ମାଲକାନଗିରି: ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଯୋଗାଯୋଗ ନେଇ ଏକାଧିକ ସମସ୍ୟାାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଠିକାର ଆଦିବାସୀ ମହିଳା ଓ ଯୁବତୀମାନେ ମାସିକ ଋତୁସ୍ରାବ ବିଷୟରେ ସଚେତନ ନୁହନ୍ତି। ତେଣୁ ସେମାନଙ୍କୁ ଏହାଦ୍ବାରା କିପରି ସେମାନେ ବିଭିନ୍ନ ରୋଗରୁ ମୁକ୍ତି ପାଇବେ ସେନେଇ ଜିଲ୍ଲାର ଆଦିବାସୀ ଯୁବତୀମାନଙ୍କୁ ନେଇ ଗଢି ଉଠିଥିବା ବଡିଦିଦି ସଂଗଠନ ପକ୍ଷରୁ ଆଦିବାସୀ ଗାଁଗୁଡିକରେ ମହିଳା ଓ ଯୁବତୀଙ୍କୁ ସଚେତନ କରାଯାଉଛି।

Advertisment

ବଣ୍ଡାଘାଟି ହେଉ ବା ସ୍ବାଭିମାନ ଅଂଚଳ ହେଉ ସବୁ ସ୍ଥାନରେ ଏହି ବଡିଦିଦିର ସଦସ୍ୟାମାନେ ପହଞ୍ଚି ମହିଳା ଓ ଯୁବତୀଙ୍କୁ ଏହା ସମସ୍ୟା ସଂପର୍କରେ ଅବଗତ କରାଉଛନ୍ତି। ଏଥିସହ ସେହି ଗ୍ରାମଗୁଡିକରେ ପେଡ ବ୍ୟାଙ୍କଗୁଡିକ ସ୍ଥାପନ କରୁଛନ୍ତି। ଗାଁର ଅଶିକ୍ଷିତ ମହିଳାମାନେ ସଚେତନ ହେବା ପରେ ପେଡ ପିନ୍ଧିବା ଶିଖିଗଲେଣି।

ମାଲକାନଗିରି ବ୍ଲକର ସିନ୍ଧ୍ରିମାଳ ପଞ୍ଚାୟତର ଦୁର୍ଗମ ଗାଁ ଭୀମରାଙ୍ଗିଣିରେ ଆଜି ଏକ ନୂତନ ପେଡ ବ୍ୟାଙ୍କ ପ୍ରତିଷ୍ଠା କରିବା ସହ ଏହି ଅଂଚଳର ଆଦିବାସୀ ମହିଳା ଓ ଯୁବତୀଙ୍କୁ ସଚେତନ କରାଯାଇଥିଲା। ପେଡ କିପରି ମହିଳାମାନେ ପିନ୍ଧିବେ ସେନେଇ ବିସ୍ତୃତ ଭାବେ ବଡିଦିଦିର ସଂଗଠିକା ଜୟନ୍ତୀ ବୁରୁଦା ବୁଝାଇଥିଲେ।

ପ୍ରକାଶ ଥାଉକି ବଡିଦିଦି ସଂଗଠନକୁ ପ୍ରତିମାସରେ ବାଙ୍ଗଲୋରର ବି ଫ୍ରେଣ୍ଡ୍ ଲାଇପ ଫାଉଣ୍ଡେସନ ତରଫରୁ ୫୦୦ ପେଡ ପ୍ରଦାନ କରାଯାଉଛି। ଏହି ପେଡଗୁଡିକକୁ ବିଭିନ୍ନ ଗ୍ରାମରେ ମାଗଣାରେ ବଡିଦିଦିର ସଦସ୍ୟାମାନେ ପ୍ରଦାନ କରୁଛନ୍ତି। ବଡିଦିଦି ସଂଗଠର ସଦସ୍ୟା ଗୋରୀ ପଡିଆମି, ରୀନା ପଡିଆମି, ସଂଧ୍ୟା ପଡିଆମି, ସୁନୀତା ନାୟକ ପ୍ରମୁଖ ଗାଁ ଗାଁ ବୁଲି ମହିଳାମାନଙ୍କୁ ସଚେତନ କରାଉଛନ୍ତି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଗାଁଗୁଡିକରେ ପେଡ ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ପେଡ ପିନ୍ଧିବା ଅଭ୍ୟାସ କରିବା ସହ  ମହିଳାଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ଆମର ଲକ୍ଷ୍ୟ ବୋଲି ଜୟନ୍ତୀ ବୁରୁଦା ପ୍ରକାଶ କରିଛନ୍ତି।