ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ସ୍ବାସ୍ଥ୍ୟସେବାରେ ଉନ୍ନତି ଆସୁନି। ସରକାର ବଦଳିବା ପରେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରଂ। ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ କିଣାଯାଉଛି। ତା’ କିନ୍ତୁ ରୋଗୀଙ୍କ କାମରେ ଆସୁନି। କେବଳ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ପକେଟ୍ ଗରମ କରିବାକୁ ଏମିତି କରାଯାଉଥିବା କୁହାଯାଉଛି। ସେଣ୍ଟ୍ରାଲ ଲ୍ୟାବ୍ ଆଜି ଯାଏଁ ଖୋଲିନି। ଟେକ୍ନିସିଆନ୍ ଆଳ ଦେଖାଇ ବର୍ଷ ବର୍ଷ ଧରି ଲ୍ୟାବ୍କୁ ବନ୍ଦ କରି ରଖାଯାଇଛି। ଲକ୍ଷ ଲକ୍ଷ ଟଙ୍କାର ମେସିନ୍ ଖତ ଖାଉଛି। କେବଳ ଏତିକି ନୁହେଁ ଗତ କରୋନା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଜିଏଚ୍ ପରିସରରେ ଗୋଟିଏ ଲେଖାଏଁ ଅକ୍ସିଜେନ୍ ପ୍ଲାଣ୍ଟ ବସିଥିଲା। ଆବଶ୍ୟକ ଅକ୍ସିଜେନ୍ ଅଭାବ ପୂରଣ କରିବାକୁ ଆଉ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ମଧ୍ୟ ବସାଯାଇଥିଲା। ତିନିଟିରୁ ଘରୋଇ କମ୍ପାନି ‘ଲିଣ୍ଡେ’ ଅକ୍ସିଜେନ୍ ପ୍ଲାଣ୍ଟ ଚାଲିଛି। ମାସକୁ ଅକ୍ସିଜେନ୍ ଯୋଗାଣ ବାବଦରେ ଆର୍ଜିଏଚ୍ରୁ ୧ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ନେଉଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ମାତୃଶିଶୁ ହସ୍ପିଟାଲ (ଏମ୍ସିଏଚ୍) ଓ ଆର୍ଜିଏଚ୍ ଭିତର ବାଇକ୍ ପାର୍କିଂ ପଛପାର୍ଶ୍ବ କେନ୍ଦ୍ର ସରକାରଙ୍କ ଆଇଓସିଏଲ୍ ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ପଡ଼ିଛି। ମାମ ମାସ ଧରି ବନ୍ଦ ପଡ଼ିଥିଲେ ହେଁ କାର୍ଯ୍ୟକ୍ଷମ କରିବାକୁ ଆର୍ଜିଏଚ୍ ପକ୍ଷରୁ ଦୃଷ୍ଟି ଦିଆଯାଉନି। ଓଡ଼ିଶା ସରକାରଙ୍କ ପକ୍ଷରୁ ଟାଟା କମ୍ପାନି ଦ୍ବାରା ବସିଥିବା ଅକ୍ସିଜେନ୍ ପ୍ଲାଣ୍ଟ ସେଡ୍ ଏବେ ଷ୍ଟୋର୍ରୁମ୍ ପାଲଟିଯାଇଛି। ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ଖତଖାଉଛି। ସେହିପରି ଆଇଓସିଏଲ୍ ଅକ୍ସିଜେନ୍ ପ୍ଲାଣ୍ଟ ମଧ୍ୟ ଚାଲୁନି। ଏହି ପ୍ଲାଣ୍ଟରୁ ଆର୍ଜିଏଚ୍ ବର୍ଣ୍ଣ ୱାର୍ଡକୁ ଗ୍ୟାସ୍ପାଇପ୍ ସଂଯୋଗ ହୋଇଛି। ପ୍ରତି ବେଡ୍ରେ ଗ୍ୟାସ୍ ପଏଣ୍ଟ ମଧ୍ୟ ରହିଛି। ହେଲେ ବାହାରୁ ଅକ୍ସିଜେନ ସିଲିଣ୍ଡର କିଣାଯାଇ ବ୍ୟବହାର ହେଉଛି। କେବଳ ବର୍ଣ୍ଣୱାର୍ଡ ନୁହେଁ ଅନ୍ୟ କିଛି ୱାର୍ଡରେ ମଧ୍ୟ ସମାନ ସମସ୍ୟା ଉପୁଜିଛି। ଦୁଇଟି ପ୍ଲାଣ୍ଟକୁ ବନ୍ଦକରି ବାହାରୁ ଅକ୍ସିଜେନ୍ ସିଲିଣ୍ଡର କିଣାଯିବା ପଛରେ ବଡ଼ଧରଣର କମିସନିଂ କାରବାର ହେଉଥିବା ଅଭିଯୋଗ ହେଉଛି। ଦୁଇଟି ପ୍ଲାଣ୍ଟ ବନ୍ଦ ହେବା ପ୍ରସଙ୍ଗ ବିଧାନସଭାରେ ପ୍ରଶ୍ନ କରାଯାଇଛି। ଆର୍ଜିଏଚ୍ରେ କର୍ତ୍ତୃପକ୍ଷ ବନ୍ଦ କାରଣ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟବିଭାଗକୁ ଅବଗତ କରାଇଛନ୍ତି। ଆର୍ଜିଏଚ୍ ନିର୍ଦ୍ଦେଶକ ଡାକ୍ତର ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା କମ୍ପାନି ଅକ୍ସିଜେନ୍ ପ୍ଲାଣ୍ଟ ବସାଇଥିଲା।
ପ୍ରତି ୬ ମାସରେ ଥରେ ମରାମତି କରା ନଯିବାରୁ ଯନ୍ତ୍ରାଂଶ ଅଚଳ ହୋଇଯାଇଛି। ବାରମ୍ବାର ଟାଟା କମ୍ପାନିକୁ ଜଣାଇଥିଲେ ହେଁ, ମରାମତି ପାଇଁ ଆସୁନାହାନ୍ତି। ସେମିତି ଆଇଓସିଏଲ୍ ପ୍ଲାଣ୍ଟରୁ ଯୋଗାଣ ହେଉଥିବା ଅକ୍ସିଜେନ୍ରୁ ଶୁଦ୍ଧତା ଠିକ୍ ନଥିବାରୁ ବନ୍ଦ କରି ଦିଆଯାଇଛି ବୋଲି କହିଛନ୍ତି। ତେବେ ଲକ୍ଷ ଲକ୍ଷ ଟଙ୍କାର ଅକ୍ସିଜେନ୍ପ୍ଲାଣ୍ଟର ଯନ୍ତ୍ରାଂଶ ଖତ ଖାଉଥିଲାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।