ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅସୁସ୍ଥତା ନେଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କୁ ମନ୍ତ୍ରୀ, ବିଧାୟକ, ନେତା ଓ ସମର୍ଥକ ଭେଟୁଛନ୍ତି। ନବୀନ ଶୀଘ୍ର ଆରୋଗ୍ୟଲାଭ କରନ୍ତୁ ବୋଲି ତାଙ୍କର ସମର୍ଥକ ଓ ପ୍ରଶଂସକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସୋସିଆଲ ମିଡିଆରେ ନବୀନଙ୍କ ଆରୋଗ୍ୟ କାମନା କରି ଫଲୋଅର୍ସମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।
ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍ ଅଲ୍ଟିମେଟ୍ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଛନ୍ତି।
ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଜାରି ମେଡିକାଲ ବୁଲେଟିନକୁ ଅପେକ୍ଷା କରାଯାଇଛି। ଏହା ଅନୁଯାୟୀ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
-ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ
ବିଜେଡି ସରକାରରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବରି ବିଧାୟକ ବିଶ୍ବରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ବରୂପ ଦାସ, ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ବର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି।
ତେବେ ନବୀନ ପଟ୍ଟନାୟକ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ଧୀରେଧୀରେ ହସ୍ପିଟାଲ ଆଡ଼କୁ ଦଳୀୟ ନେତାମାନଙ୍କର ଆଗମନ ହେଉଛି। ଭିଡ଼ ଆଶଙ୍କା କରି କମିସନରେଟ ପୁଲିସ ସତର୍କ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
Bhubaneswar