‘ଦୀପାବଳି ବନ୍ଧୁମିଳନ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ 

ସମ୍ବଲପୁର: ସମ୍ବଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ଡ୍ରେନେଜ, ସ୍ୱାସ୍ଥ୍ୟସେବା, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ସହ ରେଳ ଷ୍ଟେସନ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରି ଦେଇଛନ୍ତି। ସମ୍ବଲପୁରକୁ ଏକ ଅତ୍ୟାଧୁନିକ ସହର ରୂପେ ଗଢି ତୋଳିବା ଆମର ଦାୟିତ୍ୱ ବୋଲି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

Advertisment

Gbxz5CVagAA_2aN

ଶ୍ରୀ ପ୍ରଧାନ ଆଜି ସମ୍ବଲପୁର ଗସ୍ତ କାଳରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ସହ କ୍ଷେତରାଜପୁର ଠାରେ ‘କ୍ଷେତରାଜପୁର ନାଗରିକ ମଞ୍ଚ’ ପକ୍ଷରୁ ଆୟୋଜିତ ଦୀପାବଳି ବନ୍ଧୁମିଳନ, ଛଟ୍‌ ପୂଜା ଏବଂ ଅଁଳା ନବମୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଓ୍ୱାଟର ପ୍ଲାଣ୍ଟ୍ ତଥା ବୃହତ୍ତର ପାନୀୟ ଜଳ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଡିପିଆର୍ କାମ ପାଇଁ ‘ଓ୍ୱାଟକୋ ଓଡ଼ିଶା’ କମ୍ପାନିକୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ  ବିଭାଗୀୟ ସଚିବଙ୍କ ସହ ଏ ନେଇ ଆଲୋଚନା ସରିଛି। 

ଏହାବ୍ୟତିତ ସହରରେ ଡ୍ରେନେଜ, ସ୍ୱେରେଜ, ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ ଓ ସ୍ୱଚ୍ଛତା ସମସ୍ୟାର ସମାଧାନ ପାଇଁ ନୂଆ କଳ୍ପନା କରାଯାଇଛି। ସମ୍ବଲପୁରରେ ଏକ ରିଙ୍ଗ ରୋଡ କରାଯିବାର ଯୋଜନା ହୋଇଛି। ସହରରେ ଥିବା ତିନି ରେଳ ଷ୍ଟେସନ ଯଥା ସମ୍ବଲପୁର ରୋଡ୍ ରେଳ ଷ୍ଟେସନ, ହୀରାକୁଦ ଷ୍ଟେସନ ଓ ସମ୍ବଲପୁର ସିଟି ରେଳ ଷ୍ଟେସନର ଉନ୍ନତିକରଣ କରିବା ନେଇ ଭାରତ ସରକାର କାମ ଆରମ୍ଭ ଦେଇଛନ୍ତି । ଏହି ସବୁ କାର୍ଯ୍ୟ ଦ୍ୱାରା ସହର ସ୍ୱଚ୍ଛ ଓ ସୁନ୍ଦର ହେବା ସହ ସମ୍ପ୍ରସାରଣ ହେବ ବୋଲି ସେ କହିଛନ୍ତି। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ଓ ରାଣୀ ସତୀ ଦାଦୀ ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ।