ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି। ପୁରୀ ଏବଂ ଆଖପାଖ ଅଞ୍ଚଳରେ ସଂକ୍ରମଣ ରୋଗର ପ୍ରତିରୋଧ ପାଇଁ ମଧ୍ୟ ବିଭିନ୍ନ ବିଭାଗମାନଙ୍କ ଦ୍ଵାରା କ୍ଷେତ୍ର ସ୍ତରୀୟ ସମନ୍ଵୟରେ ବ୍ୟାପକ ସଚେତନତା ଓ ପରିମଳ କାର୍ଯ୍ୟ ଚାଲୁରହିଛି।
ଚଳିତ ବର୍ଷ ପୁରୀ ସଦର ମହକୁମାରେ ୨୬୫ଟି ନୂଆ ବେଡ୍ ସ୍ଥାପନ କରାଯାଇଛି। ଏହି ବେଡ୍କୁ ମିଶାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୦୧ ବେଡ୍ ସହ ୨୭ ଆଇ.ସି.ୟୁର ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡ, ସମୁଦ୍ରକୂଳ ସହ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ସ୍ଥାନ ମାନଙ୍କରେ ୬୯ଟି ଫାଷ୍ଟଏଡ୍କେ ନ୍ଦ୍ର(ସରକାରୀ -୩୨, ସ୍ୱେଚ୍ଛାସେବୀ-୩୭) ଖୋଲାଯାଇଛି। ଏହି କେନ୍ଦ୍ର ମାନଙ୍କରେ ଡାକ୍ତର, ପାରମେଡିକସ୍ ଏବଂ ସହାୟକ କର୍ମଚାରୀମାନେ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସହରର ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୭୪ଟି ଜରୁରୀକାଳୀନ ଆମ୍ବୁଲାନ୍ସ(ସରକାରୀ-୩୧, ସ୍ୱେଚ୍ଛାସେବୀ- ୪୩) ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୩୭୧ ଜଣ ଡାକ୍ତର, ସ୍ପେସାଲିଷ୍ଟ, ୪୦୪ ଜଣ ପାରାମେଡ଼ିକସ୍ ଏବଂ ୩୭୦ ଜଣ ସହାୟକ ଷ୍ଟାଫ୍ ଭକ୍ତ, ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ୨୪ ଘଣ୍ଟିଆ ଭିତ୍ତିରେ ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛନ୍ତି। ଏହାଛଡା ରାପିଡ୍ ରେସପନସ୍ ଟିମ୍ ମାନ ଗଠନ କରାଯାଇଛି ଯେଉଁ ମାନେ ଆବଶ୍ୟକ ମାତ୍ରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।
ସମ୍ଭାବ୍ୟ ସଂକ୍ରାମକ ରୋଗର ପ୍ରତିରୋଧ ନିମନ୍ତେ ପୁରୀ ପୌରପାଳିକା ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ ପ୍ରଚେଷ୍ଟାରେ ପରିମଳ ଓ ସଚେତନତା କାମକୁ ଅଧିକ ସଘନ କରାଯାଇଛି।
ଖାଦ୍ୟ ନିରାପତ୍ତା ଟିମ୍ଗୁଡ଼ିକ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଟିମ୍ ମାନେ ୧୦୩୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଟି ପାଣି ବୋତଲ ତିଆରି ପ୍ଲାଣ୍ଟ, ୨୦୨ ହୋଟେଲ, ୮୧୩ ବୁଲା ବିକାଳୀ/ରାସ୍ତା କଡ଼ ଦୋକାନୀ ଅନ୍ତର୍ଭୁକ୍ତ। ଏହି ଚଢାଉ ମାଧ୍ୟମରେ ଖାଦ୍ୟ ନିରାପତ୍ତା ଟିମ୍ ୨୩୪୮ କିଲୋ ଦୂଷିତ ଖାଦ୍ୟ ଜବତ କରି ନଷ୍ଟ କରିବା ସହ ୧ ଲକ୍ଷ ୨ ହାଜର ୪୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୁରୀରେ ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।
puri | rath yatra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/food-2025-07-05-16-39-35.jpg)