ନବରଙ୍ଗପୁର: ପ୍ରତ୍ୟେକ ଦିନ ନବରଙ୍ଗପୁର ଜିଲ୍ଲାରୁ ଶହଶହ ଲୋକେ ହାଇଦ୍ରାବାଦ, ବିଜୟୱାଡା, ଅମରାବତୀ, ଚେନ୍ନାଇ, କେରଳ, ନାଗପୁର, ପୁଣେ ଆଦି ଅଂଚଳକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଖାସ୍ କରି ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକରୁ ନାବାଳକଙ୍କ ଠାରୁ ଆରମ୍ଭ କରି ସବୁ ବୟସ ବର୍ଗର ଯାଉଛନ୍ତି। ଏତେ ସଂଖ୍ୟକ ଲୋକେ ପ୍ରତ୍ୟେକ ଦିନ ସରକାରୀ ଓ ବେସରକାରୀ ବସ୍‌ରେ ଯାଉଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ କାହା ନିକଟରେ ଏମାନେ ଯାଉଥିବା କିଛି ଖାତା ଖତିୟାନ ନାହିଁ।

Advertisment

ଏଭଳି କିଛି ତଥ୍ୟ କିମ୍ବା ବିବରଣୀ ରହୁନଥିବାରୁ ବହୁ ସମୟରେ ବହୁ ଶ୍ରମିକ ବିଭିନ୍ନ ନିର୍ଯାତନାର ଶିକାର ହେବା, ବନ୍ଧକ ରହିବା ସହ ମରିବି ଯାଉଛନ୍ତି। ଏହାକୁ ରୋକିବା ପାଇଁ ମନରେଗାରେ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଜିଲ୍ଲାରେ ଦାଦନ ରୋକିବାରେ ବିଫଳ ଓ  ଶ୍ରମଦିବସ ସୃଷ୍ଟି କରିବାରେ ମଧ୍ୟ ଜିଲ୍ଲା ବହୁ ପଛରେ ପଡ଼ିଛି। କେବଳ ଶ୍ରମିକଙ୍କ ଜବକାର୍ଡ ଓ ଏଟିଏମ୍ କାର୍ଡ ହାତେଇ ଠିକାଦାର ଓ ସରକାରୀ କର୍ମଚାରୀ ମେସିନ୍ ଲଗାଇ ମନରେଗାରେ ବ୍ୟାପକ ଅନୁଦାନକୁ ହଡ଼ପ କରୁଛନ୍ତି।

ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଜିଲ୍ଲାର ୧୦ଟି ବ୍ଳକରେ ୬୪ଲକ୍ଷ ୬୨ ହଜାର ଶ୍ରମଦିବସ ସୃଷ୍ଟି କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ସେଥିରୁ ୫୨ ଲକ୍ଷ ୭୦ ହଜାର ୮୦୪ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ୧୧ ଲକ୍ଷ ୯୧ହଜାର ୧୯୬ ଶ୍ରମଦିବସ କମିଯାଇଛି। ଜିଲ୍ଲାର ୭ଟି ବ୍ଲକରେ ୬୦ ପ୍ରତିଶତରୁ ଅଧିକ ଲକ୍ଷ୍ୟ ପୂରଣ ହୋଇପାରିନାହିଁ।

ଅନ୍ୟପକ୍ଷରେ ଜିଲ୍ଲାର ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ଓ ଡାବୁଗାଁ ବ୍ଲକ୍‌ରେ ୧୨୫ରୁ ୧୫୨ ପ୍ରତିଶତ ଲକ୍ଷ୍ୟ ହାସଲ ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲାରେ ସବୁଠାରୁ ପଛରେ ପଡ଼ିଛି ଝରିଗାଁ ବ୍ଲକ୍। ଝରିଗାଁ ବ୍ଳକରେ ୯ ଲକ୍ଷ ୭ହଜାର ୪୦ ଶ୍ରମ ଦିବସର ଲକ୍ଷ୍ୟ ଥିବାବେଳେ ମାତ୍ର ୫୦.୯୩ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ଉମରକୋଟରେ ୮ ଲକ୍ଷ ୧୦ ହଜାର୪୦୮ ଲକ୍ଷ୍ୟଧାର୍ଯ୍ୟ ସ୍ଥାନରେ ୫୧.୪୧ ପ୍ରତିଶତ, ରାଇଘରରେ ୮ ଲକ୍ଷ ୧୧ ହଜାର୪୦୦ ରୁ ୫୧.୬୬ ପ୍ରତିଶତ, ନବରଙ୍ଗପୁରରେ ୪ ଲକ୍ଷ ୨୨ ହଜାର ୨୨୨ରୁ ୫୨.୧୪ ପ୍ରତିଶତ,କୋଷାଗୁମୁଡ଼ାରେ ୯ ଲକ୍ଷ ୩୬ ହଜାର ୪୧୪ରୁ ୬୬.୮୦ ପ୍ରତିଶତ, ନନ୍ଦାହାଣ୍ଡିରେ ୩ ଲକ୍ଷ ୫୫ ହଜାର ୮୨୪ରୁ ୮୮.୫୪ ପ୍ରତିଶତ, ଚନ୍ଦାହାଣ୍ଡିରେ ୫ ଲକ୍ଷ ୪୩ ହଜାର ୫୪୭ରୁ ୯୬.୮୬ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।

ତେନ୍ତୁଳିଖୁଣ୍ଟିରେ ୪ ଲକ୍ଷ ୩୪ ହଜାର ୬୩ରୁ ୧୨୫.୭୩ ପ୍ରତିଶତ, ପାପଡ଼ାହାଣ୍ଡିରେ ୮ ଲକ୍ଷ ୩୧ ହଜାର ୭୯୭ରୁ ୧୩୩.୯୯ ପ୍ରତିଶତ, ଡାବୁଗାଁରେ ୪ ଲକ୍ଷ ୮ ହଜାର ୯୨୪ରୁ ୧୫୨.୯୨ ପ୍ରତିଶତ ଲକ୍ଷ୍ୟ ହାସଲଠାରୁ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇଛି। ତୃଣମୂଳସ୍ତରେ ଯୋଜନାକୁ ସଫଳ ରୂପାୟନ ପାଇଁ ଅଧିକରୁ ଅଧିକ ଶ୍ରମିକ ନିୟୋଜିତ କରାଯାଇପାରିବ, ସେଥିଲାଗି ସ୍ବତନ୍ତ୍ର ଯୋଜନା କରିଯିବ  ବୋଲି କହିଛନ୍ତି ଜିଲ୍ଲା ପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରୱାନ। 

Nabarangpur