ବୈଶିଙ୍ଗା: ‘ସମ୍ବାଦ'ର ସ୍ଵନକ୍ଷତ୍ର ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲାl ଏହି ଅବସରରେ ସମ୍ବାଦ ପ୍ରତିନିଧିଙ୍କ ସଂଯୋଜନାରେ ସ୍ଥାନୀୟ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ବିଭିନ୍ନ ପରୀକ୍ଷା ଅନୁଷ୍ଠିତ ହୋଇଥିଲାl ଏହି ବାର୍ଷିକ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ରବିବାର ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛିl   

Advertisment

ପ୍ରକାଶ ଥାଉ କି ଚଳିତ ମାସ ୧୫ତାରିଖ ରବିବାରରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ବୈଶିଙ୍ଗା ପ୍ରତିନିଧିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ରାଇକମାସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ଚିତ୍ରାଙ୍କନରେ ପାର୍ବତୀ ମୁର୍ମୁ, ହେମାଲ ମୁର୍ମୁ, ଗୌରୀଶଙ୍କର ମନ୍ତ୍ରୀ, ହସ୍ତାକ୍ଷରରେ ରାହୁଲ ବେହେରା, ଦିବ୍ୟଜ୍ୟୋତି ବେହେରା , ଟିକିରଞ୍ଜନ ନାୟକ, ଭାଷାଜ୍ଞାନରେ ଓମ ପ୍ରକାଶ ପୃଷ୍ଟି, ମନୋଜ କମିଳା ଓ ଲରିଆ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତକାର୍ଯ୍ୟ ହୋଇଥିଲେ। 

ରବିବାର ସମ୍ବାଦ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ଉକ୍ତ କୃତୀ ଛାତ୍ରଛାତ୍ରୀମାନଙ୍କ ପାଇଁ ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ କରାଯାଇଥିଲା। ଉକ୍ତ ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ଜେନା ପରିଚାଳନା କରିଥିବାବେଳେ ସ୍ଥାନୀୟ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ଦାଶ ସଭାପତିତ୍ୱ କରିଥିଲେ।

publive-image

ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସମ୍ବାଦର ଏହି ପ୍ରୟାସକୁ ଭୁୟସୀ ପ୍ରଶଂସା କରିବା ସହିତ ଉତ୍ତମ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭିତରେ ମାତୃଭାଷା ପ୍ରେମ ଜାଗ୍ରତ ହେବା ଜରୁରୀ ବୋଲି ମତ ପୋଷଣ କରିଥିଲେ। 

ସମ୍ମାନିତ ଅତିଥି ଭାବେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ‘ସମ୍ବାଦ- ଆମ ଓଡ଼ିଶା’ ଦ୍ବାରା ଆୟୋଜିତ ବାର୍ଷିକ ପ୍ରତିଯୋଗିତା ଏବେ ଏକ ପରମ୍ପରାରେ ପରିଣତ ହୋଇଛି ଓ ଆଜିର ଡିଜିଟାଲ ଯୁଗରେ ଓଡିଆ ଭାଷାର ପ୍ରସାର ଓ ସୁରକ୍ଷା ଦିଗରେ ଏହା ଏକ ଅତୁଳନୀୟ  ଓ ଅନନ୍ୟ ଉଦ୍ୟମ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର ଓ ସାମ୍ବାଦିକ ଦୀପକ କୁମାର ସିଂହ ଅତିଥି ମାନଙ୍କ ସହିତ ମଞ୍ଚାସିନ ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବାଦ ଦ୍ୱାରା ପ୍ରଦତ୍ତ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ନିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।