ବ୍ରହ୍ମପୁର: ଚାକିରି ଜୀବନ ଆରମ୍ଭ ହୋଇଛି। ଚାକିରି ଜୀବନ ଦୀର୍ଘ ସମୟ ଲମ୍ବି ଥିବା ବେଳେ ଦୁର୍ନୀତିରେ ସଂଲିପ୍ତ ହୋଇଛନ୍ତି ଗଂଜାମ ଜିଲ୍ଲା କେଲୁଆପଲ୍ଲୀ ଗ୍ରାମପଞ୍ଚାୟତ ପଞ୍ଚାୟତର ପୂର୍ବତନ କାର୍ଯ୍ୟକାରୀ ଅଧିକାରୀ (ପିଇଓ) ସମୀର କୁମାର ମିଶ୍ର (୨୯)। ପୁଲିସ ସମୀରଙ୍କୁ ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ କରିଛି।
ଆସିକା ଥାନା ଗାଙ୍ଗପୁର ଗ୍ରାମର ସ୍ବର୍ଗତଃ ବିଭୂ ପ୍ରସାଦ ମିଶ୍ରଙ୍କ ପୁଅ ସମୀର କୁମାରଙ୍କ ନାମରେ ବ୍ୟାପକ ଅର୍ଥ ହଡ଼ପ କରିଥିବା ନେଇ ଗୋଲନ୍ଥରା ଥାନା ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ବଜିତ ରାୟ ଅଭିଯୋଗ ଆଣିଛନ୍ତି। ଏନେଇ ଭାରତୀୟ ନ୍ୟାୟ ସହିଂତାର ଏକାଧିକ ଧାରାରେ ଗୋଲନ୍ଥରା ଥାନାରେ ମାମଲା ରୁଜୁ ହୋଇଛି।
ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ବଜିତ ରାୟ ଗୋଲନ୍ଥରା ଥାନାରେ କେଲୁଆପଲ୍ଲୀ ଗ୍ରାମପଞ୍ଚାୟତରେ ସରକାରୀ ଟଙ୍କା ବ୍ୟାପକ ହଡ଼ପ ନେଇ ଏଠାରେ କାର୍ଯ୍ୟରତ ପୂର୍ବତନ ପିଇଓ ସମୀର କୁମାର ମିଶ୍ରଙ୍କ ନାମରେ ଅଭିଯୋଗ ଆଣିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସମୀର କୁମାର ମିଶ୍ର କେଲୁଆପଲ୍ଲୀ ଗ୍ରାମପଞ୍ଚାୟତରେ ୨୦୧୯ରୁ ପିଇଓ ଭାବେ କାର୍ଯ୍ୟରତ ଥିଲେ। ସେ ସରପଞ୍ଚଙ୍କ ଅନୁମୋଦନ ପରେ ପଞ୍ଚାୟତର ସବୁ ସରକାରୀ ଟଙ୍କାକୁ ପରିଚାଳନା କରୁଥିଲେ। ସରକାରୀ ଚେକ୍ ବୁକ୍, କ୍ୟାସ୍ ବୁକ ଏବଂ ଅନ୍ୟ କାଗଜପତ୍ରକୁ ଶ୍ରୀ ମିଶ୍ର ପରିଚାଳନା କରୁଥିଲେ। ଟଙ୍କା ଉଠାଇବା ପାଇଁ ଉଭୟ ସରପଞ୍ଚ ଏବଂ ପିଇଓଙ୍କ ଦସ୍ତଖତ ଦରକାର ପଡୁଥିବା ବେଳେ ଏହାକୁ ମଧ୍ୟ ଶ୍ରୀ ମିଶ୍ର ନକଲ କରି କାର୍ଯ୍ୟ ହାସଲ କରୁଥିଲେ। ସରପଞ୍ଚଙ୍କର ଦସ୍ତଖତକୁ ନକଲ କରି ସେ ପଞ୍ଚାୟତରୁ କୋଟିଏ ୩୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣପଡ଼ିଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ସମୀର କୁମାର ମିଶ୍ର ଏକ ନକଲି ପାସବୁକ ବର୍ତ୍ତମାନର ପିଇଓ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ।
ତେବେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଅଡିଟ ଚାଲିଥିବା ବେଳେ ପୂର୍ବତନ ପିଇଓ ନକଲି ପାସ୍ବୁ୍କ ଦେଖାଇଥିଲେ। ପଞ୍ଚାୟତରୁ ସେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରିଥିଲେ। ପୂର୍ବତନ ପିଇଓ ସମୀର କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ganjam