ଭଞ୍ଜନଗର: ଦୀର୍ଘ ୨ ବର୍ଷ ଧରି ଅନିୟମିତ ବର୍ଷା ଯୋଗୁ ବିଭିନ୍ନ ନଦୀ ନାଳ ଠାରୁ ଆରମ୍ଭ କରି ଜଳଭଣ୍ଡାର ଗୁଡିକରେ ଜଳାଭାବ ଦେଖା ଦେଇଥିଲା। ଯେଉଁ ପରିମାଣର ବର୍ଷା ହେଉଥିଲା ତାହା ଜଳସେଚନ ଓ ପିଇବା ପାଣି ପାଇଁ ଏକ ପ୍ରକାର ନିୟଣ୍ଟ ହେଉଥିଲା। କିନ୍ତୁ ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ହିଁ ବର୍ଷାର ପରିମାଣ ବଢିବା ସହ ଗତକିଛି ଦିନର ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ୩ଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଗୁଡ଼ା ଠାରେ ଥିବା ବାଘୁଆ ଜଳଭଣ୍ଡାରକୁ ବାଦ୍ ଦେଳେ ଭଞ୍ଜନଗର, ଡହ ଓ ସୋରଡ଼ାର ଜଳସ୍ତର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

Advertisment

ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଏହି ୩ଟି ଜଳଭଣ୍ଡାରର ଜଳସ୍ତର ଦୃତଗତିରେ ବୃଦ୍ଧି ଘଟୁଛି। ବର୍ଷା ହେଉଥିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ପାଣି ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି। ଗଞ୍ଜାମକନ୍ଧମାଳଜିଲ୍ଲା ସୀମାନ୍ତ ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋମିଟର ରହିଥି୍ବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ୯୮ ପ୍ରତିଶତ ପାଣି ଜଳଭଣ୍ଡାରରେ ଗଚ୍ଛିତ ରହିଥିଲା। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାରରେ ଶତପ୍ରତିଶତ ପାଣି ଭରିବ ହେବାର ସମ୍ଭାବନା ରହିଥିପବାରୁ ଡହ ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇ ନଦୀକୁ ପାଣି ଛଡା ଯାଇଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଭଳି ପାଣି ଛଡାଯାଇଥିବା ଜଣାପଡ଼ିଛି। ଜଳଭଣ୍ଡାରର ଜଳସ୍ତର ୯୫ ପ୍ରତିଶତ ହେବାଯାଏଁ ପାଣି ଛଡାଯିବା ପରେ ଗେଟ୍ ବନ୍ଦ କରାଯିବ। ଏଥିସହ ପୁଣି ପାଣିର ସ୍ଥିତିକୁ ଦେଖି ଆଗାମୀ ଦିନରେ ପାଣି ଛଡାଯିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଡହ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପଞ୍ଚୁ ବେହେରା ସୂଚନା ଦେଇଛନ୍ତି।

ଏନେଇ ବିଭାଗ ପକ୍ଷରୁ ପୂର୍ବରୁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ଡହ ଓ ଲୋହରାଖଣ୍ଡି ନଈକୂଳ ଗ୍ରାମବାସୀ ତଥା ସର୍ବ ସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ବିଶେଷକରି ଲୋହରାଖଣ୍ଡି ନଦୀରେ ଜଳଭଣ୍ଡାରରୁ ପାଣି ଆସିଲେ ଏହାର ପ୍ରଭାବ ଭଞ୍ଜନଗର ବ୍ଲକ୍ର ଡୁମାକୁମ୍ପା, ସାନକୋଦଣ୍ଡା, ବଡ଼କୋଦଣ୍ଡା, ବାଉଁଶଲୁଣ୍ଡି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଦୃଷ୍ଟିରୁ ଜଳସମ୍ପଦ ବିଭାଗ ପକ୍ଷରୁ ଏସବୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା ବୋଲି ଇଂ ବେହେରା ସୁଚନା ଦେଇଛନ୍ତି।

 ganjam