ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୪୨ତମ ମ୍ୟାଚ୍‌ରେ ଗୁରୁବାର ବେଙ୍ଗାଲୁରୁ ବିଜୟ ହାସଲ କରିଛି। ରୋମାଞ୍ଚକର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ହାରିଯାଇଛି। ରାଜସ୍ଥାନ ରୟାଲ୍ସକୁ ବେଙ୍ଗାଲୁରୁ ୧୧ ରନରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୨୦୬ ରନ୍‌ର ଟାର୍ଗେଟ ଦିଆଯାଇଥିଲା। କିନ୍ତୁ ଦଳ ୯ ୱିକେଟ୍‌ରେ କେବଳ ୧୯୪ ରନ୍‌ କରିପାରିଥିଲେ। ଆରସିବିର ବିଜୟର ନାୟକ ଥିଲେ ଜୋଶ ହାଜେଲଉଡ୍ ଯିଏ ଚାରିଟି ୱିକେଟ ନେଇ ବିପକ୍ଷ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କୃଣାଳ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିଲେ। ଭୁବନେଶ୍ବର କୁମାର ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Advertisment

ଚଳିତ ଆଇପିଏଲ ସିଜିନରେ ଏହା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୯ ମ୍ୟାଚ୍ ମଧ୍ୟରୁ ଷଷ୍ଠ ବିଜୟ। ଯଦି ଆମେ ଦେଖିବା, ଚଳିତ ସିଜିନରେ ବେଙ୍ଗାଲୁରୁ ନିଜର ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ, ଏହା ନିଜ ଘରୋଇ ଭୂମିରେ ଲଗାତାର ତିନୋଟି ପରାଜୟ ବରଣ କରିଥିଲା।

ରାଜସ୍ଥାନ ପାଇଁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ବୈଭବ ସୂର୍ଯ୍ୟବଂଶୀ ଦଳ ପାଇଁ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୫୨ ରନ୍‌ର ଭାଗିଦାରୀ କରିପାରିଥିଲେ। ବୈଭବ ୧୨ଟି ବଲ୍ ଖେଳି ୨ଟି  ଛକା ସହାୟତାରେ ୧୬ ରନ୍ ସଂଗ୍ରହ କରିଥିଲେ। ସେ ଭୁବନେଶ୍ବର କୁମାରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ବେଙ୍ଗାଲୁରୁର ଦ୍ବିତୀୟ ଶିକାର ହୋଇଥିଲେ ଜୟସ୍ବାଲ। ସେ ୧୯ଟି ବଲ୍ ଖେଳି ବିସ୍ଫୋରକ ୪୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୭ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ରାଜସ୍ଥାନ ୭୨ ରନ୍‌ରେ ୨ଟି ୱିକେଟ୍ ହରାଇଥିଲା।

Vaibhav Suryavanshi
Vaibhav Suryavanshi of Rajasthan Royals. Photograph: (Aajtak)

 

ଯୁବ ବ୍ୟାଟର ରିୟାନଙ୍କୁ ତୃତୀୟ ୱିକେଟ ଭାବେ ରାଜସ୍ଥାନ ହରାଇଥିଲା। କୃଣାଳ ପାଣ୍ଡ୍ୟାଙ୍କ ଦ୍ବାରା ରିୟାନ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ୨୨ ରନ୍ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଧ୍ରୁବ ଜୁରେଲ ୪୭ ରନ୍‌, ସିମରନ ହେଟମେୟର ୧୧ ରନ୍‌, ଶୁଭମ ଦୁବେ ୧୨ ରନ୍‌, ୱାନେନ୍ଦୁ ହସରଂଗା ୧ ରନ୍‌, ତୁଷାର ଦେସପାଣ୍ଡେ ଅପରାଜିତ ୧ ରନ୍‌ ଓ ଫଜଲହକ୍‌ ଫାରୁକୀ ଅପରାଜିତ ୨ ରନ୍‌ କରିଥିଲେ।

 

ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ଟିମ୍ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଥିଲେ। ଏଥିରେ ବିରାଟ କୋହଲି ଓ ଦେବଦୂତ ପଡ୍ଡିକଲଙ୍କ ଅର୍ଦ୍ଧଶତକ ସାମିଲ ରହିଥିଲା। 

ବେଙ୍ଗାଲୁରୁ ପାଇଁ ଫିଲିପ୍ ସଲ୍ଟ ଓ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଭାଗିଦାରି କରିପାରିଥିଲେ। ଫିଲିପ୍ ଆଉଟ୍ ହେବା ପୂର୍ବରୁ ୨୩ଟି ବଲ୍ ଖେଳିଥିଲେ। ସେ ୪ଟି ଚୌକା ବଳରେ ୨୬ ରନ୍ ସଂଗ୍ରହ କରି ୱାନେନ୍ଦୁ ହସରଙ୍ଗାଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ବିରାଟ କୋହଲି ଏବଂ ପଡ୍ଡିକଲ ଦ୍ବିତୀୟ ୱିକେଟ୍ ପାଇଁ ୯୫ ରନ୍‌ର ଭାଗିଦାରୀ କରିଥିଲେ। ବିରାଟ କୋହଲି ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୭୦ ରନ୍ ସଂଗ୍ରହ କରିଥିଲେ। ସେ ୪୨ଟି ବଲ୍ ସାମ୍ନା କରି ୮ଟି ଚୌକା ଓ ୨ଟି ଛକା ମାରି ଜୋଫ୍ରା ଆର୍ଚ୍ଚରଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ପଡ୍ଡିକଲ ବ୍ୟକ୍ତିଗତ ଭାବେ ୫୦ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୨୭ଟି ବଲ୍ ସାମ୍ନା କରିଥିଲେ, ଯେଉଁଥିରେ ତାଙ୍କର ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ସନ୍ଦୀପ ଶର୍ମାଙ୍କ ଦ୍ବାରା ପଡ୍ଡିକଲ ଆଉଟ୍ ହୋଇଥିଲେ। 

ସିମରନ୍ ହେଟ୍ମେୟର ଓ ଧ୍ରୁବ ଜୁରେଲଙ୍କ ଦ୍ବାରା ଟିମ୍ ଡାଭିଡ ରନ୍ ଆଉଟ୍ ହୋଇଥିଲେ। କିନ୍ତୁ ସେ ପଡ଼ିଆ ଛାଡ଼ିବା ପୂର୍ବରୁ ୧୫ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୩ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ପାଟିଦାର ବିଫଳ ହୋଇଥିଲେ। ସେ ୩ଟି ବଲ୍ ଖେଳି ମାତ୍ର ଗୋଟିଏ ରନ୍ ସଂଗ୍ରହ କରିଥିଲେ ଏବଂ ସନ୍ଦୀପ ଶର୍ମାଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଜିତେଶ ଶର୍ମା ଅପରାଜିତ ୨୦ ରନ୍ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ।

IPL Cricket