ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ନଡ଼ପୁର, ମେର୍ଦ୍ଦା, ଅଁଳା, ମୋହନପୁର, କ୍ଷୀରପଦା ତଥା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀ ଓ ବଡ଼ସାହି ଆଖପାଖ ଅଞ୍ଚଳର ଜଙ୍ଗଲରେ ଗୁଳ୍ମ ଜାତୀୟ ବଇଁଚ କୋଳି (କଣ୍ଟେଇ କୋଳି) ଗଛ ବହୁ ପରିମାଣରେ ରହିଛିl ବନବାସୀ ତଥା ଅଞ୍ଚଳର ଗରିବ ଶ୍ରେଣୀର ଲୋକମାନେ ବହୁ କଷ୍ଟରେ ଜଙ୍ଗଲ ବୁଲି ଏହି କୋଳି ସଂଗ୍ରହକରି ପ୍ରାୟ ୧୦ରୁ ୧୫ କି.ମି ଦୂର ବୈଶିଙ୍ଗା ବଜାରକୁ ଆଣି ରାସ୍ତାପାର୍ଶ୍ୱରେ ବସି ବିକ୍ରି କରୁଛନ୍ତି। ଏଥିରୁ ରୋଜଗାର କରୁଛନ୍ତି। ସେଥିରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି l 

Advertisment

ଜଙ୍ଗଲିଆ ଜମି ପାର୍ଶ୍ୱରେ ଖରାଟି ଚାଷ ସମୟରେ ବିଲରେ ଖଟୁଥିବା ଚାଷୀ ଯେତେ ବେଳେ କେଉଁ ଛାଇ ଜାଗାକୁ ଆସି ଟିକେ ବସିପଡ଼େ, ସେତେବେଳେ ଭୋକିଲା ପେଟକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସେ ପାଖରେ ହୋଇଥିବା ଏହି କଣ୍ଟାଯୁକ୍ତ ବୃକ୍ଷର ଫଳ, ବଇଁଚ କୋଳି (କଣ୍ଟେଇ କୋଳି)କୁ ଖାଇ କେତେବେଳେ କେତେବେଳେ କ୍ଷୁଧା ମେଣ୍ଟାଏ। ଏହି କୋଳିର ଏକ ବିଶେଷ ମହତ୍ତ୍ୱ ହେଉଛି ଏହା କେବଳ ବିଲରେ ଏବଂ ବଣରେ ହିଁ ହୋଇଥାଏ।

ଖରାଦିନେ ହେଉଥିବା ଏହି ଖଟାମିଠା ଯୁକ୍ତ ବଇଁଚ କୋଳି ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ। ସୁନ୍ଦର ଗୋଲାପ ଫୁଲ ଯେମିତି କଣ୍ଟାଯୁକ୍ତ ଗଛରୁ ହିଁ ମିଳିଥାଏ, ଏହି ସ୍ୱାଦିଷ୍ଟ କୋଳି ବି ସେମିତି କଣ୍ଟକ ବୃକ୍ଷରୁ ମିଳେl ବୈଶିଙ୍ଗା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଜାଗାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକ ଏହାକୁ ମାଳ ବନେଇ ପିନ୍ଧୁଥିବା ଓ  ବିକ୍ରି କରୁଥିବାର ମଧ୍ୟ ଅନେକ ସମୟରେ ଦେଖାଯାଏ l ବଜାରରେ ମିଳୁଥିବା ଦାମୀ ଦାମୀ ବିଭିନ୍ନ କୋଳି ଭିତରେ ବି ଗ୍ରୀଷ୍ମଋତୁରେ ଫଳୁଥିବା ବଇଁଚ କୋଳି ଖାଇବାକୁ ଯେପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେପରି ହିତକର, ଯୋଉଁଥିପାଇଁ ଆଜି ବି ଗ୍ରାମାଞ୍ଚଳର ଲୋକ ଏହି କୋଳିକୁ ଆଦରରେ କିଣି ନେଇଯାଉଛନ୍ତି ଘରକୁl ଭଲ ବିକ୍ରି ହେଉଥିବାରୁ ଏହା ବେତନଟୀ ବ୍ଲକ ଅଧୀନ ଅନେକ ଗରିବ ଆଦିବାସୀ ଶ୍ରେଣୀର ଲୋକଙ୍କ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇପାରୁଛିl

ବୈଶିଙ୍ଗା ବଜାରରେ ଏହି କୋଳି ବିକି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ୫୨ବର୍ଷୀୟ ମୁରଲୀ ଦେହୁରୀଙ୍କ କହିବା ମୁତାବକ ସେ ପ୍ରତ୍ୟେକ ଦିନ ଉପରଓଳି ସେ ତାଙ୍କ ପରିବାର ଲୋକଙ୍କ ସହିତ ଜଙ୍ଗଲରୁ ଜଙ୍ଗଲ ବୁଲି ଗୁଳ୍ମ ବୁଦାରୁ ଦୈନିକ ୧୦ରୁ ୧୫କିଲୋ କୋଳି ସଂଗ୍ରହ କରି ତହିଁ ପରଦିନ ସକାଳରୁ ବଜାରକୁ ଧରି ଚାଲିଆସନ୍ତି ଓ କିଲୋ ପ୍ରତି ପ୍ରାୟ ୧୫୦ଟଙ୍କା ଦରରେ ଗ୍ରାହକଙ୍କୁ ବିକ୍ରୟ କରିଥାନ୍ତିl ଅପରାହ୍ନ ସୁଦ୍ଧା ସେସବୁକୁ ବିକ୍ରି କରି ସେ ବେଶ ଲାଭବାନ ହେବାସହିତ ସାଙ୍ଗରେ ୧୫୦୦ରୁ ୨୦୦୦ପର୍ଯ୍ୟନ୍ତ ଟଙ୍କା ଧରି ଘରକୁ ଫେରନ୍ତିl

ଜଙ୍ଗଲ ଓ ଗୁଳ୍ମଜାତୀୟ ବୃକ୍ଷ କ୍ଷୟକ୍ଷତିର ଭରଣା କରାଯାଇପାରୁନଥିବାରୁ ଧୀରେଧୀରେ ବଇଁଚ କୋଳି ଲୋପପାଇବାକୁ ବସିଛି ବୋଲି ବରିଷ୍ଠ ପ୍ରଶାନ୍ତ ପଣ୍ଡା କହିଛନ୍ତି l

publive-image

ତେବେ ସେ ଏହି ସମୟରେ ଜଙ୍ଗଲରୁ ଚାରକୋଳି ସଂଗ୍ରହ କରି ମଧ୍ୟ ସେ ଭଲ ରୋଜଗାର କରନ୍ତିl ଆଗରୁ ଚାରକୋଳି ବଇଁଚକୋଳି ବହୁ ପରିମାଣରେ ମିଳୁଥିଲା l ତେବେ ଖଣିଖାଦାନ, ପୋଡୁଚାଷ, ଜଙ୍ଗଲପୋଡ଼ି, ଜଙ୍ଗଲ ଜବରଦଖଲ ଆଦି କାରଣରୁ ଗଛ ଓ ବୁଦା ପଦା ହୋଇଗଲାଣି l ଏହି କୋଳି ସହ ଅନ୍ୟାନ୍ୟ ଫଳମୂଳ ମଧ୍ୟ ମିଳୁନାହିଁ l ଯୋଉଁଥିପାଇଁ ବନବାସୀ ଆଦିବାସୀଙ୍କ ଜୀବିକା ଉପରେ କୁପ୍ରଭାବ ପଡୁଛି ବୋଲି କୋଳି ବିକୁଥିବା ଶଶିକାନ୍ତ ସିଂ କହିଛନ୍ତିl ପ୍ରାକୃତିକ ପରିବେଶରେ ଏବଂ ଜଙ୍ଗଲରେ ଆପେ ଆପେ ଏହା ବଢୁଥିବାରୁ ଏହାର ସୁରକ୍ଷା କରିବା ନିତ୍ୟାନ୍ତ ଜରୁରୀl

Mayurbhanj