ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଦୟାଗୁଡା ନିକଟରେ ଶନିବାର ଦିନ ପ୍ରାୟ ୧ ଘଣ୍ଟ ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ଝରିଗାଁ ବ୍ଲକ ଅନ୍ତର୍ଗତ ବଡନି ଗ୍ରାମର ଜଗବନ୍ଧୁ ଗୌଡ଼ (୫୦) ବୋଲି ଜଣାପଡ଼ିଛି। ଏ ନେଇ ମୃତକଙ୍କ ଭାଇ ଅନନ୍ତରାମ ଆଜି ଅପରାହ୍ନରେ ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର କୁ ଜବତ କରିଥିଲେ।
ସୂଚନା ଅନୁଯାଇ ଝରିଗାଁ ବ୍ଲକ ଅନ୍ତର୍ଗତ ବଡନି ଗ୍ରାମର ଜଗବନ୍ଧୁ ଗୌଡ଼ (୫୦) ଓ ଶଙ୍କର ଗୌଡ଼ ଏକ ବାଇକ ରେ ଆଜି ସକାଳେ କୌଣସି ଏକ କାର୍ଯ୍ୟରେ ଡାବୁଗାଁ ଥାନା ଅନ୍ତର୍ଗତ ଘୁସୁରା ବେଡା ଗ୍ରାମକୁ ଆସିଥିଲେ। କାର୍ଯ୍ୟ ସରିବା ପରେ ପୁଣି ବାଇକ ରେ ଜଗବନ୍ଧୁ ଓ ଶଙ୍କର ଗୌଡ ଦିନ ପ୍ରାୟ ୧ ଘଣ୍ଟ ସମୟରେ ଫେରିବା ସମୟରେ ମୁଦି ଗୁଡା ଓ ଦୟାଗୁଡା ଗ୍ରାମ ମଝିରେ ଜଗବନ୍ଧୁ ପରିସ୍ରା ଲାଗିବାରୁ ବାଇକ୍ ରେ ଓହ୍ଲାଇ ଥିଲେ। ଠିକ୍ ଏହି ସମୟରେ ମୁଦି ଗୁଡା ପଟୁ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର ଓଡି ୨୪ ଏଫ୍ ୩୮୧୦ ଆସୁଥିଲା।
ଟ୍ରାକ୍ଟର ଭାରସାମ୍ୟ ହରାଇ ଜଗବନ୍ଧୁ କୁ ଧକ୍କା ଦେଇଥିବା ବେଳେ ଟ୍ରାକ୍ଟର ର ପଛ ଚକା ତଳେ ପଡି ଜଗବନ୍ଧୁ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଚଂପଟ ମାରିଥିଲା। ଖବର ପାଇ ବଡନି ଗ୍ରାମରୁ ମୃତ ଜଗବନ୍ଧୁ ର ଭାଇ ଅନନ୍ତରାମ୍ଅ ଗୌଡ଼ ଅପରାହ୍ନରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନ ୨୯/୨୫ ରେ ମାମଲା ରୁଜୁ କରି ଶବ ଓ ଟ୍ରାକ୍ଟର ଜବତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି।