କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୪ ଘଣ୍ଟିଆ ଅନ୍ଲାଇନ୍ ଓପିଡି ଟିକେଟ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ସହର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏସସବି ଅଧୀକ୍ଷକ ପ୍ରଫେସର ଡାକ୍ତର ଗୌତମ ଶତପଥୀଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୨୪x୭ ଅନ୍ଲାଇନ ଓପିଡି ପଞ୍ଜୀକରଣ ସେବା ଆରମ୍ଭ ହୋଇ ସାରିଛି। ଏହି ପ୍ରସଂଗ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ହେବ ହେମାଟୋଲୋଜି ୟୁନିଟ୍
ଏକମାତ୍ର ଏସସିବି ହେମାଟୋଲୋଜି ବିଭାଗରେ ରକ୍ତ ସଂପର୍କିତ ରୋଗର ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ଏସସିବି ଅଧୀକ୍ଷକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏହି ବିଭାଗରେ ୨୦ଟି ଶଯ୍ୟା ରହିଛି। ବହୁ ସଂଖ୍ୟକ ଇନ୍ଡୋର୍ ରୋଗୀ ଏହି ବିଭାଗକୁ ଆସୁଥିବା ବେଳେ ମାତ୍ର ୨୦ଟି ଶଯ୍ୟା ଥିବାରୁ ଅବଶିଷ୍ଟ ଚଟାଣରେ ରହୁଛନ୍ତି। ଏହି ବିଭାଗରେ ଶଯ୍ୟା ବୃଦ୍ଧି ପାଇଁ ସ୍ଥାନ ଅଭାବ ରହିଛି। ଏସସିବି ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ଏହି ବିଭାଗରେ ଅଧିକ ଶଯ୍ୟା ଉପଲବ୍ଧ ହେବ। ଏହି ଉନ୍ନତୀକରଣ ପ୍ରକଳ୍ପ କାର୍ଯ୍ୟ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଦର୍ଶାଇଥିଲେ ଯେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏକ ହେମାଟୋଲୋଜି ୟୁନିଟ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ। ଏହା ଦ୍ବାରା ଏସସିବି ହେମାଟୋଲୋଜି ବିଭାଗ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ସଚିବ ଦର୍ଶାଇଥିଲେ।
୧୫ ପ୍ରଫେସର, ୩୩ଟି ଆସୋସିଏଟ୍ ପ୍ରଫେସର ପଦ ଖାଲି ପଡ଼ିଛି
ପାଥୋଲୋଜି ବିଭାଗ ବାହାରେ ରୋଗୀଙ୍କ ପାଇଁ ସେଡ୍ ନିର୍ମାଣ କରାଯାଇଛି। ଆରଆଣ୍ଡବି ସେଡ୍ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ସାରିଛି ବୋଲି ଏସସିବି ଅଧୀକ୍ଷକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଆଡଭୋକେଟ କମିଟି ପାଥୋଲୋଜି ବିଭାଗ ବାହାରେ ନିର୍ମାଣ କରାଯାଇଥିବା ଏହି ରେଷ୍ଟ ସେଡ୍ର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ଏସସିବି ମେଡିକାଲ କଲେଜରେ ୬୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦ ଥିବା ବେଳେ ଏବେ ୧୫ଟି ଖାଲି ପଡ଼ିଛି। ସେହିଭଳି ୧୦୭ଟି ଆସୋସିଏଟ ପ୍ରଫେସର ପଦ ମଧ୍ୟରୁ ୩୩ଟି ପଦ, ୨୩୭ ସହକାରୀ ପ୍ରଫେସର ପଦ ମଧ୍ୟରୁ ୧୬ଟି, ୨୨୬ ଟିଉଟର/ସିନିୟର ରେସିଡେଣ୍ଟ ପଦ ମଧ୍ୟରୁ ୨୩ଟି ଏବେ ଖାଲି ପଡ଼ିଛି ବୋଲି ଏସସିବି ଅଧୀକ୍ଷକଙ୍କ ତରଫରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା। ଓପିଡିରେ ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ଦିନ ୧ଟାରୁ ୨ଟା ବିରତି ରହିଛି। ଏନଏମସି ଗାଇଡଲାଇନ ଅନୁସାରେ ସବୁ ସମୟରେ ଜରୁରୀ ସେବା ବ୍ୟବସ୍ଥା ରହିଛି। ସଂପୃକ୍ତ ୱାର୍ଡ(ଆଇପିଡି)ର ୟୁନିଟ ମୁଖ୍ୟମାନେ ପ୍ରତିଦିନ ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ୱାର୍ଡ ରାଉଣ୍ଡରେ ପର୍ଯ୍ୟାୟକ୍ରମେ ଯାଇଥାନ୍ତି। ନର୍ସିଂ ଅଫିସର, ପରାମେଡିକାଲ କର୍ମଚାରୀ, ଚତୁର୍ଥଶ୍ରେଣୀ ଓ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଡ୍ୟୁଟି ସମୟ ବିଭିନ୍ନ ସିଫ୍ଟ ଯଥା ସକାଳ ୮ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ସକାଳ ୮ଟାରେ ରହୁଛି। ରିଜିଓନାଲ ଡାଇଗ୍ନୋଷ୍ଟିକ ସେଣ୍ଟର ସବୁ ବେଳେ କାର୍ଯ୍ୟ କରୁଛି। ଡାକ୍ତରଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ରହିଛି। ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରି ସପ୍ତାହରେ ଦୁଇ ଦିନ ବିଭିନ୍ନ ବିଭାଗର ତିନୋଟି ଦଳ ଆକସ୍ମିକ ପରିଦର୍ଶନ କରିବା ସହିତ ଏ ସଂପର୍କିତ ରିପୋର୍ଟ ଏସସିବି ଅଧୀକ୍ଷକଙ୍କ ନିକଟରେ ଦାଖଲ କରୁଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।
ଡ୍ୟୁଟି ସମୟରେ ଅନୁପସ୍ଥିତ ରହୁଛନ୍ତି ଡାକ୍ତର
ଅନ୍ୟପକ୍ଷରେ ଡ୍ୟୁଟି ସମୟରେ କେତେକ ଡାକ୍ତର ଅନୁପସ୍ଥିତ ରହୁଥିବା ଅଭିଯୋଗ ରହିଛି ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଡାକ୍ତରମାନେ ସେମାନଙ୍କ ଡ୍ୟୁଟି ବେଳେ ଅନୁପସ୍ଥିତ ରହିବା ସହିତ ଏହି ସମୟରେ ଘରୋଇ ଡାକ୍ତରଖାନାକୁ ଯାଇ ସେବା ଯୋଗାଉଛନ୍ତି ଫଳରେ ଏସସିବି ଆସୁଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ଯାଞ୍ଚ ପାଇଁ ଏକ ଦଳ ଗଠନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏବେ ରହିଥିବା ଦଳ ସହିତ ଉପସଚିବ ବା ତାଠାରୁ ଉଚ୍ଚ ପଦବିରେ ଥିବା ଅଧିକାରୀଙ୍କୁ ନେଇ ଗଠିତ ହେବାକୁ ଥିବା ଦଳ ଏସସିବିର ବିଭିନ୍ନ ବିଭାଗ ଓ ଓପିଡିର ଆକସ୍ମିକ ପରିଦର୍ଶନ କରିବା ସହିତ ନିୟମିତ ଅବଧିରେ ରିପୋର୍ଟ ଦାଖଲ କରିବ ବୋଲି ହାଇକୋର୍ଟ କହିଛନ୍ତି। ମୁଦା ଲଫାପାରେ ଏପରି ରିପୋର୍ଟ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
ଆଟେଣ୍ଡାଣ୍ଟ ସେଡ୍ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ ଆଡଭୋକେଟ କମିଟି
ସେହିପରି ରୋଗୀ ଆଟେଣ୍ଡାଣ୍ଟ ସେଡ୍ରେ ତଦାରଖ ବ୍ୟବସ୍ଥା ସହିତ ସିସିଟିଭି କ୍ୟାମେରା ବସାଯିବା ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସସିବିରେ ସୁରକ୍ଷା କର୍ମୀଙ୍କ ନିୟୋଜନ, ଆଟେଣ୍ଡାଣ୍ଟ ସେଡ୍ରେ ସିସିଟିଭି କ୍ୟାମେରାର ସ୍ଥିତି ପ୍ରସଂଗ ଅନୁଧ୍ୟାନ କରି ଆଡଭୋକେଟ କମିଟି ରିପୋର୍ଟ ଦାଖଲ କରିବ ବୋଲି ହାଇକୋର୍ଟ କହିଛନ୍ତି। ଆମିକସ୍ କ୍ୟୁରି ବିଜୟ କୁମାର ଦାଶ, ଇଂଜିନିୟର ଏନ.କେ.ମହାନ୍ତି, ହାଇକୋର୍ଟ ବାର୍ ସଭାପତି ମନୋଜ କୁମାର ମିଶ୍ର, ସଂପାଦକ ଅଭିଜିତ ପଟ୍ଟନାୟକ, ଆଡଭୋକେଟ କମିଟି ସଦସ୍ୟ ସରୋଜ କୁମାର ପାଢୀ, ବିଭୂତି ଭୂଷଣ ଚୌଧୁରୀ, ମହମ୍ମଦ ଆରିଫ ଉଦ୍ଦିନ ଖାନ, ରାଧାରମଣ ଦାସ ନାୟକ ମାମଲା ପରିଚାଳନା କରୁଛନ୍ତି।
Cuttack | scb medical