ଭୁବନେଶ୍ବର: ଦିନକ ପରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହାର ସଫଳ ରୂପାୟନ ପାଇଁ ମୋହନ ଚରଣ ମାଝୀଙ୍କ ସରକାର ଓ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। 

Advertisment

Police

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ମୋଦୀ ଗସ୍ତ ପାଇଁ ଭୁବନେଶ୍ବରରେ ୮୧ ପ୍ଲାଟୁନ୍‌ ଫୋର୍ସ  ମୁତୟନ ହେବେ। ପୁଲିସ କମିସନର ସଞ୍ଜୀବ ପଣ୍ଡା ରବିବାର ଏକ ବୈଠକରେ ଯୋଗଦେଇ ଏହା କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୁଲିସ ଅଧିକାରୀ ମୁତୟନ ହେବେ। 

ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି ଯେ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ୍ ହେବ। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ଖାଲିସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ ବୁଲିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ରହିଛି।

ଏହି ଖବର ପଢ଼ନ୍ତୁ: ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇ ନାହିଁ। ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଅହମଦାବାଦରୁ ଭୁବନେଶ୍ବର ଆସିବେ। ସକାଳ ୧୧ଟା ୩୫ରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ଜନତା ମଇଦାନ ଯିବେ। ୧୨ଟାରୁ ୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ସରିଲା ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ।

ଏହି ଖବର ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାରେ ସାମିଲ ହେବେ ୧.୮ କୋଟି ମହିଳା