ରାଉରକେଲା: ରାଉରକେଲା ଗାନ୍ଧୀରୋଡ୍ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଛି। ଅଭିଯୁକ୍ତହେଲା ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍ଝିମ୍ ବସ୍ତିରେ ରହୁଥିବା ରାଜେଶ ସାହୁ(୨୫)। ଅଭିଯୁକ୍ତଠାରୁ ୧୦ଟି ଦେଶୀ ବନ୍ଧୁକ, ୬ଟି ଜୀବନ୍ତ ଗୁଳି ଓ ୨ଟି ଖାଲି ମାଗାଜିନ୍ ଜବତ ହୋଇଛି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ଏସ୍ପି ରାଜକିଶୋର ମିଶ୍ର, ଏସ୍ଡିପିଓ ଅମରେନ୍ଦ୍ର ଷଣ୍ଢ ଓ ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ୨ଟା। ଅଭିଯୁକ୍ତ ରାଜେଶ ସହରର ବିଭିନ୍ନ ସ୍ଥାନରେ ଦେଶୀବନ୍ଧୁକ ବିକ୍ରି କରିବାକୁ ବାହାରିଥିଲା। ଏନେଇ ପ୍ଲାଣ୍ଟସାଇଟ୍ ପୁଲିସକୁ ଏବ ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଥିଲା। ଗାନ୍ଧୀରୋଡ୍ରୁ ରାଉରକେଲା ରିଙ୍ଗରୋଡ୍ ଯିବା ରାସ୍ତାରେ ଛକି ରହିଥିବା ପୁଲିସ ଅଭିଯୁକ୍ତ କାବୁ କରିଥିଲେ। ରାଜେଶଠାରୁ ଏକ ବ୍ୟାଗ୍ ମିଳିଥିଲା ଯେଉଁଥିରେ ଗୋଟିଏ ବିଭିନ୍ନ ସ୍ଥାନର ପ୍ରସ୍ତୁତି ଲେଖାଥିବା ଦେଶୀବନ୍ଧୁକ(ଚୀନ୍ ପ୍ରସ୍ତୁତ), ୩ଟି ଦେଶୀ ବନ୍ଧୁକ(ୟୁଏସ୍ଏ ପ୍ରସ୍ତୁତ), ଦେଶୀବନ୍ଧୁକ(କିଙ୍ଗ୍ କେଜିଏଫ୍ ଲେଖା ରହିଛି), ଗୋଟିଏ ରିଭଲ୍ଭର, ୪ଟି ସିଙ୍ଗଲ୍ ସଟ୍ ଦେଶୀବନ୍ଧୁକ, ଗୋଟିଏ ୭.୬୫ ଏମ୍ଏମ୍ ଗୁଳି, ୫ଟି ୮ ଏମ୍ଏମ୍ ଗୁଳି ଏବଂ ୨ଟି ଖାଲି ମାଗାଜିନ୍ ମିଳିଥିଲା। ପୁଲିସ ତାକୁ ଉଠାଇ ଆଣି ଥାନାରେ ପଚରାଉଚରା କରିଥିଲା।
ସହରର ବିଭିନ୍ନ ସ୍ଥାନରେ ସେ ବନ୍ଧୁକ ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ତାଠାରୁ ପୁଲିସ ଅନେକ ତଥ୍ୟ ସଂଗ୍ରହ କରିବା ପରେ କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରାଜେଶ ନାଁରେ ରାଜଗାଙ୍ଗପୁର ଥାନାରେ ପୂର୍ବରୁ ବନ୍ଧୁକ କାରବାର ମାମଲା ରହିଛି।
ଏସ୍ପି ଶ୍ରୀ ୱାଧୱାନୀ କହିଛନ୍ତି, ବେଆଇନ ବନ୍ଧୁକ ଚାଲାଣ ଉପରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ଏହିକ୍ରମରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ସହ ସହରର ଅନେକ ଲୋକ ବେଆଇନ ବନ୍ଧୁକ କାରବାରରେ ସାମିଲ ଅଛନ୍ତି। ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଅଭିଯୁକ୍ତ ବିହାର, ଝାଡ଼ଖଣ୍ଡ ଓ ଆଖପାଖ ଜିଲ୍ଲାରୁ ବନ୍ଧୁକ ଆଣି ସହରରେ ବେପାର କରୁଥିଲା। ୮ରୁ ୧୮ ହଜାର ଟଙ୍କାରେ ବନ୍ଧୁକ ବିକ୍ରି କରୁଥିଲା ଅଭିଯୁକ୍ତ। ସହରର ଗୋଟିଏ ସ୍ଥାନରେ ବନ୍ଧୁକ ମହଜୁଦ ନାହିଁ। ବେପାରୀଙ୍କୁ ମିଳୁଥିବା ଅର୍ଡର ଅନୁଯାୟୀ ସହରକୁ ବନ୍ଧୁକ ଓ ଗୁଳି ଆସୁଥିଲା। ବନ୍ଧୁକ ବେପାରରେ ବ୍ରେକ୍ ଲଗାଇବାକୁ ୨୦୨୪ ଅକ୍ଟୋବରରୁ ଏପର୍ଯ୍ୟନ୍ତ ୧୩ଟି ମାମଲାରେ ୫୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨୭ଟି ବନ୍ଧୁକ ଜବତ କରାଯାଇଛି।