କଟକ: ଉଚ୍ଚ ରକ୍ତଚାପ କାରଣ ଦର୍ଶାଇ ବନ ବିଭାଗର ଏସିଏଫ (ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ) ଓ ଫରେଷ୍ଟ ରେଞ୍ଜର ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରୁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେଇଥିବା ପ୍ରାର୍ଥୀଙ୍କୁ ବାଦ ଦିଆଯିବା ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏହି ଆବେଦନକାରୀ ପ୍ରାର୍ଥୀଙ୍କ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯିବ। ମେଡିକାଲ ବୋର୍ଡରେ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏ ସଂପର୍କିତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସେମାନଙ୍କ ଯୋଗ୍ୟତା ପ୍ରସଂଗରେ ନିଷ୍ପତ୍ତି ନିଆଯିବ। ଧାର୍ଯ୍ୟ କରାଯିବାକୁ ଥିବା ତାରିଖରେ ମେଡିକାଲ ବୋର୍ଡ ନିକଟରେ ଆବେଦନକାରୀ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବାଶିଷ ଦାଶ ଓ ଅନ୍ୟ ୮ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଉପରୋକ୍ତ ପଦବି ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ୨୫ହଜାର ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ। ଆବେଦନକାରୀଙ୍କ ସମେତ ୫୩୩ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ପାଇଁ ଶରୀରିକ ମାନକ ପରୀକ୍ଷା ଜୁଲାଇ ୧୫ରେ ଅନୁଷ୍ଠିତ ହେବାକୁ ଥିଲା। ଆବେଦନକାରୀଙ୍କ ଆବଶ୍ୟକ ଉଚ୍ଚତା ଓ ଛାତିର ମାପ ଥିବା ବେଳେ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ତାଙ୍କୁ ଶାରୀରିକ ସହନଶକ୍ତି ପରୀକ୍ଷା ବା ଚାଲିବା ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା। ସାଧାରଣ ମର୍କୁରି ଯନ୍ତ୍ର ବଦଳରେ ଡିଜିଟାଲ ଯନ୍ତ୍ର ଦ୍ବାରା ଆବେଦନକାରୀଙ୍କ ରକ୍ତଚାପ ମପା ଯାଇଥିଲା।
ଅନ୍ୟପକ୍ଷରେ ଜୁଲାଇ ୧୬ରେ ଅନ୍ୟ ପ୍ରାର୍ଥୀଙ୍କ ରକ୍ତଚାପ ମର୍କୁରି ଯନ୍ତ୍ରରେ ମପା ଯାଇଥିଲା। ଏହା ସମଗ୍ର ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏଥି ସହିତ ରକ୍ତଚାପ ମାପର ଫଳାଫଳ ଆଧାରରେ ପ୍ରାର୍ଥୀଙ୍କୁ ଶାରୀରିକ ସହନଶୀଳ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ନଥିଲା। ଏଭଳି ସ୍ଥିତିରେ ରକ୍ତଚାପ ଫଳାଫଳ ଆଧାରରେ ଆବେଦନକାରୀଙ୍କୁ ଶରୀରିକ ପରୀକ୍ଷା ପାଇଁ ଅନୁମତି ଦିଆ ନ ଯିବା ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ହାଇକୋର୍ଟ ଗତ ୨୨ ତାରିଖରେ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଓପିଏସସି ନିକଟରୁ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଥିବା ବେଳେ ସୋମ ଶେଖର ରଥ ସହାୟତା କରୁଥିଲେ।
Orissa High Court
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)