ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ବାଇଚଢେଇ ପ୍ରକୃତିର ଏକ ସୁନ୍ଦର ଉପହାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପକ୍ଷୀଟି ଯେତିକି ସୁନ୍ଦର ତାହାର ବସା ମଧ୍ୟ ସେତିକି ସୁନ୍ଦର ଓ ଆକର୍ଷଣୀୟ। ତାଳ ଗଛର ପତ୍ରରେ ଝୁଲୁଥିବା ବାଇ ଚଢେଇର ସୁନ୍ଦର ବସାକୁ ଦେଖିଲେ ସମସ୍ତଙ୍କୁ ବିମୋହିତ କରିଥାଏ। ମନୁଷ୍ୟକୁ ବାଇଚଢ଼େଇ ଠାରୁ ଶିଖିବାକୁ ମିଳିଥାଏ ତାର କାରିଗରୀ ଆଉ ଯୌଥ ପରିବାରର ଚଳଣି ସହ ଝଡ଼ବତାସରେ ଦୃଢ ଭଳି ବଞ୍ଚି ରହିବାର ବିରଳ ଶିକ୍ଷା। ମାତ୍ର ଆଧୁନିକତାର ସ୍ପର୍ଶରେ ମଣିଷର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଛି।
ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ନଷ୍ଟ ଯୋଗୁଁ ଆଉ ଆଗ ପରି ଗାଁ ଗୁଡିକରେ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ। ଲାଗୁଛି ସତେ ଯେମିତି ଆଗମୀ ପିଢି ଏହି କୁନି ଚଢେଇର ସଂଘର୍ଷ ଭରା କାହାଣୀ କେବଳ ବହିରେ ପଢିବେ। କିନ୍ତୁ ଆଉ ତାକୁ ଦେଖିବାକୁ ପାଇବେନି।
ବଣ ପାହାଡ ଘେରା ଦେବଗଡ ଜିଲ୍ଲାରେ ଏବେ କାଁ ଭାଁ ଦେଖିବାକୁ ମିଳୁଛି ବାଇଚଢେଇ ବସା। କିନ୍ତୁ ଦିନକୁ ଦିନଏହି ଚଢେଇ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି। ପୂର୍ବରୁ ଗାଁ ଗହଳିରେ ଏହି ବାଇଚଢେଇ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ପରିସ୍ଥିତିରେ ଏହି ପକ୍ଷୀଟି ବିରଳ ହେବାକୁ ବସିଛି। ଗ୍ରାମାଚଂଳରେ ତାଳଗଛ ଓ ଖଜୁରୀ ଗଛକୁ ସୁରକ୍ଷିତ ଭାବି ଏହି ପକ୍ଷୀ ତାର ବସା ବାନ୍ଧିଥାଏ। ବର୍ଷା ଆଗମନ ପୂର୍ବରୁ ବାଇଚଢେଇ ଗଛରେ ବସା ବାନ୍ଧୁଥିବା ବେଳେ ଏହା ବର୍ଷା ଆଗମନର ସନ୍ଦେଶ ଦେଇଥାଏ ଚାଷୀକୂଳକୁ।
ବାଇଚଢେଇ ବସାକୁ ଦେଖି ଚାଷୀ ବର୍ଷାଆଗମନର ସଙ୍କେତ ପାଇ ଚାଷ କାର୍ଯ୍ୟ ଆଗକୁ ବଢ଼ାଇଥାନ୍ତି। କିନ୍ତୁ ବର୍ତ୍ତମାନ ଆଧୁନିକତା ଯୁଗରେ ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ଆଉ ଆଗ ପରି ଗ୍ରାମାଚଂଳରେ ତାଳଗଛ ଓ ଖଜୁରୀ ଗଛ ଦେଖିବାକୁ ମିଳୁନଥିବାବେଳେ ବାଇଚଢେଇ ବସା ମଧ୍ୟ ଆଗ ପରି ଦେଖିବାକୁ ମିଳୁନା ନାହିଁ।
ବର୍ତ୍ତମାନର ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା। ପରିବେଶବିତ ଲଳିତ ମୋହନ ସାହୁଙ୍କ କହିବା ଅନୁଯାୟୀ, ଆଗ ପରି ବର୍ତ୍ତମାନ ପରିବେଶ ଓ ଜଳବାୟୁ ଠିକ ରହୁନାହିଁ। ଏହାସହିତ ଜଙ୍ଗଲ ନଷ୍ଟ ଓ ତାଳ, ଖଜୁରୀ ଗଛ ଆଉ ଆଗ ଭଳି ଦେଖିବାକୁ ମିଳୁନାହିଁ, ଯାହା ଫଳରେ ବାଇଚଢେଇ ତାର ଝୁଲା ବସା କରିପାରୁନଥିବାରୁ ଉକ୍ତ ପକ୍ଷୀର ବସା ବର୍ତ୍ତମାନ ଖୋଜିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି।
Deogarh