ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ମଗରଗୁଡ଼ା ଗ୍ରାମରେ ଗତରାତିରେ ହାତୀ ଉପଦ୍ରବ ଆତଙ୍କ ସୃଷ୍ଟି କରିଛି। ଦଣ୍ଡେରିପାଙ୍ଗା ଗ୍ରାମର ବଚନ ପ୍ରଧାନଙ୍କ ଘରକୁ ଗତ ଦୁଇ ଦିନ ତଳେ ଆଂଶିକ ଭାଙ୍ଗିଥିଲା ହାତୀ। ଏହାକୁ ପୁଣି ଗତକାଲି ଟାର୍ଗେଟ କରି ଅନେକ ଜିନିଷ ଧ୍ୱଂସ କରିଦେଇଛି। ଘରର ଆଲମାରି, ବାସନ, ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୁରମାର୍ କରିଦେଇଛି।

Advertisment

ଭୋର ୪ଟା ସମୟରେ ମଗରଗୁଡ଼ା ଗ୍ରାମର କିଟୁ ପ୍ରଧାନ, ଗୀତା ପ୍ରଧାନ, ଖଗେଶ୍ୱର ପ୍ରଧାନଙ୍କ ସମେତ ତାଙ୍କ ପରିବାରର ମିନତି, ରାଜ, ବିରୁନ, ଲିଙ୍କନ, ରିତୁନ, ସୁପ୍ରିୟା, ନୀତିନ ଓ ଆନିଶା ପ୍ରଧାନଙ୍କ ଘର ଉପରେ ହାତୀ ଆକ୍ରମଣ କରିଥିଲା। ପରେ ଗୁହାଳ ଭାଙ୍ଗି ଏକ ଗାଈକୁ ଆକ୍ରମଣ କରି ମାରିଦେଇ ଥିଲା। ଗୁହାଳ ମଧ୍ୟରେ ବନ୍ଧା ହୋଇଥିବା ୩ଟି ଗାଈ ମଧ୍ୟରୁ ଗୋଟିଏ ଗାଈକୁ ହାତୀ ନିଜ ଦାନ୍ତରେ ଆକ୍ରମଣ କରି ଜୀବନରେ ମାରି ଦେଇଥିବା ବେଳେ। ଅନ୍ୟ ଦୁଇଟି ଗାଈ ଭୟରେ ଖସି ପଳାଇ ଯାଇଥିଲେ। ପରେ ଘର ପଛ ପଟରେ ଥିବା କଦଳୀ ଗଛ ଉପରେ ହାତୀ ଭୟଙ୍କର ଉତ୍ପାତ ଚାଳାଇ ମୂଳ ସ‌ହିତ ଧ୍ୱଂସ କରି କଦଳୀ ସବୁ ଖାଇଥିଲା।ପରେ ଘର ଭିତରକୁ ପସିବାକୁ ଚେଷ୍ଟା କରି ଥିଲେ। ହାତୀ ଅଧିକ ଖାଦ୍ୟ ଆଶାରେ ଘରର କବାଟ ଠେଲି ଭିତରକୁ ପସିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୁହା ଦ୍ୱାର ଥିବା ଯୋଗୁଁ ସେଠାରେ ପସିପାରିନଥିଲେ। ଏହି ଘରରେ ବୟସ୍କ ଖଗେଶ୍ୱର ପ୍ରଧାନ (୮୦) ଦ୍ୱାର ନିକଟରେ ସୋଇଥିଲେ। ଘର ଲୋକ କହିଛନ୍ତି ଯେ, ଦ୍ୱାର ଭାଙ୍ଗିଥିଲେ ବୃଦ୍ଧ ମରିଯାଇଥାନ୍ତେ।

1002305027

ଦୁଇ ପରିବାରର ୧୨ ଜଣ ସଦସ୍ୟ ହାତୀ ଉପଦ୍ରବ ଦେଖି ଭୟରେ ପ୍ରାଣ ବଞ୍ଚାଇବା ପାଇଁ ଚତୁରତା ସ‌ହିତ ଜଙ୍ଗଲ ଆଡ଼କୁ ପଳାଇଯାଇଥିଲେ। ହାତୀ ପରେ ନିଜ ଉପଦ୍ରବ ସାରି ପୁଣି ଜଙ୍ଗଲ ପଥକୁ ଫେରିଗଲା।


ଖବର ପାଇ ଘଟଣାସ୍ଥଳକୁ ବନ ବିଭାଗର ଫରେଷ୍ଟ ଗାର୍ଡ ମନୋଜ କୁମାର ମହାପାତ୍ର, ଫରେଷ୍ଟର ପ୍ରଶାନ୍ତ କୁମାର ସାହୁ ଓ ଅନ୍ୟ କର୍ମଚାରୀ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ମୃତ ଗାଈର ପୋଷ୍ଟମର୍ଟମ ପାଇଁ ପଶୁ ଚିକିତ୍ସାଳୟ ସ‌ହିତ ଯୋଗାଯୋଗ କରାଯାଇଛି। ଏହି ଉପଦ୍ରବ ନିମନ୍ତେ ଗ୍ରାମବାସୀ ବନ ବିଭାଗ ନିକଟରେ କ୍ଷତି ପୂରଣ ଦାବି କରିଛନ୍ତି ଓ ହାତୀ ଉପଦ୍ରବ ରୋକିବା ପାଇଁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

1002305502

ଅନ୍ୟପକ୍ଷରେ କଳିଙ୍ଗା ପଞ୍ଚାୟତର କୁରୁମିଙ୍ଗିଆ ନିକଟ ରାଇପଦା ନିକଟରେ ଥିବା ଜମିରେ ଲାଗିଥିବା ଧାନତଳି ବିଲରେ ପଶି ତଳିଗୁଡ଼ିକ ଦଳି ନଷ୍ଟ କରିଦେଇଥିବା ଦେଖୁବାକୁ ମିଳିଛି। ଚାଷୀକୁଳ ହାତୀ ଉପଦ୍ରବରେ ତ୍ରାହିତ୍ରାହି ଡାକ ଦେଲେଣି। ବନବିଭାଗକୁ ନେହୁରା ହେଲେଣି ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ। ହେଲେ ବନ ବିଭାଗ ନାଚାର କରିବ କଣ? ହାତୀ ତ ଆମ୍ବ, ପଣସ ମୋହରେ ପଡ଼ି ସ୍ଥାନୀୟ ଅଞ୍ଚଳର ଜଙ୍ଗଲ ଛାଡ଼ିବା ବଦଳରେ ଅଧିକ ଅଞ୍ଚଳ ବୁଲିବାରେ ଲାଗିଲାଣି। ସମସ୍ତଙ୍କ ନିଦ ହଜେଇ ଦେଲାଣି। ହାତୀ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବନବିଭାଗ କର୍ମଚାରୀ ଖାଇବା ପିଇବା ଭୁଲି ଗଲେଣି। ସଞ୍ଜ ନଇଁଲେ ବିଦ୍ୟୁତ କାଟ। ବିଦ୍ୟୁତ କଟିଲେ ଅଞ୍ଚଳବାସୀଙ୍କ ମନରେ ହାତୀ ଭୟ ଆସୁଛି। କେମିତି ସୁରକ୍ଷିତ ରହିବେ ନିଜ ଜମିରେ ସୁନାର ଫସଲକୁ କିଭଳି ସୁରକ୍ଷିତ ରଖିବେ।