ବ୍ରହ୍ମପୁର: ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି ପରିବର୍ତ୍ତନର ସୂତ୍ରଧର ହୋଇପାରିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’ ଶୀର୍ଷକରେ ଏକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଶ୍ୱବିଦ୍ୟାଳୟର ନୂତନ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ମାସିକ ଋତୁସ୍ରାବ ନାରୀ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ସମାଜରେ ଅନେକ ଅନ୍ଧବିଶ୍ୱାସ ଓ ବାସନ୍ଦ ଭଳି ଘଟଣା ଦେଖିବାକୁ ମିଳୁଛି, ଯାହା ଜଣେ ନାରୀର ଜୀବନ ଓ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ହୋଇ ଠିଆହେଉଛି। ଶିକ୍ଷା ଓ ସଚେତନତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ଏହି କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ଯେଉଁ ସବୁ ବିଷୟ ଶିଖିଲେ, ସେମାନେ ଯାଇ ନିଜ ଘରେ ତଥା ସମାଜରେ ତାହାର ପ୍ରସାର କଲେ ଏହି ପ୍ରକ୍ରିୟା ତ୍ୱରାନିତ ହୋଇପାରିବ।
‘ଚାଲ ପିରିୟଡ୍ସ ବିଷୟରେ କଥାହେବା’ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ତଥା ଅଭିଯାନର ଅଧ୍ୟକ୍ଷା ପ୍ରଣତି ପରିଡ଼ା କହିଥିଲେ, ମହିଳାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଋତୁସ୍ରାବ କ୍ଷେତ୍ରରେ ସ୍ୱଚ୍ଛତା ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ ଭଳି କାର୍ଯ୍ୟକ୍ରମ କରାଯାଉଛି। ଏହାକୁ ସଫଳ କରିବାକୁ ଯୁବପିଢ଼ିକୁ ସଚେତନ ଓ ସଶକ୍ତ କରାଯିବା ଦରକାର।
ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା’ର ଉପଚାର ବିଷୟ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱରର ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର କୁସୁମ ଦାଶ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସଂଯୁକ୍ତା ସାବତ ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
/filters:format(webp)/sambad/media/media_files/2025/06/28/mh-day-3-2025-06-28-19-20-53.jpeg)
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା, ଓଡ଼ିଶାଲାଇଭ ସମ୍ପାଦକ ନୀଳାମ୍ବର ରଥ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରିୟଙ୍କା ସୁଚରିତା ଉପସ୍ଥାପନ କରିଥିବା ବେଳେ ଅମିତ କୁମାର ମହାନ୍ତି, ସୀତାଂଶୁ ଶେଖର ସୂତାର ଏବଂ ସୁଶ୍ରୀସ୍ମିତା ବେହେରା ପ୍ରମୁଖ ଏହାର ପରିଚାଳନା କରିଥିଲେ।
ସ୍ୱେଚ୍ଛାସେବୀ ସଂଗଠନ ଆଇଏଫଆଇ ଫାଉଣ୍ଡେସନ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଅଭିଯାନର ‘ଅଫିସିଆଲ ପାର୍ଟନର’ ରହିଛି। ସଂଗଠନ ପକ୍ଷରୁ ଗତ କିଛି ବର୍ଷ ଧରି ଋତୁସ୍ରାବ ସ୍ୱଚ୍ଛତା ଅଭିଯାନକୁ ବ୍ୟାପକ କରାଯାଉଛି। ଚଳିତବର୍ଷ କଳିଙ୍ଗ ହସ୍ପିଟାଲ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ କାର୍ଯ୍ୟକ୍ରମରେ ଆସୋସିଏଟ୍ ପାର୍ଟନର୍ ଭାବେ ଯୋଡ଼ି ହୋଇଛନ୍ତି।
ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଏକ ସୂଚନା ପୁସ୍ତିକାର ଲୋକାର୍ପଣ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଯୁବ ଜନସ୍ୱାସ୍ଥ୍ୟ କର୍ମଶାଳାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।
Health | Berhampur University
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/28/mh-day-5-2025-06-28-19-20-53.jpeg)