କାମାକ୍ଷାନଗର: ଡାକ୍ତର ଦେଖାଇବାକୁ ଡାକ୍ତରଖାନା ଯାଉଥିଲେ। ହେଲେ କିଏ ଜାଣିଥିଲା ବାଟରେ ଜମ ଛକିଥିବ ବୋଲି। ପତ୍ନୀ ଓ ପୁଅଙ୍କ ସହ ଚିକିତ୍ସା ଲାଗି ଯାଉଥିଲାବେଳେ ଟ୍ରକ୍ ଧକ୍କାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ଜିରିଡ଼ାମାଳି ବାଇପାସ୍ ନିକଟରେ ଆଜି ସକାଳେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି।
- ପତ୍ନୀ ଓ ପୁଅ ଗୁରୁତର, ଚାଳକ ଆହତ
- ଟାୟାର ଜାଳି ୨ ଘଣ୍ଟା ରାସ୍ତା ଅବରୋଧ
- ବାରମ୍ବାର ଘଟୁଛି ଦୁର୍ଘଟଣା, ପଦକ୍ଷେପ ଦାବି
କଙ୍କଡ଼ାହାଡ଼ ଥାନା କଲଦା ଗ୍ରାମ ମୁଣ୍ଡାସାହିର ନିରଞ୍ଜନ ପଧାନ (୫୫)ଙ୍କ ଶରୀର ଅସୁସ୍ଥ ଥିଲା। ସେ ଆଜି ସକାଳେ ଏକ ମାରୁତି ଇକୋ ଭ୍ୟାନ୍ରେ ପତ୍ନୀ କାମିନୀ (୪୮), ପୁଅ ପୂର୍ଣ୍ଣଚନ୍ଦ୍ର (୩୦) ଓ ସିଦ୍ଧାନ୍ତ (୨୭)ଙ୍କ ସହ ଡାକ୍ତରଖାନାକୁ ବାହାରିଥିଲେ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ନିରଞ୍ଜନ ଡାକ୍ତର ଦେଖାଇଥାନ୍ତେ। ହେଲେ ଜିରିଡ଼ାମାଳି ବାଇପାସ୍ ନିକଟରେ ଭୁବନ ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଭ୍ୟାନ୍କୁ ଧକ୍କା ଦେଇଥିଲା। ଭ୍ୟାନ୍ଟି ଜାତୀୟ ରାଜପଥକୁ ବାହାରିଲାବେଳକୁ ଟ୍ରକ୍ ପିଟି କିଛି ବାଟ ଘୋଷାଡ଼ି ନେଇଥିଲା। ଗାଡ଼ିରେ ଥିବା ନିରଞ୍ଜନଙ୍କ ସମେତ ଅନ୍ୟମାନେ ଗୁରୁତର ହୋଇଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ଶରୀର ଅସୁସ୍ଥ ପାଇଁ ଡାକ୍ତରଖାନା ଯାଉଥିବା ନିରଞ୍ଜନଙ୍କ ଏପରି ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଥିଲା। ସେହିପରି ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଜିରିଡ଼ାମାଳି ବାଇପାସ୍ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ। ଆଜି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତାତିଥିଲେ। ଟାୟାର ଜାଳି ଲୋକେ ୨ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ତୁରନ୍ତ ଉକ୍ତ ଦୁର୍ଘଟଣାପ୍ରବଣ ସ୍ଥାନରେ ହମ୍ପ୍ସ ନିର୍ମାଣ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଲୋକେ ଦାବି କରିଥିଲେ। ଘଟଣାସ୍ଥଳରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।
ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ ଉଭୟ ପାର୍ଶ୍ବରେ ହମ୍ପ୍ସ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତାରୋକ ହଟିଥିଲା। ଥାନାଧିକାରୀ ଧିରେନ କୁମାର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅଟକାଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି।