କାଳିଆପାଣି (ରବି ନାରାୟଣ କର): ବାଟେଘାଟେ ସେ ସାଇକେଲ୍ ଚଳାଇ ଯାଉଥିବା ସମୟରେ ଖଣ୍ଡେ ଦୂରରୁ ତାଙ୍କ ଉପସ୍ଥିତି ଲୋକଙ୍କୁ ଆମୋଦିତ କରାଇଦିଏ। ଇଛା ହୁଏ ତାଙ୍କ ପଛେପଛେ କିଛିବାଟ ଗୋଡ଼ାଇବାକୁ। ତାଙ୍କ ମୋବାଇଲ୍ରୁ ପାରମ୍ପରିକ ଆଦିବାସୀ ସାନ୍ତାଳୀ ସଙ୍ଗୀତ, ବଛାବଛା ପୁରୁଣା ସିନେମାର ମନଛୁଆଁ ଓଡ଼ିଆ ଓ ହିନ୍ଦୀ ଗୀତସବୁ ନିରନ୍ତର ଗୁଞ୍ଜରିତ ହୋଇଥାଏ। ପଚାଶ ମିଟର ପର୍ଯ୍ୟନ୍ତ ସ୍ପଷ୍ଟ ଶୁଣାଯାଉଥିବା ଗୀତ ପାଇଁ ବାଟୋଇ ବି ଅଟକିଯିବ। ପ୍ରତିଦିନ ସାଧାରଣରେ ସୁମଧୁର ସଂଗୀତ ଶୁଣାଇ ଲୋକଙ୍କୁ ଖୁସି କରାଉଥିବା ନିଆରା ମଣିଷ ଜଣକ ଖଣିଅଞ୍ଚଳରେ ମ୍ୟୁଜିକ୍ ମ୍ୟାନ୍ ଭଗବାନ ନାଁରେ ପରିଚିତ। ସେ ହେଉଛନ୍ତି ଯାଜପୁରଜିଲ୍ଲା ସୁକିନ୍ଦା କ୍ରୋମ୍ ଉପତ୍ୟକାର ଇମ୍ଫା ଖଣିର ମିଷ୍ଟ୍ କ୍ୟାନନ(କୁହୁଡ଼ି ତୋପ) ଚାଳକ ଭଗବାନ ହେମ୍ବ୍ରମ(୫୫)। ବିଭିନ୍ନ ପାରମ୍ପରିକ ସାନ୍ତାଳୀ ଉତ୍ସବରେ ନାଚଥାଇ ତାଙ୍କ ନାଗରା ବଜା ବି ନିଆରା।
ସଙ୍ଗୀତ ଏକ ବିରଳ କଳା, ଯାହାର ମାଧ୍ୟମ ହେଉଛି ଧ୍ୱନି। ଏହି ଧ୍ବନିରେ ସେ ମଣିଷକୁ ଏକ ଭିନ୍ନ ରାଇଜକୁ ନେଇଯାଇଥାଏ। ଚିନ୍ତାଗ୍ରସ୍ତରେ ଥିବା ବ୍ୟକ୍ତିକୁ ଚିନ୍ତାମୁକ୍ତ କରିଦିଏ, ରୋଗୀର ଯନ୍ତ୍ରଣାକୁ ଭଲ କରିଦେବାର ଦକ୍ଷତା ରଖିଥାଏ। ସେହିପରି ଶ୍ରମିକ ଓ ଅନ୍ୟମାନଙ୍କୁ ମଧ୍ୟ ଏହା ଆନନ୍ଦ ପ୍ରଦାନ କରିଥାଏ।
ଖଣିରୁ ୧୦ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାଠପାଳ ଗାଁରେ ରହୁଥିବା ଭଗବାନ ନିୟମିତ ସାଇକଲ୍ରେ ଯା’ଆସ କରିଥାନ୍ତି। ପୂର୍ବରୁ ରେଡିଓ ଧରି ସାଇକଲ୍ ଚଳାଇ ଖଣି ଆସୁଥିଲେ। ଏବେ ୧୧ ବର୍ଷ ଧରି ମୋବାଇଲ୍ରେ ସ୍ବତନ୍ତ୍ର ସ୍ପିକର ଲଗାଇ ଏହାକୁ ସାଇକଲ୍ରେ ଖଞ୍ଜିଛନ୍ତି। ଘର ଠାରୁ କୋଚିଲାବାଙ୍କ, କଲରଙ୍ଗି, ଭୀମଟାଙ୍ଗର, ହାଟପଡ଼ିଆ, ଘାଗିଆସାହି, ଚିରିଗୁଣିଆ, କାଳିଆପାଣି ଗାଁ ବାଟରେ ସେ ଖଣି ପହଞ୍ଚି ଡ୍ୟୁଟି କରିଥାନ୍ତି। ବିଭିନ୍ନ ଗାଁର ଅପେକ୍ଷାରତ ଗ୍ରାମବାସୀ ତାଙ୍କ ମୋବାଇଲରୁ ଗୀତ ଶୁଣିବାକୁ ଚାହିଥାନ୍ତି।
#ନିଆରା_ମ୍ୟୁଜିକ୍_ମ୍ୟାନ୍_ଭଗବାନ
— Sambad (ସମ୍ବାଦ) (@sambad_odisha) September 14, 2025
-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାଠପାଳର ଭଗବାନ ହେମ୍ବ୍ରମ୍
-ସାଇକେଲ୍ରେ କର୍ମ କ୍ଷେତ୍ରକୁ ଯିବା ବେଳେ ମୋବାଇଲରୁ ଶୁଣନ୍ତି ଗୀତ
-ମୋବାଇଲ୍ରେ ସ୍ବତନ୍ତ୍ର ସ୍ପିକର ଲଗାଇ ଏହାକୁ ସାଇକଲ୍ରେ ଖଞ୍ଜିଛନ୍ତି#Sambad#Mobile#Music#Dhenkanalpic.twitter.com/QBYv324Hhb
ସିନେମା ଦେଖିବା ସଉକ ରଖିଥିବା ଭଗବାନ ପୂର୍ବରୁ ଅନୁଗୁଳ ଜିଲ୍ଲା ତାଳଚେରରେ ରହି ଟିପର ଚଳାଉଥିଲେ। ନିୟମିତ ଗଣେଶ ଟକିଜ୍ ଯାଇ ସେ ସିନେମା ଦେଖୁଥିଲେ। ତାଙ୍କ ବେଶଭୂଷା ଓ ଚେହେରାରେ ପୁରୁଣା ଫିଲ୍ମର ଝଲକ ଦେଖିବାକୁ ମିଳେ। ତାଳଚେରରୁ କାଳିଆପାଣି ଆସି କିଛିବର୍ଷ ସେ ଇମ୍ଫା ଖଣିରେ ଟିପର ଚଳାଉଥିଲେ। ୧୦ ବର୍ଷ ପୂର୍ବେ ତାଙ୍କ ଠାରେ ଦୃଷ୍ଟି ଦୋଷ ଦେଖା ଦେଇଥିଲା। କଳା, ନାଲି ଓ ସବୁଜ ବ୍ୟତୀତ ଅନ୍ୟ ରଙ୍ଗ ଚିହ୍ନିବାରେ ସମସ୍ୟା ଉପୁଜିଥିଲା। ତାଙ୍କ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ପରାୟଣତା ପାଇଁ ଖଣି କର୍ତ୍ତୃପକ୍ଷ ତାଙ୍କୁ ସେବାରୁ ଅନ୍ତର ନକରି ବିକଳ୍ପ ବ୍ୟବସ୍ଥା କରାଇଛନ୍ତି। ସବୁଠାରୁ ମଜାକଥା ଯେ, ତାଙ୍କୁ କେହିକେବେ ଦୁଃଖୀ ହେବାର ଦେଖିନାହାନ୍ତି। ମ୍ୟୁଜିକ୍ ମ୍ୟାନ୍ ଭଗବାନ ସବୁବେଳେ ଖୁସ୍।
Jajpur