ନବରଙ୍ଗପୁର: ୨୦୨୩ ମସିହାରେ ତେନ୍ତୁଳିଖୁଣ୍ଟି ଥାନା ଅଂଚଳର ଜୈନେକା ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରି ଭିଡିଓ ସୁଟିଂ କରି ଭାଇରାଲ କରିବା ମାମଲାରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଅତିରିକ୍ତ ସେସନସ୍ ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ମାମଲାର ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ପଦ୍ମା ରଂଜିକାର, ଲେଲିୟା ରଂଜିକାରଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ଏହା ସହ ଜରିମାନା ବାବଦକୁ ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ଅଭିଯୁକ୍ତ ଭାନୁ ମହୁରିଆ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Advertisment

ମାମଲାର ବିବରଣୀରୁ ଜଣାଯାଏ ୨୦୨୩ ମସିହା ଫେବ୍ରୁଆରି ୨୮ତାରିଖ ଦିନ ତେନ୍ତୁଳିଖୁଣ୍ଟି ଥାନା ଅଂଚଳର ଜୈନେକା ଗର୍ଭବତୀ ମହିଳାଙ୍କୁ ଜଗନ୍ନାଥପୁରର ଆଶାକର୍ମୀ ଅଭିଯୁକ୍ତ ପଦ୍ମା ଗର୍ଭପରୀକ୍ଷା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯିବାକୁ କହିଥିଲେ। ପଦ୍ମାଙ୍କ ପୁଅ ଜଗନ ସହ ବାଇକରେ ତିନି ଜଣ ମିଶି ନବରଙ୍ଗପୁର ଆସୁଥିଲେ। ବାଟରେ ପଦ୍ମାଙ୍କ ସ୍ବାମୀ ତଥା ଅଭିଯୁକ୍ତ ଲେଲି ଏମାନଙ୍କ ସହ ମିଶି ଆଉ ଗୋଟିଏ ବାଇକରେ ନବରଙ୍ଗପୁର ଆସିଥିଲେ। ନବରଙ୍ଗପୁର ପହଚିଂବା ପରେ ଗର୍ଭବତୀ ମହିଳାଙ୍କୁ ଗର୍ଭ ପରୀକ୍ଷା ପାଇଁ ଡିଏଚଏଚକୁ ନେବା ବଦଳରେ ନବରଙ୍ଗପୁର ସହରରେ ଥିବା ପଦ୍ମାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇକି ଯାଇଥିଲେ। ସେଠା‌ରେ ଅଭିଯୁକ୍ତ ପଦ୍ମାଙ୍କ ସ୍ବାମୀ ଅଭିଯୁକ୍ତ ଲେଲିୟ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତ ଲେଲିୟ ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତା ପଦ୍ମା ମୋବାଇଲ ଫୋନରେ ଦୁଷ୍କର୍ମ ସମୟର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଏହା ପରେ ପିଡୀତା ଗର୍ଭବତୀଙ୍କୁ ମାଁ’ଭଣ୍ଡାର ଘରଣୀ ମନ୍ଦିରକୁ ଆଣି କାହାରିକୁ ନ କହିବାକୁ ଶପଥ କରାଇଥିଲେ। ଅଭିଯୁକ୍ତ ଲେଲିୟ ଏହି ଭିଡିଓକୁ ଭାଇରାଲ କରି ସେହି ଗାଁର ଅନ୍ୟ ଅଭିଯୁକ୍ତ ଭାନୁ ମହୁରିଆଙ୍କୁ ମୋବାଇଲକୁ ପଠାଇଥିଲେ।  ଅଭିଯୁକ୍ତ ଭାନୁ ସେହି ଭିଡିଓକୁ ପିଡୀତାଙ୍କ ସ୍ବାମୀଙ୍କୁ ଦେଖାଇଥିଲେ।

ଅପରପକ୍ଷରେ  କାହାରିକୁ ଘଟଣା ସମ୍ପକର୍ରେ କହି ନ ପାରି ପୀଡ଼ିତା ଗର୍ଭବତୀ ମାର୍ଚ୍ଚ ୧୧ତାରିଖ ଦିନ ଘରେ ବେକରେ ଦଉଡ଼ି ଦେଇ  ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଠିକଣା ସମୟରେ ଦେଖି ପିଡ଼ୀତାଙ୍କୁ ବଂଚାଇବା ସହ ଆତ୍ମହତ୍ୟା ଉଦ୍ୟମର କାରଣ ପଚାରିବୁଝିଥିଲେ। ପରେ ତେନ୍ତୁଳିଖୁଣ୍ଟି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପଦ୍ମା, ଲେଲିୟ ଓ ଭାନୁକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲା। ମାମଲାର ଗୁରୁତ୍ବକୁ ଲକ୍ଷ୍ୟ କରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ବାଇଁ ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ କୁମାର ମିଶ୍ର  ମାମଲା ପରିଚାଳନା କରୁଥିଲେ। 

 Nabarangpur