ଚଣ୍ଡୀଗଡ଼: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସଂପାଦକ ତଥା ରାଜ୍ୟସଭା ସାଂସଦ ରଣଦୀପ ସୁରଜେୱାଲା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେଲା ପରେ ଭଗବାନ ଶିବଙ୍କ ଶରଣ ନେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ରବିବାର ପୂର୍ବାହ୍ଣରେ କେଦାରନାଥ ପହଞ୍ଚି ବିଧାୟକ ପ୍ରାର୍ଥୀ ତଥା ପୁଅର ବିଜୟ କାମନା କରିଛନ୍ତି। ସେ କେଦାରନାଥରେ ବିତାଇଥିବା ମୁହୂର୍ତ୍ତର ଫଟୋ ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ରେ ସେୟାର କରିଛନ୍ତି।
ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଥିବା ବେଳେ ଆସନ୍ତା ୮ ତାରିଖ ଦିନ ମତଗଣାନ ସହ ଫଳାଫଳ ପ୍ରକାଶିତ ହେବ। ଆଜି ରବିବାର ଥିବାରୁ ନେତାମାନେ ଆଗାମୀ ସରକାର କାହା ହାତରେ ରହିବ, ସେନେଇ ଚର୍ଚ୍ଚା କରିଛନ୍ତି। ବିଭିନ୍ନ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ଏକଜିଟ୍ ପୋଲ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢ଼ିପାରେ। ଏକଜିଟ୍ ପୋଲ ରିପୋର୍ଟ ନେଇ କଂଗ୍ରେସ ନେତାମାନେ ଉତ୍ସାହିତ ଦେଖାଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଲବି ମଧ୍ୟ ଆରମ୍ଭ ହୋଇଯାଇଛି।
ରଣଦୀପ ସୁରଜେୱାଲା କୈଥରୁ ଦିଲ୍ଲୀ ଯିବା ବଦଳରେ କେଦାରନାଥ ପହଞ୍ଚିଥିଲେ। ସେଠାରେ ସେ ଭଗବାନ କେଦାରନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ନିଜର ପୁଅ ଆଦିତ୍ୟ ସୁରଜେୱାଲାଙ୍କ ବିଜୟ ପାଇଁ ଆଶୀର୍ବାଦ ନେଇଥିଲେ। ସୁରଜେୱାଲା ସୋମବାର ଠାରୁ ପୁଣି ଥରେ ହରିୟାଣାର ରାଜନୀତିରେ ସକ୍ରିୟ ରହି ନିଜର ଭୂମିକା ତୁଲାଇବେ।
ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ମତଦାନ କରିବା ପରେ ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଆଗକୁ ବଢ଼ିବାର ଇଚ୍ଛା ଥାଏ। ହରିୟାଣାର ଲୋକେ ୧୦ ବର୍ଷର ଦୁର୍ନୀତି ଦେଖି ହତାଶ ହୋଇସାରିଛନ୍ତି। ଚାଷୀ, ଯୁବଗୋଷ୍ଠୀ, ପହଲମାନ ଓ ଯବାନଙ୍କ ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଛି। ଏହି ନିର୍ବାଚନରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖିବାକୁ ମିଳିବ। ମୋର ପାଇଁ ଏକମାତ୍ର ଚ୍ୟାଲେଞ୍ଜ ହେଉଛି କୈଥଲର ବିକାଶ। ମୁଖ୍ୟମନ୍ତ୍ରୀ ହେବା ମହତ୍ବାକାଂକ୍ଷା ରଖିବା ଭୁଲ ନୁହେଁ। ଆମେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦ୍ବାରା ମୁଖ୍ୟମନ୍ତ୍ରୀ ମୁହଁ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବୀକାର କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/LuNTIO9MsYQh2KJPoM56.jpeg)