ଭୁବନେଶ୍ବର: ଗତ ୧୨ ତାରିଖ ଭଳି ଆଜି ମଧ୍ୟ ଶନିବାର ଦିନ। ସେହି ଦିନ ଭଳି ଆଜି ମଧ୍ୟ ପୂର୍ବାହ୍ଣରେ ରାଜ୍ୟରେ ଘଟିଛି ଅଭାବନୀୟ ଘଟଣା। ପାର୍ଥକ୍ୟ ଏତିକି ଯେ, ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ନ୍ୟାୟ ନମିଳିବା ପରେ ପୀଡିତା ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ, ଯିଏକି ୬୦ ଘଣ୍ଟାର ଚିକିତ୍ସା ପରେ ଆଖି ବୁଜିଥିଲେ। କିନ୍ତୁ ଆଜିର ଘଟଣା ଗତ ଶନିବାର ଦିନ ଠାରୁ ଭିନ୍ନ। ପୁରୀ ଜିଲ୍ଲା ବଳଙ୍ଗା ୧୫ ବର୍ଷୀୟ ନାବାଳିକା ଯେତେବେଳେ ନିଜ ବଡ଼ବାପାଙ୍କ ଘରକୁ ଯାଉଥିଲେ, ତାଙ୍କୁ ସ୍ଥାନୀୟ ଅଞ୍ଚଳର ତିନି ଜଣ ଯୁବକ ବଳପୂର୍ବକ ଉଠାଇ ନେଇଥିଲେ। କିରାସିନି ଢାଳି ଜାଳିଦେଇଥିଲେ। ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ଉଭୟ ଘଟଣା ମାତ୍ର ୭ ଦିନ ଭିତରେ ଏବଂ ଶନିବାର ଦିନ ଘଟିଥିବାରୁ ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗତ ଜୁନ୍ ୧୫ ତାରିଖ ଠାରୁ ଏଯାବତ ଗୋଟିଏ ଗୋଟିଏ ପରେ ଗୋଟିଏ ଘଟଣା ଓ ଅଘଟଣ ନେଇ ବିରୋଧୀ ଦଳକୁ ପ୍ରସଙ୍ଗ ମିଳିଯାଉଛି। ଜୁନ ୧୫ତାରିଖରେ ଗୋପାଳପୁର ବେଳାଭୂମି ଘଟଣା ଠାରୁ ବଳଙ୍ଗା ପର୍ଯ୍ୟନ୍ତ ଯେଉଁସବୁ ଘଟଣା ଘଟିଛି, ଏହାକୁ ଭିତ୍ତିକରି ବିରୋଧୀମାନେ ଶାସକଙ୍କୁ ଟାର୍ଗେଟ କରିବା ସ୍ବାଭାବିକ। କେବଳ ସରକାର ନୁହେଁ, ଜନସାଧାରଣ ମଧ୍ୟ କହୁଛନ୍ତି, ରାଜ୍ୟରେ ସରକାରୀବାବୁମାନେ ମନମାନୀ କରୁଛନ୍ତି। ସୁଶାସନର ବ୍ୟବସ୍ଥା ନାହିଁ। ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉ ନାହିଁ। ଅନେକ ଲୋକ କହୁଛନ୍ତି, ସରକାରଙ୍କୁ ‘ଶନିଦଶା’ ଲାଗି ନାହିଁ ତ? ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।
ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଦେବା ଯୋଗୁଁ ସେ ୯୦ରୁ ୯୫ ପ୍ରତିଶତ ନିଆଁରେ ପୋଡ଼ି ଯାଇଥିବା ବେଳେ ବଳଙ୍ଗା ଅଞ୍ଚଳର ଝିଅ ମଧ୍ୟ ୭୦ରୁ ୭୫ ପ୍ରତିଶତ ଜଳି ଯାଇଛନ୍ତି। ବାଲେଶ୍ବର ଛାତ୍ରୀଙ୍କୁ ଯେମତି ଏମ୍ସ ଭୁବନେଶ୍ବରର ବର୍ଣ୍ଣ ୟୁନିଟ୍ରେ ଭର୍ତ୍ତି କରାଯାଇଥିଲା, ବଳଙ୍ଗାର ନାବାଳିକା ମଧ୍ୟ ସେହି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ଘଟଣାକୁ ନେଇ ରାଜ୍ୟ ସରକାର ସ୍ତବ୍ଧ ହୋଇଯାଇଛନ୍ତି। ରାଜ୍ୟ ସରକାର ମଧ୍ୟ ନିଜେ ସ୍ବୀକାର କରି କହିଛନ୍ତି, ଉଭୟ ଘଟଣା ସମ୍ବେଦନଶୀଳ। ବାଲେଶ୍ବର ମାମଲାରେ ଦୋଷୀଙ୍କ ବିରୋଧରେ ଘଟଣାର ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ବେଳେ ବଳଙ୍ଗା ମାମଲାରେ ପ୍ରକ୍ରିୟା ତ୍ବାରାନ୍ବିତ କରିଛନ୍ତି। ବଳଙ୍ଗା ମାମଲାରେ ଘଟଣାର ତଦନ୍ତ ପାଇଁ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି, ଯେଉଁଥିରେ ୬-୬ ଜଣ ସଦସ୍ୟ ଅଛନ୍ତି।
ବିରୋଧୀଙ୍କ ହଙ୍ଗାମା
ତେବେ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ଗତ ୧୬ ତାରିଖ ଦିନ ବିଜୁ ଜନତା ଦଳ ଉଭୟ ବାଲେଶ୍ବର ଓ ଭୁବନେଶ୍ବରରେ ହଙ୍ଗାମା କରିଥିଲା। ଭୁବନେଶ୍ବରରେ ଲୋକସେବା ଭବନ ଘେରାଉ ପାଇଁ ବିଜେଡି ବାହାରିଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ପୁଲିସକୁ ରବର ବୁଲେଟ୍ ଓ ପାଣିମାଡ଼ କରିବାକୁ ପଡ଼ିଥିଲା। ରବର ବୁଲେଟ୍ ମାଡ଼ରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଗୁରୁତର ହୋଇଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଦଳର ଅନ୍ୟ ନେତାମାନେ ମଧ୍ୟ ପାଣିମାଡ଼ରେ ଘାଇଲା ହୋଇଥିଲେ। ଏହି ମାମଲାକୁ କେନ୍ଦ୍ର କରି କଂଗ୍ରେସ ଗତ ୧୭ ତାରିଖ ଦିନ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଥିଲା, ଯାହା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।
ସରକାରଙ୍କୁ ନବୀନ କହିଲେ କୁମ୍ଭକର୍ଣ୍ଣ
ବଳଙ୍ଗା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାଣଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି, ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି କହିଛନ୍ତି। କଟକ-ବାରବାଟୀ ବିଧାୟକ ସୋଫିଆ ଫିରର୍ଦୋସ କହିଛନ୍ତି, ଅପରାଧ କରିବା ପାଇଁ ଅପରାଧୀଙ୍କୁ ମାହୋଲ ତିଆରି କରିଛି ବିଜେପି। ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ମହିଳା କଂଗ୍ରେସ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ ହୋଇଛି।
ବଳଙ୍ଗା ଘଟଣା କ’ଣ?
ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
କେମିତି ଥିଲା ବାଲେଶ୍ବର ଘଟଣା?
ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
Balasore | puri