ସମ୍ବଲପୁର: ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା କେବଳ ଏକ ଜିଡିପି ସଂଖ୍ୟା ନୁହେଁ ବରଂ ଏହାର ଅର୍ଥ ହେଉଛି ଲକ୍ଷଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତୀକରଣ ସୁନିଶ୍ଚିତ କରିବା ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର କହିଛନ୍ତି। ଆଜି ଆଇଆଇଏମ ସମ୍ବଲପୁରର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମୃତ କାଳର ସଂକଳ୍ପରୁ ପ୍ରେରଣା ନେବାକୁ ନିବେଦନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’ ଜରିଆରେ ଦେଶକୁ ଶୀର୍ଷ ସ୍ତରକୁ ନେଇଯିବା ଲାଗି ଚାହୁଁଛନ୍ତି। ଏହି ପ୍ରୟାସରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମସ୍ତଙ୍କ ପ୍ରୟାସ ବଳରେ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ।
‘‘ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ ଓ ଆହ୍ୱାନ’’ ଶୀର୍ଷକ ବିଷୟବସ୍ତୁ ଉପରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ବିଶ୍ୱ ଅର୍ଥବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଥିବାରୁ ଆମେ ସମସ୍ତେ ଏକ ଉତ୍ସାହଜନକ ଏବଂ ଆହ୍ବାନପୂର୍ଣ୍ଣ ସମୟରେ କାଳାତିପାତ କରୁଛୁ। ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହେବା ସହିତ, ଭୂ-ରାଜନୈତିକ ଉତ୍ତେଜନା ଏବଂ ପରିବର୍ତ୍ତିତ ବିଶ୍ୱ ବାଣିଜ୍ୟ ସ୍ଥିତି ସମେତ ଅନେକ ଜଟିଳ ଆହ୍ୱାନ ବିଶ୍ୱ ଅର୍ଥବ୍ୟବସ୍ଥା ଆଗରେ ଛିଡ଼ା ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଉଲ୍ଲେଖ କରିଥିଲେ ଯେ ଏହି ଅନୁଷ୍ଠାନଟିର ଡିଜାଇନ ସମସାମୟିକ ସମ୍ବଲପୁରୀ କଳା ସହିତ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ନିର୍ମିତ ହୋଇଛି। ସେ କହିଥିଲେ ଯେ ଆଇଆଇଏମ ସମ୍ବଲପୁର ମ୍ୟାନେଜମେଣ୍ଟ ବା ପ୍ରବନ୍ଧନ ଶିକ୍ଷାରେ ଉତ୍କର୍ଷତା ହାସଲ କରିବାରେ ଖ୍ୟାତି ଅର୍ଜନ କରିଛି। ଏହାର ମୂଳ ଆଦର୍ଶ ହେଉଛି ନବସୃଜନ, ବିଶ୍ବସନୀୟତା ଏବଂ ସମାବେଶୀତା। ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ୨୦୨୧ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଫେବ୍ରୁଆରି ୨୦୨୪ରେ କ୍ୟାମ୍ପସକୁ ଉଦଘାଟନ କରିଥିଲେ। ପଶ୍ଚିମ ଓଡ଼ିଶାର କୁଶଳୀ ବୁଣାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ଆଇ.ଆଇ.ଏମ୍. ସମ୍ବଲପୁରକୁ ପ୍ରଶଂସା କରିଥିଲେ।
ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି ପ୍ରତିଷ୍ଠାନ ସରକାରଙ୍କ ଆଧୁନିକ ପଦକ୍ଷେପର ଏକ ପ୍ରମୁଖ ବାହକ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉତ୍କର୍ଷତା କେନ୍ଦ୍ରର ପରିକଳ୍ପନାକୁ ଅନୁସରଣ କରିଥାଏ ଏବଂ ବୈଷୟିକ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବା ଏହାର ଲକ୍ଷ୍ୟ। ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଆଇଆଇଏମ ସମ୍ବଲପୁରରେ କେବଳ ବିଶ୍ୱସ୍ତରୀୟ ଭିତ୍ତିଭୂମି ନାହିଁ, ବରଂ ଏହା ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯାହା ଆମ ଦେଶର ଇତିହାସ ଏବଂ ଐତିହ୍ୟରେ ରହିଛି। ଏହି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସମଲେଶ୍ୱରୀ ଏବଂ ଏହା ବୀର ସୁରେନ୍ଦ୍ର ସାଏଙ୍କ ଭୂମି ଯିଏ ୧୮୫୭ ସ୍ୱାଧୀନତା ସଂଗ୍ରାମର ବହୁ ପୂର୍ବରୁ ଔପନିବେଶିକ ଶାସନ ବିରୁଦ୍ଧରେ ଲଢ଼ିଥିଲେ।
ଡକ୍ଟର ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ସାହସୀ ଏବଂ ସହନଶୀଳ ହେବାକୁ ଉତ୍ସାହିତ କରିଥିଲେ। ଅଧ୍ୟବସାୟ ଏବଂ ଦୃଢ଼ ସଂକଳ୍ପ ଭଳି ଗୁଣକୁ ନେଇ ସେ ସମସ୍ତଙ୍କୁ ବିଫଳତାକୁ ଶିଖିବାର ଏବଂ ଆଗକୁ ବଢ଼ିବାର ଏକ ସୁଯୋଗ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ବଡ଼ ସ୍ୱପ୍ନ ଦେଖିବା, ଏବଂ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖିବାକୁ ସେ ପରାମର୍ଶ ଦେଇଥିଲେ । ବିକାଶ, ଉତ୍ପାଦକତା ଏବଂ ନବସୃଜନକୁ ତ୍ୱରାନ୍ୱିତ କରିବା; ଆଜୀବନ ଶିକ୍ଷାକୁ ଗ୍ରହଣ କରିବା; ପ୍ରକୃତ ସମସ୍ୟାର ସମାଧାନ ପାଇଁ ଉଦ୍ୟୋଗୀ ମାର୍ଗ ଗ୍ରହଣ କରିବା, ନିଯୁକ୍ତି ସୃଷ୍ଟି କରିବା, ଭାରତ ପାଇଁ ନିର୍ମାଣ କରିବା; ଏବଂ ସର୍ବୋପରି ନୈତିକ, ସମାବେଶୀ ଏବଂ ଦୀର୍ଘସ୍ଥାୟୀ ହେବା ପାଇଁ ପରିଚାଳନା ବା ମ୍ୟାନେଜମେଣ୍ଟ କୁଶଳତା ଉପରେ ଡ. ମିଶ୍ର ଗୁରୁତ୍ୱାରୋପ କରିଥିଲେ।
‘ବସୁଧୈବ କୁଟୁମ୍ବକମ-ବିଶ୍ୱ ଏକ ପରିବାର’ ଭାବନା ଅନୁରୂପ ଲାଭ ଓ ପଦବୀ ଠାରୁ ଊର୍ଦ୍ଧ୍ବରେ ଚିନ୍ତା କରୁଥିବା ବ୍ୟକ୍ତି ପ୍ରକୃତ ନେତା ହୋଇଥା’ନ୍ତି। କେବଳ ବ୍ୟବସାୟ ନୁହେଁ ମୂଲ୍ୟବୋଧ, ବିବିଧତା ଓ ପରିବର୍ତ୍ତନର ପରିଚାଳନା ପାଇଁ ମ୍ୟାନେଜର ବା ପରିଚାଳକ ହେବାକୁ ଛାତ୍ରଛାତ୍ରୀଙ୍କୁ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ।
IIM Sambalpur