ଭୁବନେଶ୍ବର: ବାତ୍ୟା ‘ଦାନା’ରେ ୧୪ ଜିଲ୍ଲାର ୩୫ ଲକ୍ଷ ୯୫ ହଜାର ୧୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ୧୦୮ ବ୍ଲକ, ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡ, ସମ୍ପୂର୍ଣ୍ଣ ପ୍ରଭାବିତ।
ଆଜି ସକାଳ୧୦ଟା ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି। ଲୋକେ ଫେରିବା ଆରମ୍ଭ କଲେଣି। ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଜଣ ଲୋକ ଉପକୃତ ହୋଇଛନ୍ତି। ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ।. ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି। ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ। ଆଜି ସକାଳ ଯାଏଁ ଜିରୋ କାଜୁଆଲଟି।
ସେ ଆହୁରି କହିଛନ୍ତି, ୬ ଲକ୍ଷ ୫୯ ହଜାର ୮୪୨ ପଶୁ ପ୍ରଭାବିତ ହୋଇଛନ୍ତି। ଏଣେ ୭ ଲକ୍ଷ ୩୪ ହଜାର ୭୫ କୁକୁଡ଼ା ପ୍ରଭାବିତ। ପଶୁଙ୍କୁ ସାପ କାମୁଡ଼ା ମାମଲା ଭଦ୍ରକରେ ୪, ଯାଜପୁରରେ ଜଣେ ଓ କେନ୍ଦ୍ରାପଡ଼ା ୭ ନଜରକୁ ଆସିଛି। ସେହିପରି ୨୮ଜଣ ଲୋକଙ୍କୁ ସାପ କାମୁଡ଼ିଛି। ଏଥିରେ ଜଣେ ଡାକ୍ତର ବି ଅଛନ୍ତି ହେଲେ ସମସ୍ତେ ସୁସ୍ଥ ଅଛନ୍ତି। ୧ ଲକ୍ଷ ୨୫ ହଜାର ୯୧୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୫୮୩୯ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୀଡ଼ତମାନଙ୍କୁ ୨୩୨୨.୨ କ୍ବିଣ୍ଟାଲ୍ ଚୁଡ଼ା ଓ ୭୫୫ ପଲିଥିନ ଦିଆଯାଇଛି। ୩୩୫ ମେଡିକାଲ ଟିମ ନିୟୋଜିତ ହୋଇଛନ୍ତି।ଏଣେ ବିଦ୍ୟୁତ ସରବାରହ କାମ ସରିଲାଣି। ବୁଢାବଳଙ୍ଗ ସତର୍କ ସ୍ତରର ୦.୩୫ ମିଟର ଉପରେ ଅଛି। ହେଲେ ବିପଦ ସଂକେତ ନାହିଁ। ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ। ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ। ଏସଆରସିଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। କେନ୍ଦ୍ରକୁ ରିପୋର୍ଟ ଦିଆଯିବ। କେନ୍ଦ୍ରୀୟ ଟିମ ମଧ୍ୟ ଆସିବ। କ୍ଷତିପୂରଣ ବି ଦିଆଯିବ। ପକ୍କା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି। ହେଲେ ଏହା ବନ୍ୟାବାତ୍ୟାରେ ଭାଙ୍ଗୁଛି। ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ। ପଂଚାୟତିରାଜ ବିଭାଗ ଏ ଦିଗରେ କାମ ଆରମ୍ଭ କଲେଣି ଯେ ଘର କିପରି ନ ଭାଙ୍ଗିବ। ବାତ୍ୟାରେ କୌଣସି ଅସ୍ୱାଭାବିକ ମୃତ୍ୟୁ ହୋଇନି। ଜଣେ ୮୨ ବର୍ଷ ମହିଳାଙ୍କୁ ରିଲିଫ ସେଣ୍ଟର ଅଣାଯାଇଥିଲା। ତାଙ୍କୁ ଅସୁସ୍ଥ ଲାଗିବାରୁ ପୁଅ ଘରକୁ ନେଇଗଲେ, ହେଲେ ଆମ ଅଧିକାରୀ ତାଙ୍କୁ ପୁଣି ରିଲିଫ ସେଣ୍ଟରକୁ ଆଣିଲେ। ରିଲିଫ ସେଣ୍ଟରରେ ତାଙ୍କର ମୃତ୍ୟୁ ହେଲା। ପୋଷ୍ଟ ମର୍ଟମ ରିପୋର୍ଟ କହୁଛି ଯେ ତାଙ୍କ ବାର୍ଦ୍ଧକ୍ୟ ଓ ଆଘାତ ଜନିତ ମୃତ୍ୟୁ। କେନ୍ଦୁଝରରେ ମୃତ୍ୟୁ ବି ଅସ୍ୱାଭାବିକ ନୁହେଁ। ମୃତ୍ୟୁର ବନ୍ୟା କି ବାତ୍ୟା ସହ କୌଣସି ସମ୍ପର୍କ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟିମ୍ ମିଳିତ ଭାବେ କାମ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/27/4YzLupJh9JF5CpOYeAN8.jpeg)