ଆଜିକାଲି ଭୋଜି ଖାଇବାକୁ ଗଲେ ସବୁଠି ବଫେ ବ୍ୟବସ୍ଥା। ଠିଆରେ ଠିଆରେ କାଗଜ ଉପରେ ଜରି ଲଗା ହୋଇଥିବା ଥାଳିରେ ମାଗି ଖାଇବାକୁ ହୁଏ। ବୁଢ଼ା ଲୋକଙ୍କ ପାଇଁ କାଁଭାଁ ଦୁଇଚାରିଟା ଚେୟାର ପଡ଼ିଥାଏ, ନ ହେଲେ ନାହିଁ। କିନ୍ତୁ ଏହା ଆମର ପରମ୍ପରା ନୁହେଁ। ଠିଆଠିଆ ଖାଇବା, ଠିଆ ହୋଇ ପାଣି ପିଇବା ଓ ଠିଆ ହୋଇ ମଳମୂତ୍ର ତ୍ୟାଗ କରିବା ସ୍ବାସ୍ଥ୍ୟ, ଆୟୁ ଓ ପରମ୍ପରାର ବିରୋଧୀ।
ସେଇ ଖାଦ୍ୟ ଆମ ଶରୀର ପାଇଁ ହିତକର, ଯାହା ସ୍ବାସ୍ଥ୍ୟକର ହୋଇଥାଏ, ପୋଷକତତ୍ତ୍ବରେ ପରିପୂର୍ଣ୍ଣ ଥାଏ, ପାଟିକୁ ସୁଆଦିଆ ଲାଗେ ଏବଂ ଖାଇବା ବେଳେ ମନ ପ୍ରଫୁଲ୍ଲ ଥାଏ ଓ ଭୋକ ବି ଥାଏ। ଭୋକ ନ ଥାଇ ଅଧିକ ତେଲମସଲାଯୁକ୍ତ ଖାଦ୍ୟ ଠିଆଠିଆ ଖାଇଲେ ତାହା ଆମ ଶରୀରରେ ଅମ୍ଳପିତ୍ତ ବୃଦ୍ଧି କରେ। ପୁଣି ନିୟମିତ ଭାବେ ଠିଆ ହୋଇ ପାଣି ପିଇଲେ ପରବର୍ତ୍ତୀ ସମୟରେ ତାହା ଆମ କିଡ୍ନୀକୁ ଖରାପ କରିଥାଏ। ପାଣି ସବୁବେଳେ ତଳେ ବସି ଧୀରେଧୀରେ ପିଇବା ଉଚିତ। ତା’ହେଲେ ପାଣି ସହ ଆମ ପାଟିରୁ ଝରୁଥିବା ଲାଲ ବା ପାଚକରସ ମିଶି ପେଟ ଭିତରକୁ ଯାଇ ଅମ୍ଳତାକୁ କମାଇଥାଏ। ତେଣୁ ଆୟୁର୍ବେଦ ଶାସ୍ତ୍ରରେ ଠିଆ ହୋଇ ଖାଇବା ଓ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଛି।
ପରାଶର ସଂହିତାରେ ଅଛି-
ଭୁଞ୍ଜାନୋ ହି ଯଦା ବିପ୍ରଃ ପାଦଂ ହସ୍ତେନ ସଂସ୍ପୃଶେତ୍।
ଉଚ୍ଛିଷ୍ଟଂ ହି ସ ବୈ ଭୁଂକ୍ତେ ଯୋ ଭୁଂକ୍ତେ ମୁକ୍ତଭୋଜନେ।।
ପାଦୁକାସ୍ଥୋ ନ ଭୁଞ୍ଜୀତ ପର୍ଯ୍ୟଙ୍କେ ସଂସ୍ଥିତୋଽପି ବା।
ଶୁନାଚାଣ୍ଡାଳଦୃଷ୍ଟୋ ବା ଭୋଜନଂ ପରିବର୍ଜୟେତ୍।।
ଅର୍ଥାତ୍ ଭୋଜନ କରିବା ସମୟରେ ବାମ ହାତ ପାଦରେ ଲଗାଇବା ମନା। ବାମ ହାତରେ ଭୋଜନ ପାତ୍ର ଧରି ଡାହାଣ ହାତରେ ଭୋଜନ କରିବା ମନା। କଲେ ତାହା ଉଚ୍ଛିଷ୍ଟ ଭୋଜନ କରିବା ସଦୃଶ ହୁଏ। ଚରଣରେ ପାଦୁକାଯୁକ୍ତ ହୋଇ ବା ଚପଲ ପିନ୍ଧି ବା ଖଟ ଉପରେ ବସି ଭୋଜନ କରିବ ନାହିଁ। ଯେବେ ଭୋଜନକାଳରେ କୁକୁର ଦ୍ବାରା ଦୃଷ୍ଟ ହୁଏ, ତା’ହେଲେ ସେ ଭୋଜନ ପରିତ୍ୟାଗ କରିବ। ପରିତ୍ୟାଗ କରିବ ମାନେ ସେହି ଖାଦ୍ୟକୁ ସେହି କୁକୁରକୁ ଖାଇବାକୁ ଦେବ। କାରଣ ସେ ଭୋକିଲା ଥିବାରୁ ଖାଦ୍ୟ ଉପରେ ନଜର ପକାଇଥିଲା ଓ ସେ ଖାଦ୍ୟ ପ୍ରତି ତା’ର ଲୋଭ ସୃଷ୍ଟି ହୋଇଥିଲା।
ଠିଆରେ ମଳମୂତ୍ର ତ୍ୟାଗ କରିବା ମଧ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଆମ ଗୁରୁଦେବ କହିଛନ୍ତି- ‘‘ଠିଆରେ ହଗା ପରିସ୍ରା କରା ଏ ଦୁଇ ମସ୍ତ କୁ-ଅଭ୍ୟାସ। ସ୍ନାୟୁ ଶିଥିଳ କ୍ଳୈବ୍ୟ ଆସେ ହୋଇ ହିଁ ଥାଏ ବ୍ୟାଧିର ଦାସ।।’’ ଠିଆ ହୋଇ ନିୟମିତ ପରିସ୍ରା କଲେ ଆମର ସ୍ନାୟୁତନ୍ତ୍ରଗୁଡ଼ିକ ଦୁର୍ବଳ ଓ ଶିଥିଳ ହୋଇପଡ଼ନ୍ତି। ତେଣୁ ସ୍ନାୟୁ-ଜନିତ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼େ। କିନ୍ତୁ ବସ୍ଷ୍ଟାଣ୍ଡ, ରେଳଷ୍ଟେସନ, ଅଫିସ୍ ପ୍ରଭୃତି ସାର୍ବଜନୀନ ସ୍ଥାନରେ ଠିଆ ହୋଇ ପରିସ୍ରା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। କାରଣ ସେସବୁ ସ୍ଥାନରେ ବସି ପରିସ୍ରା କରିବାର ସୁବିଧା ହିଁ ନ ଥାଏ। ଯଦି ଥାଏ, ତେବେ ସେସବୁ ସ୍ଥାନରେ ବସି ପରିସ୍ରା କଲେ ସଂକ୍ରମଣ ହେବାର ଭୟ ଥାଏ। ଏଣୁ ବାହାରେ ସର୍ବସାଧାରଣ ସ୍ଥାନରେ ଠିଆ ହୋଇ ପରିସ୍ରା କଲେ ମଧ୍ୟ ନିଜ ଘରେ ବସି ପରିସ୍ରା କରିବାର ବ୍ୟବସ୍ଥା କରିବା ଉଚିତ।