କେନ୍ଦ୍ରାପଡା: ଜିଲ୍ଲାର ତରାଣ୍ଡୋ ଠାରେ ଗଣପର୍ବ ‘ରଜ’ ନିଆରା ଶୈଳୀରେ ପାଳନ କରାଯାଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମାରୋହ ସ୍ଥାନୀୟ ଅଞ୍ଚଳର ପୁରାତନ ଅନୁଷ୍ଠାନ ଶ୍ରୀମା କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଗଳ୍ପ ଓ କବିତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷକ ଶ୍ରୀ ରମାକାନ୍ତ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ପାଠପଢା ସହିତ ପ୍ରତିଯୋଗିତାମୂଳକ ମନୋଭାବ ନେଇ ସକରାତ୍ମକ ଦିଗରେ ଗତି କଲେ ଜୀବନରେ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ିପାରିବେ ବୋଲି କହିଥିଲେ।
ଗଣପର୍ବ ‘ରଜ’ ସହିତ ଭୂମି ଅର୍ଥାତ ମାଟିର ଘନିଷ୍ଠ ସଂପର୍କ ରହିଛି। ତେଣୁ ରଜ ପାଳନ କରିବା ପୂର୍ବରୁ ସମସ୍ତେ ‘ମୃତ୍ତିକା ସୁରକ୍ଷା, ଜୀବନ ରକ୍ଷା’ ଉପରେ ଚିନ୍ତା କରିବା ଦରକାର।
ଡ. ଗଣେଶ ଚନ୍ଦ୍ର କୁଣ୍ଡ, ଅଧ୍ୟାପକ, ଓୟୁଏଟି, ବ୍ରହ୍ମପୁର
ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଓ ବିଶିଷ୍ଟ ସ୍ତମ୍ଭକାର ଡ. ଗଣେଶ ଚନ୍ଦ୍ର କୁଣ୍ଡ ନିଜର ବକ୍ତବ୍ୟରେ ରଜ ଏକ ଭୂମି ସମ୍ପର୍କିତ ପର୍ବ ଓ ‘ମୃତ୍ତିକା ସୁରକ୍ଷା, ଜୀବନ ରକ୍ଷା’ ବୋଲି ବିଶ୍ଳେଷଣ କରିଥିଲେ। ଅନ୍ୟାନ୍ୟ ଅତିଥି କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ଏସ୍ କେ ଅବଦୁଲ କଲିମ୍, ରବିନାରାୟଣ ମିଶ୍ର ଓ ଧ୍ରୁବ ଚରଣ ନାୟକ ନିଜ ନିଜ ବକ୍ତବ୍ୟରେ ମୋବାଇଲ୍ର ବହୁଳ ବ୍ୟବହାର କିପରି ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଉଛି କହିବା ସହିତ ଭଲ ଛାତ୍ରଛାତ୍ରୀ ହେବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଯୋଜକ ତଥା ଶିକ୍ଷକ ରବୀନ୍ଦ୍ର କୁମାର ପରିଡା ସଭା ପରିଚାଳନା କରିଥିଲେ ଓ ଶେଷରେ ଅନୁଷ୍ଠାନର ପୁରାତନ ଛାତ୍ର ତଥା ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Kendrapara