କାଳିଆପାଣି (ରବି ନାରାୟଣ କର): ଯାଜପୁରଜିଲ୍ଲା ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ଗତ ୩ ମାସ ମଧ୍ୟରୁ ୭୫ ଦିନ ଲଗାଣ ବର୍ଷାର କୁପ୍ରଭାବ ଅବ୍ୟ‌ାହତ ରହିଛି। ଚଳିତ ଚତୁର୍ମାସ୍ୟାରେ ଏଯାବତ୍ ଖଣିଅଞ୍ଚଳରେ ୩୦୦ ମିଲିମିଟରରୁ ୩୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଅଧିକାଂଶ ଦିନ ମୂଷଳଧାରାରେ ବର୍ଷା ପାଇଁ ସବୁ କ୍ରୋମାଇଟ୍‌ ଖଣିରେ କ୍ରୋମ୍‌ ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଉପୁଜିଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଟାଟାଷ୍ଟିଲ, ଇମ୍ଫା, ଫେକର-ବେଦାନ୍ତ, ବାଲେଶ୍ବର ଆଲଏଜ୍ ଓ ଜିନ୍ଦଲ ଷ୍ଟେନଲେସ୍ ଖଣି କର୍ତ୍ତୃପକ୍ଷଙ୍କ ୯ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରେ କ୍ରୋମ୍‌ ଉତ୍ତୋଳନ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି। ଗତ ୩ ତାରିଖ ଦିନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିରେ ୧୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଅପରାହ୍ଣରେ ଖଣିଅଞ୍ଚଳରେ ୨ ଘଣ୍ଟା ମଧ୍ୟରେ ୫୦ ମିଲିମିଟର ବର୍ଷା ଖଣିଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିବା ସାଧାରଣରେ ଅଭିଯୋଗ ହୋଇଛି।

Advertisment

ଏକାଧିକ ଅଭିଜ୍ଞ ଖଣିଯନ୍ତ୍ରୀଙ୍କ ମତରେ ଆକଳନ ବାହାର ଲଗାଣ ବର୍ଷାରେ ଖଣିର ଡମ୍ପ୍(କୃତ୍ରିମ ମାଟିପାହାଡ଼) ପରିଚାଳନା କଷ୍ଟକର ବ୍ୟାପାର। ଡମ୍ପ୍ ଉପର ଭାଗ ଓ ଗଡ଼ାଣିର ମାଟି ଧୋଇହୋଇ ବିଭିନ୍ନ ସ୍ଥାନରେ କାଦୁଅପାଣି ଖଣି ଭିତରେ ପଶେ ଓ ବାହାରକୁ ଚାଲିଯାଏ।

ଅଧିକାଂଶ କ୍ଷେତ୍ରରେ ବଢ଼ିପାଣିକୁ ଅଟକାଇ ସୁରକ୍ଷିତ ସ୍ଥାନକୁ ପ୍ରବାହିତ କରାଇବା ଅସମ୍ଭବ ହୋଇଥାଏ। ଡମ୍ପ୍, ବେଞ୍ଚ୍ ଓ ଉପର ଭାଗରୁ ଖଣି ଭିତରକୁ ପ୍ରଚୁର ପରିମାଣର ଗୋଳିପାଣି ପ୍ରବେଶ କରୁଥିବାରୁ ଇଫ୍ଲ୍ୟୁଏଣ୍ଟ୍‌ ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌(ଇଟିପି)ର ସଠିକ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ମାତ୍ରାଧିକ କାଦୁଅପାଣି ଖଣିର ରିଟେନିଙ୍ଗ ୱାଲ ଓ ଗାର୍ଲାଣ୍ଡ୍ ଡ୍ରେନ୍‌କୁ ଉଛୁଳାଇ ଖଣି ପାରିପାର୍ଶ୍ବିକ ଅଞ୍ଚଳରେ କ୍ରୋମାଇଟ୍‌ ଓ ନିକେଲ ମିଶା ମାଟି ମାଡ଼ିଯାଇ ପରିବେଶକୁ ବିଷାକ୍ତ କରିଥାଏ। 

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଖଣିରେ ପରିବେଶ ସୁଧାର ଦିଗରେ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରେ ନାହିଁ। କ୍ରୋମ୍‌ ଉପତ୍ୟକାର ଭୂମିରୂପ ଆଧାରରେ ବର୍ଷାରେ ସବୁ ଖଣିର ମାଟି ସଡ଼କ ଖସଡ଼ାଯୁକ୍ତ ଥିବାରୁ ଭାରୀଯାନ(ଡମ୍ପର, ଏକ୍ସାଭେଟର ଓ ଡୋଜର ଇତ୍ୟାଦି) ଚଳାଚଳରେ ବ୍ୟାଘ‌ାତ ହୋଇଥାଏ। ଯାହାକି କ୍ରୋମ୍‌ ଉତ୍ତୋଳନରେ ଅନ୍ତରାୟ ହୋଇଥାଏ। ସେହିପରି ପ୍ରତିକୂଳ ପରିସ୍ଥିତିରେ ଗତବର୍ଷ ତୁଳନାରେ ଏବେ ଅନ୍ତର୍ଜାତୀୟ ବଜାରରେ ଉଚ୍ଚମାନର କ୍ରୋମ୍‌ ଦର ଟନ୍ ପିଛା ୧୦ ହଜାର ଟଙ୍କା ହ୍ରାସ ପାଇ ୨୩ ହଜାର ଟଙ୍କା ରହିଥିବା ସ୍ଥଳେ ବର୍ଷାଜନିତ କ୍ଷତି ଖଣିଅଞ୍ଚଳର ସମସ୍ତ ଖଣି କର୍ତ୍ତୃପକ୍ଷଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି।

ଏ ସଂପର୍କରେ ଫେକର-ବେଦାନ୍ତ ଖଣିମୁଖ୍ୟ ଇଂ ମୁଥୁମାରି ମଲାଇଚାମିଙ୍କୁ ପଚାରିବାରେ ବର୍ଷା ପ୍ରଭାବରୁ ଗତ ୩ ମାସ ଧରି ଓସ୍ତପାଳ କ୍ରୋମାଇଟ୍‌ ଖଣିରେ କ୍ରୋମ୍‌ ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି। କଞ୍ଚାମାଲ ଅଭାବରୁ କମ୍ପାନିର ଭଦ୍ରକ ରାନ୍ଦିଆସ୍ଥିତ ନିଜସ୍ବ ଫେରୋକ୍ରୋମ୍‌ ପ୍ଲାଣ୍ଟ୍‌ର ୨ଟି ଫର୍ଣ୍ଣେସ ମଧ୍ୟରୁ ଗୋଟିଏ ୪୦ ଦିନ ହେବ ବନ୍ଦ୍ ହୋଇଯାଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଖଣିରୁ ଜଳ ନିଷ୍କାସନ, ଇଟିପି ପରିଚାଳନା ଏବଂ ଖଣି ଓ ପାରିପାର୍ଶ୍ବିକ ପରିବେଶ ପରିଚାଳନା କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉଥିବା ସେ କହନ୍ତି। 

Jajpur