିଆଇଏସ୍ ଆନାଲିଷ୍ଟ୍ ଯୋଗେନ୍ଦ୍ର କୁମାର ଓ ନିଜବୁଲ ହୋଡା ଶେଖ୍ ସାମିଲ ଅଛନ୍ତି।
ପ୍ରତିନିଧି ଦଳ ବୁଧବାର ଦିନ ପ୍ରଥମେ ବିମାନବନ୍ଦର ରନୱେ ସ୍ଥିତି ପରଖିଥିଲେ। ରନ୍ୱେ ସଂପ୍ରସାରଣ, ଆଇଏଲ୍ଏସ୍/ଏନ୍ଏଲ୍ଏସ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ଜମି, ସୁବିଧାସୁଯୋଗ ଆଦି ବୁଲି ଦେଖିଥିଲେ। ଏତଦ୍ବ୍ୟତୀତ ସେକ୍ଟର-୧୪ ଡିପିଏସ୍ ସ୍କୁଲ ଛାତ ଉପରୁ ବିମାନବନ୍ଦର ଓ ଏହାର ୧୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ଏହି ଦଳ ଗୁରୁବାର ବିପିୟୁଟି ଓ ରାଉରକେଲା ଇସ୍ପାତ କାରଖାନାକୁ ଗସ୍ତକରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖଯାଏ ଏହି ସର୍ଭେ ଜାରି ରହିବ। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏଏଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହେବାପରେ ଆଗାମୀ ଦିନରେ ସଂପ୍ରସାରଣ ଓ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ।
ଗତ ୨୫ ତାରିଖରେ ଏଏଆଇର ୭ ଜଣିଆ ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚି ବିମାନବନ୍ଦର ପରିଦର୍ଶନ କରିଥିଲେ। ନୋଡାଲ ଅଫିସର ସୁରେଶ ଚନ୍ଦ୍ର ହୋତାଙ୍କ ସମେତ ଏଏଆଇର ଡିଜିଏମ୍(ସିଭିଲ୍) ଭି.ଆର.ଟପ୍ପୋ, ଡିଜିଏମ୍(ସିଏନ୍ଏସ୍) କେ.କେ.ବିନ୍ଧାଣୀ, ଡିଜିଏମ୍(ଏଟିଏମ୍-ଏଫ୍ପିଡି) ପ୍ରବୀଣ ଉନ୍ନୀକ୍ରିଷ୍ଣନ, ବରିଷ୍ଠ ମ୍ୟାନେଜର ଅବଦୁଲ ଅଜିଜ୍, ମ୍ୟାନେଜର ଅଜୟ କୁମାର ଓ ସହକାରୀ ମ୍ୟାନେଜର ମେଘା ରୋହିଲ୍ଲା ପ୍ରମୁଖ ବିମାନବନ୍ଦର ପରିସର ସମେତ ସେକ୍ଟର-୧୩ ପଡ଼ିଆ, ପ୍ରଧାନପାଲି, ଓମ୍ଫେଡ୍ କାରଖାନା ଆଦି ଅଞ୍ଚଳ ବୁଲି ଦେଖିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୫ ତାରିଖରେ ବାଣିଜ୍ୟ ଏବଂ ପରିବହନ ସଚିବ ଇସ୍ପାତସହରର ଅଭିବୃଦ୍ଧିକୁ ବିଚାରକୁ ନେଇ ୪ସି ମାନ୍ୟତାପ୍ରାପ୍ତ ବିମାନବନ୍ଦର ଓ ଏହାର ସମଗ୍ର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ବିଷୟରେ ଏଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଏକ ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ କରିବା ସହ ଓଏଳ୍ଏସ୍ ପାଇଁ ଅନୁରୋଧ କରାଯାଇଥିଲା। ପରେ ଓଏଲଏସ୍ ସର୍ଭେ ବାବଦକୁ ଅର୍ଥରାଶି ଜମା କରାଯିବାପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାକାର ରନ୍ୱେକୁ ୨.୭ କିଲୋମିଟର ବିଶିଷ୍ଟ ଲମ୍ବ ଓ ପ୍ରସ୍ଥ ୪୫ ମିଟରକୁ ବୃଦ୍ଧି କରାଯିବ। ସର୍ଭେ ରିପୋର୍ଟ ଦାଖଲ ହେବାପରେ ଜମିର ମାଲିକାନାସତ୍ତ୍ବ ହସ୍ତାନ୍ତର କରାଯିବ।
sundargarh