-ଦୁର୍ଘଟଣା ସ୍ଥଳରେ ଦେଢ଼ଘଣ୍ଟା ପଡ଼ିରହି ଛଟପଟ ହେଉଥିଲେ ୨ ଯୁବକ
-ମିଳିପାରିଲାନି ୧୧୨ ଓ ୧୦୮ ଆମ୍ୱୁଲାନ୍ସ ସେବା
-ଅଟୋରେ ମେଡିକାଲ ଗଲେ ଆହତ, ଡାକ୍ତରଖାନାରେ ଜଣେ ମୃତ ଘୋଷିତ
ରୁପ୍ରା: ରାଜ୍ୟ ସରକାର ବିକାଶର ଡେଙ୍ଗୁରା ବଜାଉଛନ୍ତି। ଡବଲ ଇଂଜିନ ସରକାରର ସ୍ଲୋଗାନ ଦେଉଛନ୍ତି। ତୃଣମୂଳ ସ୍ତରରେ ବିକାଶ କେମିତି ଚାଲିଛି, ତାହା ନିକଟରୁ ଦେଖିଲେ ହିଁ ଜଣାପଡୁଛି। କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ରୁପ୍ରା ଅଞ୍ଚଳରେ ଆଜି ଅପରାହ୍ଣରେ ଦୁଇ ଜଣ ବାଇକ୍ ଆରାହୀଙ୍କୁ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ଦୁଇ ଯୁବକ ଦେଢ଼ ଘଣ୍ଟା ଧରି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ସରକାରୀ ଆମ୍ବୁଲାନ୍ସର ସହାୟତା ପାଇଁ ୧୧୨ ଓ ୧୦୮କୁ ଫୋନ୍ କରିଥିଲେ। କିନ୍ତୁ ଏହି ଆମ୍ବୁଲାନ୍ସ ସେବା ମିଳିପାରି ନଥିଲା। ଶେଷରେ ଗୁରୁତରଙ୍କୁ ଏକ ଅଟୋରେ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ରୁପ୍ରା ପଞ୍ଚାୟତ ଅଧୀନ ମାଲପଡା ଠାରୁ ଭାୟା ପଲସାପଡ଼ା ଦେଇ ନର୍ଲା ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ମାତୁଲ୍ ସାଗୁଆନ୍ ବଣ ନିକଟ ବୁଲାଣିରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ (ଓଡି ୦୮ କ୍ୟୁ ୨୪୮୦)କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସାଡିଙ୍ଗତରା ଗ୍ରାମର କୁବେର କୁମାର ଓ ପ୍ରଦୀପ କୁମାର ଗୁରୁତର ଆହତ ଅବସ୍ଥାରେ ପଡିରହିଥିଲେ। ଏବାବଦରେ 'ସମ୍ୱାଦ' ପ୍ରତିନିଧି ଅଜୟ କୁମାର ସେନାପତି ଖବର ପାଇବା ପରେ ସାଢେ ୧୨ରେ ୧୧୨ ନମ୍ବରକୁ ଫୋନ୍ କରିଥିଲେହେଁ ସେଠାରେ ଆମ୍ୱୁଲେନ୍ସ୍ ପହଞ୍ଚି ପାରିନଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦୁଇ ଗୁରୁତର ପ୍ରାୟ ଦେଢ଼ ଘଣ୍ଟା ଛଟପଟ ଅବସ୍ଥାରେ ପଡିରହିଥିଲେ।
ସାଡିଙ୍ଗତରା ଗ୍ରାମର କୁବେର କୁମାର ନିଜର ଶଶୁର ଘର ଭୀମକେଲା ପଞ୍ଚାୟତ ଅଧିନ ପଲସାପଡା ଗ୍ରାମକୁ ଆସୁଥିଲେ। ସେ ନିଜର ଦୁଇବର୍ଷର ଛୋଟ ଶିଶୁ ଓ ପତ୍ନୀଙ୍କୁ ଭେଟିବା ପାଇଁ ପଲସାପଡା ଆସୁଥିଲେ। ମାତ୍ର ୩ କିମି ରାସ୍ତା ଅତିକ୍ରମ କରିଥିଲେ କୁବେର ନିଜ ସ୍ତ୍ରୀ ଓ ସନ୍ତାନକୁ ଦେଖା କରିପାରିଥାନ୍ତେ। ଏହା ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି କୁବେରଙ୍କ ଶଶୁର ଗଜରାଜ ସୁନା କହିଛନ୍ତି।
ଦୁର୍ଘଟଣା ସଂପର୍କିତ ସୂଚନା ପାଇଁ ସମ୍ପର୍କୀୟ ଲୋକେ ପହଞ୍ଚି ଏକ ଅଟୋରେ ଅଚେତ ଅବସ୍ଥାରେ ଥିବା କୁବେରକୁ ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିବା ଜଣାପଡିଛି। ସେହିପରି ଅନ୍ୟ ଗୁରୁତର ଥିବା ପ୍ରଦୀପ କୁମାରଙ୍କୁ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡିଛି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ କୁବେରଙ୍କୁ ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ମିଳିଥାନ୍ତା, ସମ୍ଭବତଃ ତାଙ୍କର ଜୀବନ ବଞ୍ଚି ଯାଇଥାନ୍ତା।