ଆସିକା: ଜଣେ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ, ତାଙ୍କର ବାପାଙ୍କୁ ହତ୍ୟା ଓ ମାଙ୍କୁ ହତ୍ୟା ଉଦ୍ୟମ ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ପ୍ରବୀର କୁମାର ଚୌଧୁରୀ ୨୦ ବର୍ଷ ଜେଲ୍ଦଣ୍ଡ ଶୁଣାଇଛନ୍ତି। ଦୋଷୀ ହେଲା ମୁକେଶ ଆନନ୍ଦ।
ମାମଲାର ବିବରଣୀରୁ ଜଣାଯାଏ, ୨୦୨୪ ଜୁଲାଇ ୧୩ ତାରିଖ ଅପରାହ୍ଣରେ ଆସିକା ଥାନା ଅନ୍ତର୍ଗତ ସ୍ଥାନୀୟ ଏନ୍ଏସିର ସୁନାମ୍ବସାହିରେ ଜଣେ ଦିବ୍ୟାଙ୍ଗ ଝିଅକୁ ମୁକେଶ ଆନନ୍ଦ ଦୁଷ୍କର୍ମ କରିଥିଲା। ଝିଅର ବାପା ଉଦୟ ମୁନୀ ଓ ମା’ ମମତା ମୁନୀ ଏହାକୁ ବିରୋଧ କରିଥିଲେ। ଫଳରେ ମୁକେଶର ଆକ୍ରମଣରେ ଉଦୟଙ୍କର ମୃତ୍ୟୁ ଘଟିଥିବା ବେଳେ ମମତା ଗୁରୁତର ହୋଇଥିଲେ। ତଦନ୍ତକାରୀ ଅଧିକାରୀ ଅମ୍ବିକା ବେଣିଆ ବ୍ୟବଚ୍ଛେଦ କରିଥିବା ଡାକ୍ତର, ପୀଡ଼ିତାଙ୍କ ମାଇନା କରିଥିଲେ। ଡାକ୍ତରଙ୍କ ରିପୋର୍ଟ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି।
ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ଦଶ ମାସ ମଧ୍ୟରେ ରାୟ ପ୍ରକାଶ ପାଇଥିବା ଏହା ପ୍ରଥମ ଘଟଣା। ମୃତକ ଉଦୟଙ୍କ ସ୍ତ୍ରୀ ମମତାଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏକ ମାମଲା ୪୭୫/୨୪ରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅସଦାଚରଣ ହୋଇଥିବା ନେଇ ଭାରତୀୟ ନ୍ୟାୟ ସହିଁତା ଧାରା ୭୪/୭୬/୭୬/୩୩୧/୧୧୫/୧୨୬/୧୦୯/୧୦୩ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଦୁଷ୍କର୍ମ ହୋଇଥିବା ରିପୋର୍ଟରେ ଜଣାପଡିଥିଲା। ଚାର୍ଜସିଟ କୋର୍ଟକୁ ଦେବା ସମୟରେ ତଦନ୍ତକାରୀ ଅଧିକାରୀ ଅମ୍ବିକା ବେଣିଆ ଦୁଷ୍କର୍ମ ହୋଇଥିବା ଉଲ୍ଲେଖ କରିଥିଲେ।
ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜଙ୍କ କୋର୍ଟରେ ଏସ୍ଟି ୧୬୮/୨୪ ପ୍ରକାରେ ମାମଲାର ବିଚାରଣ ହୋଇଥିଲା। ହତ୍ୟାରେ ବ୍ୟବହୃତ ଠେଙ୍ଗା ପଥର ପୁଲିସ ଜବତ କରିଥିଲା। ଦିନ ଦିପହରରେ ଆସିକା ଥାନା ଠାରୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣା ପରେ ମମତା ମୁନୀଙ୍କ ପରିବାର ଉପରେ କଷ୍ଟର ପାହାଡ଼ ସୃଷ୍ଟି ହୋଇଛି। ଥାନାର ଅତି ନିକଟରେ ଏହି ଘଟଣା ଘଟିବା ଓ ଅଭିଯୁକ୍ତ ବହୁ ସମୟ ପର୍ଯ୍ୟନ୍ତ ଘରେ ଗୋଟିଏ ପରେ ଗୋଟିଏ ଲୋକକୁ ଆକ୍ରମଣ କରିଚାଲିଲା କିନ୍ତୁ ପୀଡିତା ପରିବାରକୁ କୌଣସି ଆକସ୍ମିକ ସହାୟତା ମିଳିନଥିଲା। ଯାହା ପରିବାରର ମନୋବଳ ଭାଙ୍ଗି ଦେଇଥିଲା। ସାହିପଡ଼ିଶାରେ ଘର କରି ରହିଥିଲେ ମଧ୍ୟ ମମତା ମୁନୀଙ୍କ କାନ୍ଦ ଓ ଚିତ୍କାର କାହାକୁ ଶୁଣା ଯାଇନଥିଲା।
ganjam