ଭୁବନେଶ୍ବର(ମହେନ୍ଦ୍ର ସାହୁ): ଓଡ଼ିଶାର ସବୁଜ ସୁନା ‘କେନ୍ଦୁପତ୍ର’ ସଂଗ୍ରହ କରିବାକୁ କେତେ କଷ୍ଟ ସେହିମାନେ ହିଁ ଜାଣନ୍ତି, ଯେଉଁମାନେ ଘଞ୍ଚ ଜଙ୍ଗଲ ଘେରା ପାହାଡ଼-ପର୍ବତ ଚଢ଼ି ଏହା ପତ୍ରଫଡ଼ି(ଗୋଦାମ)ରେ ପହଞ୍ଚାଇ ଥାନ୍ତି। ଏପ୍ରିଲ ଶେଷ ସପ୍ତାହ ଠାରୁ ଆରମ୍ଭ କରି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ତାପମାତ୍ରା ଯେତେବେଳେ ୪୦ ଡିଗ୍ରିରୁ ଅଧିକ ଥାଏ, ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇପଡ଼ିଥାଏ, ସେହି ସମୟରେ କେନ୍ଦୁପତ୍ର ତୋଳାଳୀମାନେ ନିଜସ୍ବ ଜମି, ଜଙ୍ଗଲ ଓ ପର୍ବତ ଉପରୁ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି। ଦେହରୁ ଗମ୍ଗମ୍ ଝାଳ ନିର୍ଗତ ହେଉଥିବା ବେଳେ ପିଇବା ପାଣି ଗରମ ହୋଇଯାଏ। ଜଙ୍ଗଲର ମାଛିଗୁଡ଼ିକ ମୁହଁରେ ବୁଲୁଥାନ୍ତି। ମହିଳାମାନେ ନିଜନିଜ ଛୋଟ ପିଲାମାନଙ୍କୁ ଘରେ ଛାଡ଼ି କେନ୍ଦୁପତ୍ର ସଂଗ୍ରହ ପାଇଁ ଯାଇଥାନ୍ତି। ପିଲାମାନେ ମା’ର ଫେରିବା ବାଟକୁ ଅପେକ୍ଷା କରିଥାନ୍ତି। ସତରେ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ତାକୁ ଫଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ବହୁ କଷ୍ଟ, ଯେଉଁମାନେ ଏହି କାମରେ ନିୟୋଜିତ ଅଛନ୍ତି, ସେମାନେ ହିଁ ଏହି ପରିଶ୍ରମର ମୂଲ୍ୟ ବୁଝିପାରନ୍ତି।
କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ନୂଆ ଜିଏସ୍ଟି ସ୍ଲାବ ଦ୍ବାରା ତୃଣମୂଳସ୍ତରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳୀ, ସାମୟିକ କର୍ମଚାରୀ ଏବଂ ବନ୍ଧାଳୀଙ୍କୁ ନୂଆ ଆଶା ମିଳିପାରେ। କେବଳ ଏତିକି ନୁହେଁ, କେନ୍ଦୁପତ୍ରରୁ ବିଡ଼ି ପ୍ରସ୍ତୁତ ହେଉଥିବାରୁ ଏହି କ୍ଷେତ୍ରରେ କାମ କରୁଥିବା କର୍ମଜୀବୀମାନଙ୍କ ପାଇଁ ମଧ୍ୟ ନୂଆ ଆଶା ଆସିପାରେ। ଏହି କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି, ସାମୟିକ କର୍ମଚାରୀ ଓ ବନ୍ଧାଳୀମାନେ ଉପକୃତ ହେବା ସହିତ ରାଜ୍ୟ ସରକାରଙ୍କ ରାଜସ୍ବ ମଧ୍ୟ ବଢ଼ିପାରେ। ଓଡ଼ିଶାର କେନ୍ଦୁପତ୍ର ବାହାର ରାଜ୍ୟରେ ଭଲ ଚାହିଦା ରହିଛି।
ଜିଏସ୍ଟିରେ ହ୍ରାସ ହେବା ଦ୍ବାରା କେନ୍ଦୁପତ୍ର ବିକ୍ରିରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ସରକାରଙ୍କୁ ରାଜସ୍ବ ଅଧିକ ମିଳିବ। ଏହା ଦ୍ବାରା କେନ୍ଦୁପତ୍ର ତୋଳାଳୀ, ସାମୟିକ କର୍ମଚାରୀ ଓ ବନ୍ଧାଳୀ ଉପକୃତ ହେବେ। ବିଗତ ୧୦ ବର୍ଷ ତୁଳନାରେ ଏବେ ପ୍ରାୟ ୨୦ରୁ ୩୦ ପ୍ରତିଶତ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇଛି। ଏଥିରେ ମଧ୍ୟ ସୁଧାର ଆଶିବାର ଆଶଙ୍କା ଦେଖାଯାଉଛି।
-କ୍ଷୀରୋଦ କୁମାର ବେହେରା, ଡିଏଫ୍ଓ, ରେଢ଼ାଖୋଲ (କେନ୍ଦୁପତ୍ର ଡିଭିଜନ), ସମ୍ବଲପୁର
ରାଜ୍ୟ ସରକାରଙ୍କୁ କେନ୍ଦୁପତ୍ରରୁ ଭଲ ରାଜସ୍ବ ମିଳିଥାଏ। ଏଥି ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ, ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥାନ୍ତି। ତେବେ ଜଳବାୟୁ ପରିବର୍ତ୍ତନ ହେଉ ଅଥବା ଅନ୍ୟ କାରଣରୁ କିଛି ବର୍ଷ ହେଲା କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ସରକାର ୨୦୧୫ ମସିହାରେ ୩.୭୫୮ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ଲକ୍ଷ୍ୟ ରଖିଥିଲେ। ଏଥି ପାଇଁ ୨୯୩.୮୪ କୋଟି ଟଙ୍କା ବଜେଟ୍ ରଖିଥିଲେ। ୨୦୨୪ ମସିହାରେ ୨.୪୫୨ ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ପାଇଁ ୫୨୦.୩୮ କୋଟି ଟଙ୍କା ବଜେଟ୍ ରଖିଥିଲେ।
ବର୍ଷ ଉତ୍ପାଦନ ଲକ୍ଷ୍ୟ (କୁଇଣ୍ଟାଲ) ଓ ଟଙ୍କା
୨୦୧୫ ୩.୭୫୮ ୨୯୩.୮୪
୨୦୧୬ ୩.୨୭୦ ୨୮୨.୩୦
୨୦୧୭ ୩.୫୫୯ ୩୩୮.୧୦
୨୦୧୮ ୨.୮୪୧ ୩୧୨.୯୩
୨୦୧୯ ୨.୦୩୩ ୨୫୬.୬୨
୨୦୨୦ ୧.୯୦୨ ୨୬୫.୪୪
୨୦୨୧ ୨.୬୫୦ ୩୬୫.୮୪
୨୦୨୨ ୨.୭୮୫ ୪୧୨.୮୪
୨୦୨୩ ୨.୬୫୨ ୪୦୫.୬୦
୨୦୨୪ ୨.୪୫୨ ୫୨୦.୩୮
ଓଡ଼ିଶାରେ କେନ୍ଦୁପତ୍ର: ରାଜ୍ୟର ୨୨ଟି ଜିଲ୍ଲା (ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କଟକ, ନୟାଗଡ଼, ଗଂଜାମ, ଫୁଲବାଣୀ, ବୌଦ୍ଧ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଂଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି)କୁ ନେଇ ୩ଟି କେନ୍ଦୁପତ୍ର ସାର୍କିଲ (କଟକ, ସମ୍ବଲପୁର ଓ ବଲାଙ୍ଗୀର) ରହିଛି। ଏଗୁଡ଼ିକୁ ୧୯ଟି ଡିଭିଜନରେ ଭାଗ କରାଯାଇଛି। ଏଥିରେ ୪୨ଟି ସବ୍ଡିଭିଜନ ଥିବା ବେଳେ ୧୪୯ଟି ରେଞ୍ଜ ରହିଛି। ରାଜ୍ୟରେ ପ୍ରିମିୟମ କ୍ବାଲିଟି, ଉଚ୍ଚଗୁଣାବତ୍ତା, ମଡେରେଟ ଓ ଫାଳ କେନ୍ଦୁପତ୍ର ଉତ୍ପାଦନ ହୋଇଥାଏ।
ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ, ସାମୟିକ କର୍ମଚାରୀ ଓ ବନ୍ଧାଳୀଙ୍କୁ ଗୁରୁତ୍ବ ଦେଉଛନ୍ତି। ସରକାର ଗତ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସରକାର କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଥିଲେ। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି। ସେହିପରି ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ଶତକଡା ୫ ହାରରେ ୪.୯୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨o୨୪-୨୫ ଆର୍ଥିକ ବର୍ଷରେ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି’ ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି।
ନୂତନ ଜିଏସ୍ଟି ଲାଗୁ ହେବା ଦ୍ବାରା ରାଜ୍ୟ ସରକାରଙ୍କ ଲାଭ ହେବ। ଏହା ଦ୍ବାରା ସରକାର ତୋଳାଳୀ ଓ ସାମୟିକ କର୍ମଚାରୀ, ବନ୍ଧାଳୀଙ୍କୁ ଅଧିକ ସହାୟତା ପ୍ରଦାନ କରିପାରନ୍ତି। ଓଡ଼ିଶାରୁ କେନ୍ଦୁପତ୍ର କୋଲକାତା ଓ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନୀ ହେଉଛି। ବର୍ତ୍ତମାନ ସରକାର ୧୦୦ କେରି (କେରି ପ୍ରତି ୨୦ଟି ପତ୍ର)କୁ ୧୬୦ ଟଙ୍କାରେ କିଣୁଛନ୍ତି। ନୂତନ ଜିଏସ୍ଟି ଲାଗୁ ହେଲା ପରେ ଏହାର ଦର ମଧ୍ୟ ଦର ବଢ଼ିଯାଇପାରେ। ଏତଦ୍ ବ୍ୟତୀତ ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ରହିଛି।
-ବିଦ୍ୟୁତ ରଂଜନ ବେହରା, ବନପାଳ, ବହଲପଦର ରେଂଜ, ରେଢ଼ାଖୋଲ କେନ୍ଦୁପତ୍ର ବନଖଣ୍ଡ
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ବୁଧବାର ଦିନ ୫୬ତମ ଜିଏସ୍ସି ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ସ୍ଲାବରେ ପରିବର୍ତ୍ତନ ହୋଇଛି, ଯାହା ଆସନ୍ତା ୨୨ ତାରିଖ ଠାରୁ ଲାଗୁ ହେବ। ଓଡ଼ିଶାର କେନ୍ଦୁପତ୍ର ତୋଳାଳୀ ଲାଭବାନ ହେବେ ବୋଲି ଆଶା କରାଯାଉଛି। କେନ୍ଦୁପତ୍ର ଉପରୁ ସରକାର ୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସ୍ଟିକୁ ହ୍ରାସ କରିଛନ୍ତି। ଏହାଦ୍ବାରା ରାଜ୍ୟର ୨୨ ଜିଲ୍ଲାର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଲାଭ ମିଳିବ।