ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଟାର୍ଗେଟ୍ କରିଛନ୍ତି। ବିଜେଡି ନେତ୍ରୀ କହିଛନ୍ତି, ପ୍ରଭାତୀ ପରିଡ଼ାଙ୍କୁ ଏମ୍ସକୁ ଡାକିବାକୁ ଆମ ଦଳର ସଦସ୍ୟମାନେ ଯାଇଛନ୍ତି।
ପ୍ରଭାତୀ ପରିଡ଼ା ଏମ୍ସକୁ ଆସନ୍ତୁ। ନିଜର ଦାୟିତ୍ବ ସମ୍ପାଦନ କରନ୍ତୁ। ରାଜ୍ୟରେ ବିଜେପି ସରକାର ଆସିବା ପରେ ମହିଳା ହିଂସା ବଢ଼ିଛି। ମହିଳା ଓ ଶିଶୁବିକାଶ ମନ୍ତ୍ରୀ ହେବାପରେ ଦିନକୁ ୧୫ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଦେଖିବାକୁ ମିଳୁଛି। ବାଲେଶ୍ୱର ପରେ ଏହି ଘଟଣା ଘଟିଛି। ୧୬ ବର୍ଷୀୟ ଝିଅକୁ ଦୁର୍ବୃତ୍ତ କଣ କୁକର୍ମ କରିଛନ୍ତି ତାହା ତ ଜଣାପଡ଼ିବ। କିନ୍ତୁ ସେ ଜୀବନମରଣ ସହ ଲଢୁଛି। ଅଥଚ ଘଟଣାର ୧୪ ଘଣ୍ଟା ପରେ ବି ନିଜ ନିର୍ବାଚନ ମଣ୍ଡଳୀର ଝିଅକୁ ଦେଖିବାକୁ ଆସିଲେ ନାହିଁ ବୋଲି ଲେଖାଶ୍ରୀ ସମାଲୋଚନା କରିଛନ୍ତି। ତେଣୁ ଲୋକଙ୍କ ସରକାର କଥା ପଦାରେ ପଡ଼ିଛି।
ସେ ଅପରାଧୀଙ୍କୁ ଘୋଡାଇ ରଖିବା କଥା ବାହାରକୁ ଆସିବା ଦରକାର। ଝିଅଟିର ଚିକିତ୍ସା ଦାୟିତ୍ୱ ସମେତ ସୁସ୍ଥ ହୋଇ ସେ କେମିତି ଘରକୁ ଫେରିବ ସେ ଦିଗରେ ଚିନ୍ତାକରି ମୁମ୍ବାଇ, ଦିଲ୍ଲୀ କିମ୍ବା ଆବଶ୍ୟକ ହେଲେ ସିଙ୍ଗାପୁର ନେବାକୁ ଦାବି କରିଛନ୍ତି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡି ନେତ୍ରୀ ସୁଲୋଚନା ଦାସ ଓ ଟୁକୁନି ସାହୁଙ୍କ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପୀଡ଼ିତା ଝିଅକୁ ଭୁବନେଶ୍ୱର ଏମ୍ସ ରୁ ଏୟାର ଲିଫ୍ଟିଂ କରାଯାଉ। ବାହାରେ ଉଚ୍ଚମାନର ଚିକିତ୍ସା କରାଯାଉ। ଗୋଟିଏ ମାସରେ ଗୋପାଳପୁର, ବାଲେଶ୍ଵର, ନିମାପଡ଼ା କେସ। କଣ ଚାଲିଚି ଏଠାରେ। ସରକାର ଆପରାଗ। ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହୋଇଥିଲେ ମଧ୍ୟ କିଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଝିଅକୁ ନ୍ୟାୟ ମିଳୁ। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
Prabhati Parida | lekhashree Samantsinhar | BJD