ପୋଲସରା: କୁହାଯାଇଥାଏ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଦୃଶ୍ୟ ଆଜି ସମସ୍ତଙ୍କୁ ବିଚଳିତ କରିଛି। ଶୁଣିଲାରୁ ଲୋମ ଟାଙ୍କୁରି ଉଠୁଛି। କାହିଁକି ନା ଗଂଜାମ ଜିଲ୍ଲା ପୋଲସରା ବ୍ଳକ୍‌ ଅନ୍ତର୍ଗତ ଗମ୍ଭାରିଆ ନାଳ ନିକଟରେ ମୁଖ୍ୟମନ୍ତ୍ରୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। କିନ୍ତୁ ଏହି ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୮ମାସର ଶିଶୁର କୌଣସି କ୍ଷତି ହୋଇନାହିଁ। ଏତେ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବି ଶିଶୁଟି ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଶିଶୁଟିକୁ ସମସ୍ତେ ଭାଗ୍ୟବାନ ବୋଲି ପ୍ରଶଂସା କରୁଛନ୍ତି। ତେବେ ଏହି ଘଟଣାରେ ବିନାୟକ ଶବରଙ୍କ ମୃତ୍ୟୁ ହୋଇଛି। ଆହତମାନେ ହେଲେ ପ୍ରିୟଙ୍କା ଶବର ଓ ମନୁ ଶବର। 

Advertisment

ଆଜି ଅପରାହ୍ଣ ଗୋଟାଏ ବେଳେ ବେଗୁନିଆପଡ଼ା ଥାନା ଅଧୀନ ବଡ଼ପଦର ଗ୍ରାମର ବିନାୟକ ଶବର ଓ ଅନ୍ୟ ଦୁଇଜଣ ବାଇକରେ ସିଂହାସନୀ ପଟରୁ ଆସୁଥିଲେ। ସେହି ସମୟରେ ପୋଲସରାରୁ ସିଂହାସନୀ ଅଭିମୁଖେ ଯାଉଥିଲା ମୁଖ୍ୟମନ୍ତ୍ରୀ ବସ୍‌ ସହ ଗମ୍ଭାରିଆ ନାଳ ନିକଟରେ ମୁହାଁମୁହିଁ ଧକ୍କା ଲାଗିଥିଲା। ଘଟଣାସ୍ଥଳରେ ବିନାୟକଙ୍କ ମୃତ୍ୟୁ ଗଟିଥିବା ବେଳେ ପ୍ରିୟଙ୍କା ଶବର ଓ ମନୁ ଶବର ଆହତ ହୋଇଛନ୍ତି।

ଆଠ ମାସର ଶିଶୁ ମା’ ପ୍ରିୟଙ୍କା ଶବରଙ୍କ କୋଳରେ ଥିଲା। ପ୍ରିୟଙ୍କା ଯେଉଁ ବାଇକରେ ବସିଥିଲେ ଏହାକୁ ମନୁ ଶବର ଚଳାଉଥିଲେ। ବସ୍‌ ଧକ୍କାରେ ଦୁର୍ଘଟଣାର ସମ୍ମୁଖୀନ ହେଲା ପରେ ସମସ୍ତେ ତଳେ ପଡ଼ିଯାଇଥିଲେ। ପ୍ରିୟଙ୍କା ଓ ମନୁ ଆହତ ହୋଇଥିବା ବେଳେ ଶିଶୁଟି ସୁରକ୍ଷିିତ ଅଛି।

ତେବେ ଆଶ୍ଚର୍ଯ୍ୟ ଜନକ ଭାବେ ପ୍ରିୟଙ୍କାଙ୍କ କୋଳରେ ଥିବା ଆଠମାସର ଶିଶୁଟିର କିଛି ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସୂଚନାଯୋଗ୍ୟ ଯେ, ଗମ୍ଭାରିଆ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।