ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଶୀର୍ଷ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। ରାଜ୍ୟର ଶୀର୍ଷସ୍ତରର ପରୀକ୍ଷାରେ ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ଉଦ୍ୟମରେ ବଡ଼ ସଫଳତା ହାସଲ କରିଛନ୍ତି। ସେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଜାତୀୟ ପ୍ରଦ୍ଦ୍ୟୋଗିକୀ ପ୍ରତିଷ୍ଠାନ (ଏନ୍ଆଇଟି)ରୁ ଇଲେକ୍ଟ୍ରୋନିକ୍ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଷୟରେ ବି.ଟେକ୍ ଅଧ୍ୟୟନ କରିଛନ୍ତି। ଚାକିରି ଛାଡ଼ି ଓଏଏସ୍ ପାଇଁ ପ୍ରସ୍ତୁତି କରିବା ସହ ସଫଳତା ହାସଲ କରିଛନ୍ତି। ଏଥି ସହିତ ଦୃଢ଼ ମନୋବଳ ଓ କଠନି ପରିଶ୍ରମ ସଫଳତା ଆଣିଦିଏ ବୋଲି ସେ ପ୍ରମାଣିତ କରିଛନ୍ତି।
ସେହିପରି ତାଲିକାର ଦ୍ବିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଂଜନ ପତି ଅଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ପ୍ରଜ୍ଞା ପାରଙ୍ଗମ ଓ ଆଜାଦ କୁମାର ସାହୁ ଅଛନ୍ତି। ଦୀପମ ରାଉତ, ଦେବବ୍ରତ ଗୌଡ଼ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଥିବା ବେଳେ ଆଦିଦ୍ୟ ଦୀପଙ୍ଗର ଷଡ଼ଙ୍ଗୀ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନବମରେ କପିଳ କୁମାର ମହାନ୍ତି ଥିବା ବେଳେ ଦଶମରେ ଅମ୍ରିତା ସାହୁ ସ୍ଥାନ ପାଇଛନ୍ତି। ଏହି ୧୦ ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ସାମାଜିକ ଓ ଆଥିର୍କ ପଛୁଆ ବର୍ଗ (ଏସ୍ଇବିସି)ର ଅଛନ୍ତି। କିନ୍ତୁ ଏମାନେ ସମସ୍ତେ ଅଣସଂରକ୍ଷିତ ବର୍ଗରେ ଚୟନିତ ହୋଇଛନ୍ତି।
ପ୍ରଥମ ପରୀକ୍ଷାରେ ସଫଳତା ପାଇଥିବାରୁ ବହୁତ ଖୁସି ଅନୁଭବ କରୁଛି। ଏଥି ପାଇଁ ପରିବାରର ଲୋକେ ବହୁତ ସହଯୋଗ କରିଥିଲେ। ଚାକିରି କରୁଥିଲି। କିନ୍ତୁ ଓଏଏସ୍ ହେବା ପାଇଁ ମନ ହେଲା। ତେଣୁ ଚାକିରି ଛାଡ଼ି ଓଏଏସ୍ ପାଇଁ ପ୍ରସ୍ତୁତ ହେଲି। ଏଥି ପାଇଁ ଦୈନିକ ୭ରୁ ୮ ଘଣ୍ଟା ପଢୁଥିଲି।
-ଶ୍ବେତାଶ୍ରୀ ମହାପାତ୍ର, ଓଏଏସ୍ ଟପ୍ପର
ସୂଚନାଯୋଗ୍ୟ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ ପାଇଁ ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ଆବେଦନ କରିଥିଲେ। ପରୀକ୍ଷା ଦେଇଥିଲେ ୪୦୫୮୬ ଜଣ। ପ୍ରବେଶିକା ପରୀକ୍ଷାରେ ମୋଟ ୮୨୨୦ ଜଣ କୃତକାର୍ଯ୍ୟ ହୋଇଥିଲେ। ମୁଖ୍ୟ ଲିଖିତ ପରୀକ୍ଷା ଗତ ଫେବ୍ରୁଆରି ୨୫, ୨୬, ୨୮, ମାର୍ଚ୍ଚ ୧ ଓ ୩ ତାରିଖ ହୋଇଥିଲା। ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ସାକ୍ଷାତକାର ଗତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଜାରି ଥିଲା। ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ଯ୍ୟ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅଣସଂରକ୍ଷିତ ବର୍ଗରେ ୩୮୭ ଜଣ, ପଛୁଆ ବର୍ଗରେ ୭୧ ଜଣ, ଅନୁସୂଚିତ ଜାତି ବର୍ଗରେ ୮୯ ଜଣ, ଅନୁସୂଚିତ ଜନଜାତି ବର୍ଗରେ ୧୩୬, ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡ଼ାବିତ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଆଜି ଓପିଏସି ନିଜର ୱେବ୍ସାଇଟ୍ http://opsc.gov.inରେ ରେଜଲ୍ଟ ଜାରି କରିଛି। ପରୀକ୍ଷାର୍ଥୀମାନେ ନିଜର ଫଳାଫଳ ଏହାରି ମାଧ୍ୟମରେ ଜାଣି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/10/19/0YhB8NaFzmMZ21mDNosl.jpeg)