ବେଗୁନିଆପଡା:ବିଧିର ବିଧାନ କେ କରିବ ଆନ। ମୃତ୍ୟୁ ସମସ୍ତଙ୍କ ଜୀବନରେ ଆସେ କିନ୍ତୁ ଏହା ଯେ ଏମିତି ବିଚିତ୍ର ଭାବରେ ଆସେ ତାହା ସମସ୍ତଙ୍କୁ ଚକିତ କରିଦେବ। ବାପା ମରିବାର ଦଶ ଦିନରେ ଏକ ମାତ୍ର ପୁଅ ଆରପାରିକୁ ଚାଲିଗଲା। ଘଟଣା ଘଟଛି କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର କଞ୍ଚଣା ପଞ୍ଚାୟତର ରାଣୀପଡ଼ା ଗ୍ରାମରେ। ଉକ୍ତ ଗ୍ରାମରେ ମୂଳିଆ ପ୍ରଧାନ ଓ ତାଙ୍କ ପତ୍ନୀ କେଶରୀ ପ୍ରଧାନ ଙ୍କର ଏକ ମାତ୍ର ପୁଅ ରବୀନ୍ଦ୍ର ପ୍ରଧାନ। ଗତ ୩ ବର୍ଷ ତଳେ ରବୀନ୍ଦ୍ର ଯମୁନାଙ୍କୁ ବିବାହ କରିଥିଲେ। ପରେ କୋଳରେ ଜନ୍ମ ନେଇଥିଲା ଝିଅ ପ୍ରିୟାଂଶୀ। ପରେ ପରେ ଗତ ୮ ମାସ ତଳେ ଏକ ବାଇକ ଦୁର୍ଘଟଣାରେ ରବୀନ୍ଦ୍ର ଗୁରୁତର ଆହତ ହେବା ପରେ ମୁଣ୍ଡକୁ ମାଡ଼ ହେବା ଯୋଗୁଁ କୋମା ଅବସ୍ଥାକୁ ଚାଲିଯାଇଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ସେ ଠିକ ଅବସ୍ଥାକୁ ଫେରିନଥିଲେ ଓ ଶଯ୍ୟାଶାୟୀ ଥିଲେ। ଏହା ପୂର୍ବରୁ ଠିକ ଦୁଇ ମାସ ଆଗରୁ ଯମୁନା ଏକ ଶିଶୁ ପୁତ୍ର ଅରିୟାନକୁ ଜନ୍ମ ଦେଇଥିଲେ।
ପୁଅ ରବୀନ୍ଦ୍ରର ସ୍ୱାସ୍ଥ୍ୟ ଚିନ୍ତାରେ ବାପା ମୂଳିଆ ଗତ ୧୬ ତାରିଖରେ ସବୁଦିନ ପାଇଁ ଆଖି ବୁଜିଲେ। ଆଜି ଥିଲା ତାଙ୍କ ଦଶାହ। କିନ୍ତୁ ବିଳମ୍ବିତ ରାତିରେ ପୁଅ ରବୀନ୍ଦ୍ର ସବୁଦିନପାଇଁ ଆଖି ବୁଜିଦେଲେ। ଘରେ ମାଆ କେଶରୀ ଶଯ୍ୟାଶାୟୀ। ଆଖି ଆଗରେ ନିଜର ସ୍ୱାମୀଙ୍କର ମୃତ୍ୟୁ ସହ ପୁଅର ମୃତ୍ୟୁ ଦେଖି ସମ୍ପୂର୍ଣ୍ଣ ଧୈର୍ଯ୍ୟହରା ହୋଇପଡିଛନ୍ତି କେଶରୀ। ସେପଟେ ନିଜ ସ୍ୱାମୀ ରବୀନ୍ଦ୍ରଙ୍କ ମୃତ୍ୟୁ ଓ ଶ୍ୱଶୁରଙ୍କ ମୃତ୍ୟୁ ପରେ ଯମୁନା କଇଁ କଇଁ ହୋଇ କାନ୍ଦୁଛନ୍ତି। ଯମୁନାଙ୍କ କୋଳରେ ନିଷ୍ପାପ ଦୁଇ ଶିଶୁ। ୨ବର୍ଷର ଝିଅ ପ୍ରିୟାଂଶୀ ଓ ଦୁଇ ମାସର ଶିଶୁ ପୁତ୍ର ଅରିୟାନ। ଯମୁନାଙ୍କ ଚେତା ବାରମ୍ବାର ଯାଉଛି। ଘର ବର୍ତ୍ତମାନ ମୁରବୀ ଶୂନ୍ୟ।
ସେପଟେ କେଶରୀ ଶେଯରୁ ଉଠୁ ନାହାନ୍ତି। ଦୁଇ ପିଲା ବାପ ଛେଉଣ୍ଡ ହୋଇଗଲେ। ରାଣୀପଡ଼ା ଗାଁ ସ୍ତବ୍ଧ ହୋଇଯାଇଛି। ଘର ଚଳିବ କେମିତି ଏହା ଯମୁନା ପାଇଁ ଏକ ଅସମାହିତ ପ୍ରଶ୍ନ ପାଲଟି ଯାଇଛି। କୋଳରେ ଦୁଇ ଶିଶୁଙ୍କ ଭବିଷ୍ୟତ କିପରି ଗଢିବେ ଓ ତାଙ୍କ ମୁହଁରେ କିପରି ଖାଇବାକୁ ମୁଠାଏ ଖାଦ୍ୟ କେମିତି ଦେବେ ତାହା ଚିନ୍ତା କରିପାରୁ ନାହାନ୍ତି। ସ୍ୱାମୀଙ୍କ ଦେହରେ ସବୁ ଅର୍ଥ ଖର୍ଚ୍ଚ ହେବା ସହ ବାକିରେ ବୁଡି ରହିଛନ୍ତି। ଏବେ ଏହି ଅଘଟଣ ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ତାଙ୍କୁ ସହାୟତା ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ଯମୁନା।