ରାଉରକେଲା: ରାଉରକେଲା ୨୦୧୪ ନଭେମ୍ବର ୧୪ ତାରିଖରେ ମହାନଗର ନିଗମ ମାନ୍ୟତା ପାଇଥିଲା। ପରବର୍ତ୍ତୀ ସମୟରେ ୱାର୍ଡ୍‌ସଂଖ୍ୟା ୩୧ରୁ ୪୦କୁ ବୃଦ୍ଧି ହୋଇଥିଲା। ଯଦ୍ବାରା ସହରବାସୀ ଉନ୍ନତମାନର ମୌଳିକ ସୁବିଧା ଓ ସେବା ପାଇବାକୁ ଆଶା ବାନ୍ଧି ବସିଥିଲେ। କିନ୍ତୁ ୧୨ ବର୍ଷ ହେଲା ଆଶା ପୂରଣ ହୋଇପାରୁନି। ଏହାର ମୁଖ୍ୟ କାରଣ ପାଲଟିଛି, ମହାନଗର ନଗର ନିର୍ବାଚନ ନ ହେବା। ନିଗମ କାର୍ଯ୍ୟାଳୟରେ ନିର୍ବାଚିତ ଜନପ୍ରତିନିଧି ନଥିବାରୁ ସହରବାସୀଙ୍କ ଭାଗ୍ୟ ପ୍ରଶାସନିକ ଅଧିକାରୀଙ୍କ ହାତରେ। ନ୍ୟାୟାଳୟରେ ମାମଲା ଥିବା ଆଳରେ ନିର୍ବାଚନ କରାଯାଉନଥିବାରୁ ଜନସାଧାରଣ ହକ୍‌ ପାଇବାରୁ ବଞ୍ଚିତ

Advertisment

ସହରବାସୀ ଶେଷଥର ପାଇଁ ୨୦୦୮ ମସିହାରେ ନିଜର ପ୍ରତିନିଧି ବାଛିଥିଲେ। ତତ୍କାଳୀନ ପୌରପାଳିକାର ଅବଧି ୨୦୧୩ ଅଗଷ୍ଟ ମସିହାରେ ଶେଷ ହୋଇଥିଲା। ଏହାର ପ୍ରାୟ ବର୍ଷକପରେ ରାଉରକେଲା ମହାନଗର ନିଗମରେ ପରିଣତ ହୋଇଥିଲା। ଇତିମଧ୍ୟରେ ୧୨ ବର୍ଷ ବିତିଲାଣି, କିନ୍ତୁ ନିର୍ବାଚନ ଆୟୋଜନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି। ଅବଶ୍ୟ, ମାମଲା ନ୍ୟାୟାଳୟରେ ରହିଛି। ମହାନଗର ନିଗମ ଘୋଷଣା ହେବାପରେ ସହର ଉପକଣ୍ଠସ୍ଥ ଜଗଦା ଓ ଝାଡ଼ତରଙ୍ଗ ପଞ୍ଚାୟତର କିଛି ଅଞ୍ଚଳକୁ ମିଶ୍ରଣ କରାଯାଇଥିଲା। କିନ୍ତୁ ଏହି ମିଶ୍ରଣକୁ କିଛି ଆଦିବାସୀ ସଂଗଠନ ପ୍ରତିବାଦ କରିବାସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଫଳରେ ୨୦୧୫ ମାର୍ଚ୍ଚ ମସିହାରେ ଉଚ୍ଚନ୍ୟାୟାଳୟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥି‌ଲେ। ଏହାସତ୍ତ୍ବେ ନିଗମର ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି କରାଯାଇଥିଲା। ଅପରପକ୍ଷରେ ୨୦୨୧ ମସିହାରେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ନିହାର ରାୟ ନିର୍ବାଚନ ଆୟୋଜନ ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ରିଟ୍ ପିଟିସନ୍ ଦାୟର କରିଥିଲେ। ପରେ ନ୍ୟାୟାଳୟ ପକ୍ଷରୁ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, ଏଯାଏ ରାଜ୍ୟ ସରକାର ପକ୍ଷ ରଖୁନାହାନ୍ତି କିମ୍ବା ମାମଲା ଉଚ୍ଛେଦ ପାଇଁ ପଦକ୍ଷେପ ନେଉନାହାନ୍ତି। ଗତ ବିଧାନସଭା ନିର୍ବାଚନବେଳେ ଆର୍‌ଏମ୍‌ସି ନିର୍ବାଚନ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ପ୍ରାୟ ସବୁ ଦଳର ପ୍ରାର୍ଥୀ ଏହି ପ୍ରସଙ୍ଗରେ ଭୋଟ୍‌ ମାଗିଥିଲେ। ରାଜ୍ୟରେ ସରକାର ବଦଳିବାପରେ ପୁଣିଥରେ ନିର୍ବାଚନ ଆଶା ସୃଷ୍ଟି ହୋଇଥିଲା। ଏମିତିକି ଗତ ମାର୍ଚ୍ଚ ମାସରେ ଖୋଦ୍‌ ନଗର ଉନ୍ନୟନ ମନ୍ତ୍ରୀ ଛଅ ମାସ ଭିତରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ତେବେ ଏଯାଏ ଏନେଇ ସାମାନ୍ୟ ଅଗ୍ରଗତି ହୋଇନି। ନିର୍ବାଚିତ ପ୍ରତିନିଧିଙ୍କ ସ୍ବର ପହଞ୍ଚିପାରୁନଥିବାରୁ ସହରବାସୀଙ୍କ ସମସ୍ୟାର ଅନ୍ତ ହେଉନି। ସହରର ଜନସ୍ୱାସ୍ଥ୍ୟ ଓ ପରିମଳ ବିପର୍ଯ୍ୟସ୍ତ ହେଲାଣି। ଦୁଇବର୍ଷ ପୂର୍ବେ ସହରରେ ହଇଜା ସଂକ୍ରମଣ ଯୋଗୁଁ ଏକାଧିକ ଜୀବନ ହାନୀ ଘଟିଥିବାର ନଜିର ରହିଛି। ନିୟମିତ ଆବର୍ଜନା ସଂଗ୍ରହ ସହ କଠିନ ଆବର୍ଜନା ପରିଚାଳନା, ସାର୍ବଜନୀନ ରାସ୍ତା ଓ ନାଳ ସଫେଇ ପ୍ରହସନ ପାଲଟିଛି। ଗତ ଜୁଲାଇ ମାସରେ ସହରର ବିଭିନ୍ନ ବସ୍ତିବାସୀ ଜଳବନ୍ଦୀ ହେବା, ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପଦାରେ ପକାଇ ଦେଇଥିଲା। ସହରବାସୀଙ୍କ ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବାବେଳେ ପ୍ରଶାସନିକ ଅଧିକାରୀ ଏକଛତ୍ରବାଦ ନୀତି ଆପଣେଇଥିବା ଅଭିଯୋଗ ହୁଏ।

ଆହୁରି ପଢ଼ନ୍ତୁ:Old Man Death Attack Elephant ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ, ମହିଳା ଗୁରୁତର

ଆମ ସରକାର ଏନେଇ ଯତ୍ନବାନ ଅଛନ୍ତି: ଧୀରେନ ସେନାପତି, ବିଜେପି ରାଜ୍ୟ ମୁଖପାତ୍ର

‘ବର୍ତ୍ତମାନ ଆର୍‌ଏମ୍‌ସି ନିର୍ବାଚନ ମାମଲା ନ୍ୟାୟାଳୟରେ ରହିଛି। ପୂର୍ବ ସରକାର ଏହି ପ୍ରସଙ୍ଗକୁ ହାଲୁକାଭାବେ ନେଉଥିଲେ। କିନ୍ତୁ ଆମ ସରକାର ଏନେଇ ଯତ୍ନବାନ ଅଛନ୍ତି। ନ୍ୟାୟାଳୟରେ ରାଜ୍ୟ ସରକାର ପକ୍ଷ ରଖିସାରିଛନ୍ତି। ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ।

ଧୀରେନ ସେନାପତି, ବିଜେପି ରାଜ୍ୟ ମୁଖପାତ୍ର


‘ଆର୍‌ଏମ୍‌ସି ନିର୍ବାଚନ ନିତାନ୍ତ ଆବଶ୍ୟକ ହେଲାଣି। ନିର୍ବାଚନ ହେଉନଥିବାରୁ ଜନସାଧାରଣ ବହୁ ସୁବିଧାରୁ ବଞ୍ଚିତ। ଜନତାଙ୍କ ସମସ୍ୟାର ସମାଧାନ ହେଉନି। ପ୍ରକୃତରେ ଆର୍‌ଏମ୍‌ସିରେ ଅଫିସର୍‌ ରାଜ୍‌ ଚାଲିଛି। ସେମାନେ ମନମାନି କରୁଛନ୍ତି। ଏସବୁର ଅନ୍ତ କରିବାକୁ ହେଲେ ନିର୍ବାଚନ ଏକମାତ୍ର ବିକଳ୍ପ।
ନୀହାର ରାୟ, ପିଟିସନ୍‌ କର୍ତ୍ତା

ଆହୁରି ପଢ଼ନ୍ତୁ:Indian Railways: ୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ରେଳ ବଜେଟ୍ ଆବଣ୍ଟନ କରାଯାଇଛି: କେନ୍ଦ୍ରମନ୍ତ୍ରୀ

‘ମାମଲା ନ୍ୟାୟାଳୟରେ ଥିବାରୁ ନିର୍ବାଚନ ସମ୍ଭବ ହେଉନି। ତେବେ ରାଜ୍ୟ ସରକାର ବି ସଦିଚ୍ଛା ପ୍ରକାଶ କରୁନାହାନ୍ତି। ଯଦିଓ ବର୍ତ୍ତମାନ ୱାର୍ଡସଂଖ୍ୟା ୪୦କୁ ବୃଦ୍ଧି କରାଯାଇଛି, ତେବେ ଏବେବି ୪ଟି ୱାର୍ଡ, ଯଥା-ୱାର୍ଡ୍‌ ନଂ-୧, ୨, ୩ ଓ ୮ରେ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନି। ସ୍ଥାନୀୟ ମହଲରୁ ବିରୋଧ କରାଯାଉଥିବାରୁ ବଡ଼ ପ୍ରକଳ୍ପ ସ୍ଥାପନ ହୋଇପାରୁନି।

ଗଗନ ପଣ୍ଡା, ବରିଷ୍ଠ ବିଜେଡି ନେତା


‘‌ବର୍ଷକ ଭିତରେ ଆର୍‌ଏମ୍‌ସି ନିର୍ବାଚନ ଆୟୋଜନ କରିବାକୁ କୁହାଯାଇଥିଲା, କିନ୍ତୁ ତାହା ବାସ୍ତବ ରୂପ ନେଇପାରୁନି। ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ନିର୍ବାଚନର ବାଟ ଫିଟିପାରୁନି। ଲୋକ ପ୍ରତିନିଧି ରହିଲେ ସେମାନଙ୍କ ସ୍ବର ପହଞ୍ଚିପାରନ୍ତା। ତେବେ ଆର୍‌ଏମ୍‌ସିରେ ଜନପ୍ରତିନିଧି ନ ଥିବାରୁ ମୌଳିକ ସେବା ପାଇବାରୁ ବଞ୍ଚିତ। ପୂର୍ବ ସରକାରଭଳି ଏବେ ମଧ୍ୟ ରାଜନେତାଙ୍କ ପ୍ରତିନିଧି ଓ ଅଫିସର ମିଳିମିଶି ଏକଛତ୍ରବାଦ ନୀତି ଆପଣେଇଛନ୍ତି।
ବୀରେନ୍ଦ୍ର ନାଥ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା