ବୈଶିଙ୍ଗା: ମା' ଓ ସ୍ତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିବାକୁ କେନ୍ଦ୍ରକରି ଥାନାକୁ ଏତଲା ଦେବାକୁ ଯାଉଥିବା ବେଳେ ବୈଶିଙ୍ଗା ଥାନା ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଦୁଇଭାଇଙ୍କୁ ସଂଙ୍ଘବଦ୍ଧ ଭାବେ ଗୋଡ଼ାଇଗୋଡ଼ାଇ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ବଡ଼ଭାଇ ଗୁରୁତର ଆହତ ହୋଇଥିବାବେଳେ ସାନଭାଇ କୌଣସି ପ୍ରକାରେ ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାରେ ସକ୍ଷମ ହୋଇଛନ୍ତିl

Advertisment

ଏତଲାକାରୀ ପୁରୁଣିଆ ଗ୍ରାମର ହରେକୃଷ୍ଣ ପାଢ଼ୀଙ୍କ ପୁଅ ଶ୍ରୀରାମ ପାଢ଼ୀଙ୍କ ଅଭିଯୋଗ ମୁତାବକ ତାଙ୍କର ମା' ବୀଣାପାଣି ପାଢ଼ୀ ଓ ସ୍ତ୍ରୀ ମାମା ପାଢ଼ୀ ପୁରୁଣିଆସ୍ଥିତ ଫାର୍ମହାଉସକୁ ସୋମବାର ଅପରାହ୍ନ ୩ଟା ପାଖାପାଖି ସମୟରେ ଯାଉଥିବା ବେଳେ ଆମ୍ବବଗିଚା ଠାରେ ଆକ୍ରମଣକାରୀମାନେ ଅଶ୍ଳୀଳ କମେଣ୍ଟ କରିଥିଲେl

ଏନେଇ ବୈଶିଙ୍ଗା ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିବା ବେଳେ ଥାନାକୁ ଆସି ଏତଲା ଦେବାକୁ କହିଥିଲେl ଅପରାହ୍ନ ପାଞ୍ଚଟା ପାଖାପାଖି ସମୟରେ ଏତଲାକାରୀ ଶ୍ରୀରାମ ପାଢ଼ୀ ନିଜର ବଡଭାଇ କାର୍ତ୍ତିକଚନ୍ଦ୍ର ପାଢ଼ୀଙ୍କ ସହିତ ଏତଲା ଦେବାକୁ ବୈଶିଙ୍ଗା ଥାନାକୁ ଯାଉଥିଲେ l ଥାନାକୁ ଯାଉଥିବା ବେଳେ ପୂର୍ବରୁ ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକରେ ଜଗି ରହିଥିବା ବଡଗୋପାଳପୁର ଗ୍ରାମର ସ୍ୱର୍ଗତ ସୋମନାଥ ବେହେରାଙ୍କ ପୁଅ ସଞ୍ଜୟ ଓ ତାଙ୍କର ୮ରୁ ୧୦ଜଣ ସହଯୋଗୀ ମିଶି ହାତରେ କଟୁରୀ, ବନ୍ଧୁକ, ଭୁଜାଲି, ତେଲେଙ୍ଗା କଟୁରୀ ଭଳି ଧାରୁଆ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେl ଆକ୍ରମଣ ସମୟରେ ଶ୍ରୀରାମ ପାଢ଼ୀ କୌଶଳକ୍ରମେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ନିଜର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେl

ତେବେ ଶ୍ରୀରାମଙ୍କ ବଡ଼ଭାଇ କାର୍ତ୍ତିକଙ୍କୁ ସେମାନେ ସଂଘବଦ୍ଧ ହୋଇ ହାଣି ଚାଲିଥିଲେ l ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ଦ୍ୱାରା କାର୍ତିକଙ୍କ ମୁଣ୍ଡ, ମୁହଁ, ହାତ, ଛାତି, ଗୋଡ଼ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତଲାଗି ପ୍ରଚୁର ରକ୍ତଶ୍ରାବ ହୋଇଥିଲାl ଚେତାଶୂନ୍ୟ ହୋଇ କାର୍ତ୍ତିକ ତଳେ ପଡ଼ିଯିବାପରେ ତାଙ୍କର ମୃତ୍ୟୁ ହୋଇଥିବା ଭାବି ଆକ୍ରମଣକାରୀମାନେ ପଳାଇ ଯାଇଥିଲେl ସ୍ଥାନୀୟ ଲୋକଙ୍କ ସହାୟତାରେ ମୁମୁର୍ଷ ଅବସ୍ଥାରେ ରକ୍ତଜୁଡୁବୁଡୁ ହୋଇ ପଡ଼ି ରହିଥିବା କାର୍ତ୍ତିକଙ୍କୁ ଉଦ୍ଧାରକରି ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେସଙ୍ଗେ ବାଲେଶ୍ୱର ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛିl

ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛିl ତେବେ ଦିନକୁ ଦିନ ବୈଶିଙ୍ଗା ଥାନା ଇଲାକା ଅଶାନ୍ତ ହୋଇପଡ଼ିଥିବା ବେଳେ କଥା କଥାରେ ରାଜରାସ୍ତାରେ ଏଭଳି ମାରଣାସ୍ତ୍ର ଧରି ସଂଙ୍ଘବଦ୍ଧ ଆକ୍ରମଣ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛିl

 Mayurbhanj