ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମଉଦା ଗ୍ରାମପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ସରକାରୀ କ୍ୱାର୍ଟରଟି ଦୀର୍ଘ ଦିନରୁ ଖାଲି ପଡିଥିବାରୁ ଭୁତକୋଠିରେ ପରିଣତ ହେବ ବୋଲି ବଡମଉଦା ଗ୍ରା.ପ ବାସୀନ୍ଦା ଗୁରୁତର ଅଭିଯୋଗ କରିଛନ୍ତି। ନିର୍ବାଚିତ ଗ୍ରାମପଂଚାୟତ ପ୍ରତିନିଧି ସରପଂଚମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ମାର୍ଗଦର୍ଶକ ଭାବେ ପିଇଓମାନଙ୍କ ମୁଖ୍ୟ କର୍ତ୍ତବ୍ୟ ଏତଦ୍ ବ୍ୟତୀତ ସରକାରୀ ଅର୍ଥର ଉଠାଣ ସମୟରେ ଉଭୟ ସରପଂଚ ଓ ପିଇଓ ମାନଙ୍କର ମିଳିତ ଦସ୍ତଖତର ଆବଶ୍ୟକ ପଡିଥାଏ।
ସବୁ ସମୟରେ ସରପଂଚମାନଙ୍କୁ ମାର୍ଗଦର୍ଶକ ଭାବେ ପିଇଓମାନଙ୍କୁ ଅବିହିତ କରାଯାଉଥିବା କାରଣରୁ ଗ୍ରାମ ପଂଚାୟତ ଶାସନର ସୁବନ୍ଦୋବସ୍ତ ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ସରକାର ପିଇଓମାନଙ୍କ ଲାଗି ସରକାରୀ କ୍ୱାଟର୍ସର ନିର୍ମାଣ କରିଛନ୍ତି। ଏହା ଦ୍ୱାରା ସରକାରଙ୍କ ସୁଶାସନ ସିଧାସଳଖ ପଂଚାୟତର ଗରିବ ଜନ ସାଧାରଣଟିଏ ପାଇ ପାରିବ ମାତ୍ର ସରକାରଙ୍କ ଉକ୍ତ ମହତ ଉଦ୍ଦେଶ୍ୟରେ ପିଇଓମାନେ ପ୍ରତିବନ୍ଧକ ସାଜିଥିବାର ଅଭିଯୋଗ ହୁଏ। ତଥ୍ୟ ଆଧାରରେ ରାଇରଙ୍ଗପୁର ବ୍ଲ୍କର ଅଧିକାଂଶ ପିଇଓ ଗ୍ରାମ ପଂଚାୟତ ନିକଟରେ ଥିବା ସରକାରୀ କ୍ୱାଟର୍ସରେ ରହୁନାହାନ୍ତି ଯାହାଫଳରେ ଆଭ୍ୟନ୍ତରୀଣ ଗ୍ରାମରୁ ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ ଆସିଥିବା ଗ୍ରାମବାସୀ ମାନେ ଘନ୍ଟା ଘନ୍ଟା ଧରି ପିଇଓଙ୍କୁ ଅପେକ୍ଷା କରିଥିବାର ପରିଲକ୍ଷିତ ହୁଏ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳେ ବଡମଉଦା ଗ୍ରା.ପ. ନିକଟରେ ଥିବା ପିଇଓଙ୍କ ସରକାରୀ କ୍ୱାଟରରେ।
କ୍ୱାଟର ସମ୍ମୁଖ ଫାଟକରେ ତାଲାଟିଏ ଝୁଲୁଛି ମାତ୍ର କ୍ୱାଟର ସମ୍ମୁଖ ଅଗଣାରେ ଗଛପତ୍ର ଉର୍ତି ହୋଇ ଏକ ଜଙ୍ଗଲ ଭ୍ରମ ସୃଷ୍ଟି କରୁଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଦୀର୍ଘଦିନରୁ ଗଛବୁଦା କଟା ନଯିବା ଫଳରେ ଛାତ ଉପରେ ମଧ୍ୟ ଘାସଗଛ ସବୁ ମୁଣ୍ଡ ଟେକିଲାଣି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବଣବୁଦାରେ ପରିପୂର୍ଣ୍ଣ ଉକ୍ତ କ୍ୱାଟର୍ସକୁ ଅନେକ ସମୟରେ ବିଷଧର ସର୍ପ ଯିବା ଆସିବା କରିଥାଆନ୍ତି।
ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପିଇଓମାନଙ୍କ ଲାଗି କ୍ୱାଟର୍ସର ନିର୍ମାଣ କଲେ। ମାତ୍ର ‘ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ ପିଇଓ କ୍ୱାର୍ଟରର ସଦୁପଯୋଗ କଲେ ନାହିଁ। ଗ୍ରାମ ପଂଚାୟତ ସ୍ତରରୁ ପରିବେଶ ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟ କରାଯାଏ ଏବଂ ଏଥି ନିମନ୍ତେ ମଶା ଦାଉରୁ ରକ୍ଷା ପାଇବା ପାଇଁ ଲଟାବୁଦା ଇତ୍ୟାଦି କଟା ଯିବାକୁ ଗ୍ରାମ ପଂଚାୟତରେ ଅର୍ଥର ବ୍ୟବସ୍ଥା ଥିବା ସତ୍ୱେ ବଡମଉଦା ପିଇଓଙ୍କ କ୍ୱାଟର ତାଙ୍କର ପାରିବାପଣିଆକୁ ପ୍ରଦର୍ଶନ କରେ। ଯେଉଁଠି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପିଇଓ କ୍ୱାଟର ସଫାସୁତୁରା ନାହିଁ ସେଠାରୁ ଗ୍ରାମ ପଂଚାୟତର ଅବସ୍ଥା ସହଜରେ ଅନୁମେୟ କରିହେବ।
ଏଠାରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ପିଇଓମାନେ ଜନସାଧାରଣଙ୍କ ସମସ୍ୟା ସହିତ କେତେ ସମ୍ବେଦନଶୀଳ। ଗାଁ ପରିମଳ ଧୋବା ତୁଠରୁ ଜଣା ପଡିବା ପରି ବଡମଉଦା ପିଇଓଙ୍କ ସରକାରୀ କ୍ୱାଟର ଦେଖିଲେ ସମୁଦୟ ବଡମଉଦା ଗ୍ରାମ ପଂଚାୟତର ପରିବେଶ ସୁରକ୍ଷା ବିଷୟରେ ଜାଣିହେବ।
ଏ ସମ୍ବନ୍ଧରେ ବଡମଉଦା ପିଇଓ ବୁଦେଇ ମାଝୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେବେ ପଂଚାୟତ ରାଜ ବ୍ୟବସ୍ଥା ସୁପରିଚାଳନା ପାଇଁ ବ୍ଲକର ସମସ୍ତ ପିଇଓମାନଙ୍କୁ ସେମାନଙ୍କ ଗ୍ରାମ ପଂଚାୟତ କ୍ୱାଟର୍ସରେ ରହିବା ସହିତ ସଫା ସୁତୁରା ରଖିବା ପାଇଁ ସାଧାରଣରେ ଦାବି ହେଉଛି।
Mayurbhanj