କାଲିମେଳା: ଗ୍ରାମ୍ୟ ଉନୟନ ବିଭାଗ-୨ର ଜଣେ କନିଷ୍ଠଯନ୍ତ୍ରୀଙ୍କ ବୋଲେରୋ ଧକ୍କାରେ ଶୁକ୍ରବାର ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୬ ବର୍ଷର ଝିଅଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ଜଣେ ଉଚ୍ଚଶିକ୍ଷିତ ଓ ସରକାରୀ କର୍ମଚାରୀ ଇଂଜିନିୟର ଜଣକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ଏହି ଘଟଣା ପରେ ଲୋକେ କହୁଛନ୍ତି ମାନବିକତା ମରିଯାଇଛି। ମୃତ ବ୍ୟକ୍ତି ହେଲେ ବିକ୍ରମ ପାତ୍ର(୩୨)। ଗୁରୁତର ହେଲେ ବିକ୍ରମଙ୍କ ଝିଅ ହିଆ ପାତ୍ର (୬) ଓ ଜଣେ ଯୁବକ ମନୋଜ ଦାସ।
ସବୁଦିନ ପରି ଆଜି ବିକ୍ରମ ନିଜ ଝିଅକୁ ଡ଼ିଏଭି ଗୁରୁକୁଳରୁ ଏକ ସ୍କୁଟିରେ ଏମଭି-୭୦ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣାର ସାମ୍ନା କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ବିକ୍ରମ ନିଜ ଝିଅ ଓ ନିଜ ଗ୍ରାମର ଅନ୍ୟଜଣେ ଯୁବକ ମନୋଜ ଦାସଙ୍କ ଧରି ଏମଭି-୭୦ ଗ୍ରାମକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏହି ବୋଲେରୋଟି(ଓଡ଼ି୩୦ ଇ-୩୪୫୭) ସ୍କୁଟିକୁ ଜୋରରେ ଧକା ଦେଇ ଏକ ଜମି ଭିତରେ ପଶି ଯାଇଥିଲା। ବୋଲେରୋ ଗାଡ଼ିର ଡ଼ାହାଡ଼ ପାର୍ଶ୍ବର ଅଂଶଟି ଭାଂଗିଯାଇଥିବା ବେଳେ ସ୍କୁଟିଟି ଭାଂଗି ଚୁରମାର ହୋଇଯାଇଥିଲା। ସ୍କୁଟିରେ ବସିଥିବା ୩ଜଣ ଯାକ କିଛି ଦୁରକୁ ଛିଟିକି ପଡ଼ିଥିଲେ। ହିଆ ଓ ମନୋଜଙ୍କ ଗୋଡ଼ ଭାଂଗି ଯାଇଥିବାବେଳେ ଅବସ୍ଥା ଗୁରୁତର ରହିଥିଲା। ତେବେ ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ନିଜ ଜୀବନ ବଂଚାଇବାକୁ ଯାଇ କନିଷ୍ଠଯନ୍ତ୍ରୀଙ୍କ ସମେତ ଠିକାଦାର ଓ ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଏପରିକି ନିଜ ବିଭାଗର ପରିଚୟ ଲୁଚାଇବାକୁ ଚେଷ୍ଟା କରି ଗାଡ଼ି ସମୁଖରେ ଲାଗିଥିବା ନାମଫଳକ ଓ କିଛି ଜରୁରୀ କାଗଜପତ୍ର ଧରି କନିଷ୍ଟଯନ୍ତ୍ରୀ ଫେରାର ହୋଇଯାଇଥିବାର ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡ଼ିଛି। ଘଟଣାଟି ଘଟିଛି ଏମଭି-୯୦ ଓ ଏମଭି-୭୦ ଗ୍ରାମ ମଝିରେ ଥିବା ଗୁବୁଲୁର ନାଳ ନିକଟରେ।
ଦୁର୍ଘଟଣା ଘଟିବାପରେ ସେହିବାଟ ଦେଇ ଯାଉଥିବା ଏମଭି-୯୦ ଗ୍ରାମର କିଛି ଯୁବକ ଆହତମାନଙ୍କୁ ଉଦ୍ଧାର କରି କାଲିମେଳା ମେଡ଼ିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ବିକ୍ରମ ପାତ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଜଣାପଡ଼ିଛି। ବିକ୍ରମ ପାତ୍ରଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଛି।
ପରେ ପୁଲିସ ଘଟଣାସ୍ଥଳରେ ପହଁଚି ସ୍କୁଟିକୁ ଥାନାକୁ ନେଇ ଆସିଥିବାବେଳେ ବୋଲେରୋଟିକୁ ଉଦ୍ଧାର କରି ଆଣିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳକୁ ଆସିଲେ ଯାଇ ଗାଡ଼ିଟିକୁ ଛାଡ଼ିବେ ବୋଲି ଜିଦ ଧରିଥିଲେ। ଏହାପରେ କାଲିମେଳା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଗାଡ଼ିଟି ଘଟଣାସ୍ଥଳରେ ପଡ଼ିରହିଥିବାର ସୂଚନା ମିଳିଛି।
Malkangiri | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/11/accident-2025-07-11-19-55-39.jpg)