ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଅସ୍ମିତା ରାଜ୍ୟ ବାଳିକା ହକି ପ୍ରତିଯୋଗିତା‌ର ଉପକନିଷ୍ଠ ବର୍ଗରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ କନିଷ୍ଠ ବର୍ଗରେ ଖୋର୍ଦ୍ଧା ଦଳ ବିଜୟ ମୁକୁଟ ପିନ୍ଧିଛନ୍ତି। ସୋମବାର ଅପରାହ୍ନରେ ଉଭୟ ବର୍ଗର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଖେଳାଯାଇଥିବା ଉପକନିଷ୍ଠ ବର୍ଗର ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା।

Advertisment

ମ୍ୟାଚ୍‌ସାରା ଉଭୟ ଦଳର ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଶେ‌ଷ ସୁଦ୍ଧା ସ୍କୋର୍ ୧-୧ ଗୋଲ ରହିବାରୁ ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ପାନପୋଷ କ୍ରୀଡ଼ାଛାତ୍ରାବାସ ୨-୧ ଗୋଲ୍‌ରେ ବାଜି ମାରିନେଇଥିଲା। ଖୋର୍ଦ୍ଧା ହକି ସଂଘ ୨-୧ ଗୋଲରେ ସୁନ୍ଦରଗଡ଼ ହକି ସଂଘକୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଥିଲା। ସେହିଭଳି କନିଷ୍ଠ ବର୍ଗରେ ଖୋର୍ଦ୍ଧା ଜିଲ୍ଲା ହକି ସଂଘ ୨-୧ ଗୋଲରେ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘକୁ ପରାସ୍ତକରି ଚାମ୍ପିଅନ୍ ହୋଇଛି।

 

ଏହି ବର୍ଗରେ ଦେବଗଡ଼ ଜିଲ୍ଲା ହକି ସଂଘ ୫-୦ ଗୋଲ୍‌ରେ ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ (ସମ୍ବଲପୁର)କୁ ହରାଇ ତୃତୀୟ ସ୍ଥାନ ଦଖଲ କରିଛି। ଉପକନିଷ୍ଠ ବର୍ଗରେ ଇତି ନାଏକ (ପାନପୋଷ କ୍ରୀଡ଼ା ଛାତ୍ରାବାସ) ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ରିତିକା ଟିଗ୍ଗା (ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ନୀକିତା ତିର୍କି (ସୁନ୍ଦରଗଡ଼) ଶ୍ରେଷ୍ଠ ଗୋଲ୍‌କିପର, ସ୍ମିତା ଏକ୍କା (ସୁନ୍ଦରଗଡ଼) ଶ୍ରେଷ୍ଠ ମଧ୍ୟଭାଗ, ନିହାରିକା ଟପ୍ପୋ (ଖୋର୍ଦ୍ଧା) ଶ୍ରେଷ୍ଠ ରକ୍ଷଣଭାଗ, ଅଞ୍ଜଳି ବାରୱା(ପାନପୋଷ କ୍ରୀଡ଼ା ଛାତ୍ରାବାସ) ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି ଓ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଖୋର୍ଦ୍ଧାର ପରମେଶ୍ବର ମାରାଣ୍ଡି ପୁରସ୍କୃତ ହୋଇଥିଲେ।

publive-image

ସେହିଭଳି କନିଷ୍ଠ ବର୍ଗରେ ଆନନ୍ଦିତା ଟପ୍ପୋ (ଖୋର୍ଦ୍ଧା) ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ଅଞ୍ଜଳି ଖାଖା(ସୁନ୍ଦରଗଡ଼) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ପ୍ରଜ୍ଞା ପାରମିତା ପଣ୍ଡା(ଯାଜପୁର) ଶ୍ରେଷ୍ଠ ଗୋଲରକ୍ଷକ, ସୋନିଆ ଡୁଙ୍ଗଡୁଙ୍ଗ(ଏସ୍‌ଏମ୍‌ଏସ୍‌ ହକି ଏକାଡେମୀ) ଶ୍ରେଷ୍ଠ ମଧ୍ୟଭାଗ, ସୀମା ଏକ୍କା (ଦେବଗଡ଼) ଶ୍ରେଷ୍ଠ ରକ୍ଷଣଭାଗ, ଡଲି ଭୋଇ (ଖୋର୍ଦ୍ଧା) ଶ୍ରେଷ୍ଠ ପୁରୋଭାଗ ଓ ସୁଧୀର କୁମାର କୁଜୁର (ଦେବଗଡ଼) ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଛନ୍ତି। ଉଭୟ ବର୍ଗର ବିଜେତା ଦଳକୁ ୨ ଲକ୍ଷ ଟଙ୍କା, ଉପବିଜେତାକୁ ୧.୫ ଲକ୍ଷ ଓ ତୃତୀୟ ସ୍ଥାନ ପାଇଥିବା ଦଳକୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ତଥା ସମସ୍ତ ବ୍ୟକ୍ତିଗତ ପୁରସ୍କାର ବିଜୟିନୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରା ଯାଇଥିଲଶ। ପୁରସ୍କାର ବିତରଣୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଉପବାଚସ୍ପତିଙ୍କ ପ୍ରତିନିଧି ଗୁରୁବିନ୍ଦର ସିଂହ, ପୂର୍ବତନଖେଳାଳି ପିଟର ତିର୍କି, ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଉପନି‌ର୍ଦ୍ଦେଶକ ସୁଦୀପ୍ତ ନାୟକ, ପାନପୋଷ କ୍ରୀଡ଼ା ଛାତ୍ରାବାସର ନିର୍ଦ୍ଦେଶକ ବିଜେ. କାରିଆପ୍ପା, ବରିଷ୍ଠ ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ, ରାକେଶ ମହାନ୍ତି, ଓଡ଼ିଶା ହକି ସଂଘ ସମ୍ପାଦକ ସନାତନ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Rourkela