ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳକୁ ଯିବାକୁ ହେଲେ ଆଜି ବି ଦେଶୀ ଦଦରା ଡଙ୍ଗା ଉପରେ ହିଁ ନିର୍ଭର କରିବାକୁ ପଡୁଛି। ସ୍ବାଭିମାନ ଅଂଚଳର ବହୁ ସ୍ଥାନକୁ ରାସ୍ତା ହୋଇନଥିବା ଯୋଗୁଁ ବାଧ୍ୟ ହୋଇ ଏଭଳି ଦେଶୀ ଡଙ୍ଗାରେ ଯିବାକୁ ବାଧ୍ୟ ହେଉଛନ୍ତି। ଦେଶୀ ଡଙ୍ଗା ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ଜିନିଷ ଏବଂ ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବାକୁ ହେଲେ ଏହି ଗୋଟିଏ ମାଧ୍ୟମ। ଅନ୍ୟପଟେ ପ୍ରୋଜେକ୍ଟ ତରଫରୁ ଲଞ୍ଚଗୁଡିକ ଚାଲିଥିଲେ ମଧ୍ୟ ଏହା ନିୟମିତ ଚାଲୁନଥିବା ଲୋକେ ହିନସ୍ତା ହେଉଥିବା ଦେଖିବାକୁ ମିଳିଛି।
ଚିତ୍ରକୋଣ୍ଡାର ସ୍ପିଲୱେ ଘାଟରୁ ବାଲିମେଳା ଜଳଭଣ୍ଡାର ଆରପଟେ ବା ସ୍ବାଭିମାନ ଅଂଚଳରେ ରହିଥିବା ଶହେରୁ ଊର୍ଦ୍ଧ୍ବ ଗ୍ରାମକୁ ଯିବାକୁ ହେଲେ ପାଣି ବାଟ ଦେଇ ହିଁ ଯିବାକୁ ପଡ଼ିଥାଏ। ସ୍ପିଲୱେରୁ ଆଲମପାକା ଘାଟ ହେଉ ବା ଯନ୍ତ୍ରୀ କିମ୍ବା ସିନ୍ଧିପୁଟ ଘାଟକୁ ହେଉ ଏହି ଦେଶୀ ଡଙ୍ଗା ହିଁ ଭରସା। ଲୋକେ ଡଂଗାରେ ଭର୍ତ୍ତି ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ମଟରସାଇକେଲଗୁଡିକ ମଧ୍ୟ ଡଂଗାରେ ଲଦାଯାଇ ପାର କରାଯାଉଛି। ସ୍ପିଲୱେରୁ ଆଲମପକା ଘାଟକୁ ଯିବାକୁ ହେଲେ ପ୍ରାୟ ୨୫ କିଲୋମିଟରରୁ ଊର୍ଦ୍ଧ୍ବ ଯିବାକୁ ପଡ଼େ।
ସେହିପରି ଯନ୍ତ୍ରୀ ଯିବାକୁ ହେଲେ ୭୦ କିଲୋମିଟରରୁ ଊର୍ଦ୍ଧ୍ବ ଯିବାକୁ ପଡ଼େ। ସିନ୍ଧିପୁଟ ଘାଟକୁ ଯିବାକୁ ହେଲେ ୫୦ କିଲୋମିଟରରୁ ଊର୍ଦ୍ଧ୍ବ ଯିବାକୁ ପଡ଼େ। ସବୁଠାରୁ ଦୁରସ୍ଥାନ ହେଉଛି ଯନ୍ତ୍ରୀ ପଞ୍ଚାୟତ। ସକାଳ ୧୦ଟାରେ ସ୍ପିଲୱେ ଘାଟ ଛାଡ଼ିଲେ ରାତି ୧୦ଟାରେ ସେଠାରେ ପହଞ୍ଚିବାକୁ ହୁଏ। ଝଡବର୍ଷା କିମ୍ବା ତୁଫାନ ଆସିଲେ ଦେଶୀ ଡଙ୍ଗା ବୁଡିବାର ସମ୍ଭାବନା ରହିଥାଏ। ବହୁ ସମୟରେ ଦେଶୀ ଡଙ୍ଗା ବୁଟି ବହୁ ଜୀବନ ହାନି ମଧ୍ୟ ହୋଇଛି।
ତେବେ ପ୍ରଶାସନ ଏସବୁ ଜାଣି ମଧ୍ୟ ଚୁପ ରହିବା ଲୋକଙ୍କ ଜୀବନ ସହ ଖେଳିବା ସହ ସମାନ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ପିଲୱେ ଘାଟରେ ଲଞ୍ଚଗୁଡିକ ପଡ଼ି ରହିଥିଲେ ମଧ୍ୟ ଏହାକୁ ନିୟମିତ ଚଲାଯାଉ ନାହିଁ। ଏନେଇ ପ୍ରୋଜେକ୍ଟର କନିଷ୍ଠ ଯନ୍ତ୍ରୀ ଆଗଷ୍ଟିନ ବାରଲାଙ୍କୁ ପଚାରିବାରୁ ସେ ତେଲ ନଥିବାରୁ ସମସ୍ୟା ଦେଖାଦେଇଥିଲା କହିଥିଲେ। କିନ୍ତୁ ପରେ ପୁଣି ଦିନେ ଦୁଇ ଦିନ ଚାଲୁନଥିବା ସ୍ବୀକାର କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ହେଲା ପ୍ରୋଜେକ୍ଟର କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଲୋକେ ଯେମିତି ଯାଉଛି ଯାଆନ୍ତୁ ବୋଲି କହୁଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ତହସିଲଦାର ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉନଥିବା ଲୋକେ କହିଛନ୍ତି। ପ୍ରୋଜେକ୍ଟ ବୁଝୁଥିବାରୁ ସେ କିଛି କରିପାରିବେ ନାହିଁ ବୋଲି କହୁଥିବା ଗାଜଲମାମୁଡି ସରପଞ୍ଚ ବଳରାମ ଗଲୋରୀ ଅଭିଯୋଗ କରିଛନ୍ତି। ତେବେ ଦେଶୀ ଦଦରା ଡଙ୍ଗା ଲୋକଙ୍କୁ କେତେ ସୁରକ୍ଷିତ ଦେବ ତାହା ସମୟ କହିବ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ପୁଣି ଲଞ୍ଚଗୁଡିକ ଦୁଇ ଘାଟଗୁଡ଼ିକକୁ ଗଲେ ଲୋକେ ସହଜରେ ନିଜର ଘରକୁ ପହଞ୍ଚିପାରିବେ ବୋଲି କୁହାଯାଇଛି।
Malkangiri