ମାଲକାନଗିରି: ବର୍ଷା ଆଗମନ ସହ ଅଧିକ ଉଗ୍ର ହୁଅନ୍ତି ନକ୍ସଲ। ଘଂଚ ଜଂଗଲରେ ଲଗାଣ ବର୍ଷାରେ କୁମ୍ବିଂ ଅପରେସନ ପୁଲିସ ପାଇଁ ସେତେଟା ସହଜ ହୁଏ ନାହିଁ। ଏହାର ସୁଯୋଗ ନେଇ ନକ୍ସଲ ହିଂସା ଘଟାଇ ଚୁପଚାପ ଘଂଜ ଜଂଗଲକୁ ଚାଲିଯାନ୍ତି। ଯଦି ବି ପୁଲିସ ପିଛା କରି ଜଂଗଲକୁ ଯାଏ ସେତେବେଳକୁ ବହୁ ବିଳମ୍ବ ହୁଏ। ସେତିକି ସମୟ ମଧ୍ୟରେ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ନିକଟସ୍ଥ ଗ୍ରାମରେ ଯାଇ ଆତ୍ମଗୋପନ କରିଥାନ୍ତି। ତେଣୁ ଚଳିତ ବର୍ଷ ନକ୍ସଲଙ୍କୁ ଉଚିତ ଜବାବ ଦେବା ପାଇଁ ମାଲକାନଗିରି ପୁଲିସ ସମେତ ପଡୋଶୀ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପୁଲିସ ଏବେ ଠାରୁ ରଣନୀତି ପ୍ରସ୍ତୁତ କରି ଅପରେସନ ମନସୁନ ଆରମ୍ଭ କରିଛି।
ବର୍ଷାଦିନେ ନକ୍ସଲ ବହୁ ଘଟଣା ଘଟାଇ ଅସ୍ତ୍ରଶସ୍ତ୍ରକୁ ଜଂଗଲରେ ଲୁଚାଇ ଦେଇ ବିଭିନ୍ନ ଗ୍ରାମରେ ଲୁଚି ରହିଥାନ୍ତି। ତେବେ ଏହା ପୂର୍ବରୁ ପୁଲିସ ନକ୍ସଲଙ୍କ ଉପରେ ଚଢାଉ କରିବ ବୋଲି ଜଣାପଡିଛି। ନକ୍ସଲ ବାଧ୍ୟ ହୋଇ ପୁଲିସ ଗୁଳିର ସାମ୍ନା କରିବ ବୋଲି ଛତିଶଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ବର୍ଷକ ମଧ୍ୟରେ ନକ୍ସଲ ଯେତିକି ହିଂସାକାଣ୍ଡ ଘଟାଇଥାନ୍ତି ତାହାର ଏକ ଚତୁର୍ଥାଂଶ ଘଟଣା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ। ନକ୍ସଲ ଏହି ସମୟରେ ଉଗ୍ର ହୋଇଥାନ୍ତି। ଗତ ୨୦୧୫ ମସିହାରୁ ଯଦି ଦେଖିବା ନକ୍ସଲଙ୍କ ସହ ପୁଲିସର ଗୁଳି ବିନିମୟ,ନକ୍ସଲ ହିଂସା ୩୦ରୁ ୪୦ ପ୍ରତିଶତ ରହିଛି। ମାଲଲକାନଗିରି ପୁଲିସ ମଧ୍ୟ ନିଜର ସୀମାକୁ ସିଲ କରିଛି। ଘନ ଘନ ବୈଠକ ସାଂଗକୁ ଗୁଇନ୍ଦାକୁ ସଜାଗ ରହିବା ପାଇଁ କୁହାଯାଉଛି। ଗତ ସପ୍ତାହକ ମଧ୍ୟରେ ୫ ଜଣ ଗ୍ରାମବାସୀକୁ ନକ୍ସଲ ହତ୍ୟା କରିସାରିଲେଣି।
ରବିବାର ପୁଣି ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏବଂ ବିଏସଏଫ ମିଳିତ ଭାବେ କୁମ୍ବିଂକୁ ଜୋରଦାର କରୁଛନ୍ତି। ବର୍ଷାଦିନେ ନକ୍ସଲ ହିଂସା ଘଟାଇ ସହଜରେ ଖସି ପଳାଉଥିବାରୁ ଜୁନ ଆରମ୍ଭରୁ ହିଁ ନକ୍ସଲଙ୍କ ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡର ଘଂଚ ଜଂଗଲରେ ପଶିଛନ୍ତି ଯବାନ। ବର୍ଷାଦିନେ ନକ୍ସଲଙ୍କୁ ଦମନ କରିବାକୁ ହେଲେ ଆକାଶ ମାର୍ଗରୁ ମଧ୍ୟ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଛି। ପୁଲିସ ଡାଳେ ଡାଳେ ଗଲେ ନକ୍ସଲ ମଧ୍ୟ ପତରେ ପତରେ ଯାଉଛନ୍ତି।
ସ୍ବାଭିମାନ ଅଂଚଳ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗ୍ରାମ୍ୟ ଜଂଗଲରେ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟ ଜୋରଦାର କୁମ୍ବିଂ କରୁଥିବା ଜଣାପଡିଛି। ଗତ କିଛି ଦିନ ତଳେ ଆନ୍ଧ୍ର ଗ୍ରେହାଉଣ୍ଡ ୩ ଜଣ ହାର୍ଡକୋର ନକ୍ସଲକୁ ମାରିଥିଲେ। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲଙ୍କୁ ମୂଳତ୍ପାଟନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିବାରୁ ଏନେଇ ପୁଲିସ ଜୋରଦାର ଅପରେସନ କରୁଛି। ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଛତିଶଗଡ ଆସିଥିବା ବେଳେ ଚାରି ରାଜ୍ୟର ପୁଲିସ ବିଭାଗର ଉଚ୍ଚପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ। ତେବେ ଚଳିତ ବର୍ଷା ଋତୁରେ କିଏ କାହା ଉପରେ ଭାରି ପଡୁଛନ୍ତି ଦେଖିବାକୁ ବାକି ରହିଲା।
Malkangiri | maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/22/7e28e0f1-5280-42de-b3ff-9086986869be-2025-06-22-19-33-46.jpg)