ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ନିକଟ ରଥଖଳାରେ ତିନିରଥର ନିର୍ମାଣ କାମକୁ ମହରଣା ସେମାୟତମାନେ ତୀବ୍ର କରିଦେଇଛନ୍ତି। ଦୁଇ ଦିନ ପରେ ଘୋଷଯାତ୍ରା ଥିବାରୁ ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଜିଉଙ୍କ ବିଶାଳ ରଥଗୁଡ଼ିକର ନିର୍ମାଣ ପାଇଁ କାରିଗରମାନେ ଦିନରାତି ଏକ କରିଦେଇଥିବା ବେଳେ ଜଗନ୍ନାଥପ୍ରେମୀମାନେ ନିଜନିଜସ୍ତରରେ କଳାକୁ ପ୍ରଚାର କରିବା ତଥା ନିଜକୁ ଜଗନ୍ନାଥଙ୍କ ଠାରେ ସମର୍ପଣ କରିବା ଉଦ୍ଦେଶ୍ୟରେ ଚିତ୍ର ଆଙ୍କିବା ଓ ରଥାକୃତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ପୁରୀ ସହରର ସିଦ୍ଧମହାବୀର ନିକଟ କୁମୁଡ଼ି ପାଟଣାର ବିଶ୍ବଜିତ ନାୟକ ହେଉଛନ୍ତି, ସେଥି ମଧ୍ୟରୁ ଜଣେ କଳାକାର।
୨୪ ବର୍ଷୀୟ ବିଶ୍ବଜିତ ନାୟକ ଭୁବନେଶ୍ବରସ୍ଥିତ ଏକ ଘରୋଇ କଲେଜରେ ଇଂଜିନିୟରିଂ ଛାତ୍ର। ସେ ବି. ଟେକ୍ ଅଧ୍ୟୟନ କରୁଛନ୍ତି। ରଥଯାତ୍ରା ଆସିଲେ, ପାଠ ପଢ଼ାରୁ ଟିକିଏ ବାହାର ଦୁନିଆକୁ ଚାଲି ଆସିଥାନ୍ତି। କିଛିବର୍ଷ ହେଲା ସେ ରଥାକୃତି ପ୍ରସ୍ତୁତ କରୁଛନ୍ତି। ତାଙ୍କର କଳାକୃତି ଜନମାନସରେ ଗ୍ରହଣୀୟ ହୋଇପାରିଛି।
ରଥଯାତ୍ରା-୨୦୨୫ ଅବସରରେ ବିଶ୍ବଜିତ ଆଇସକ୍ରିମ୍ କାଠି, ତୁଳସୀ ମାଳି ଓ ଅଠା ବ୍ୟବହାର କରି ପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଏକ କ୍ଷୁଦ୍ର ଚିତ୍ର ତିଆରି କରିଛନ୍ତି। ଏହାର ଉଚ୍ଚତା ୮ ଇଞ୍ଚ ଏବଂ ପ୍ରସ୍ଥ ୭ ଇଞ୍ଚ ରହିଛି। ଏହି ରଥ ପ୍ରସ୍ତୁତ କରିବା ପାଇଁ ସେ ୧୭୫ଟି ଆଇସକ୍ରିମ୍ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରିଛନ୍ତି।
୨୦୨୦ ମସିହା ଠାରୁ ‘ନନ୍ଦିଘୋଷ’ର ଆକୃତି ତିଆରି କରୁଛି। ଏଥର ୧୭୫ଟି ଆଇସ୍କ୍ରିମ୍ କାଠି ଓ ୫୫୧ଟି ତୁଳସୀ ମାଳି ବ୍ୟବହାର କରିଛି। ଏହାକୁ ଶେଷ କରିବା ପାଇଁ ୬ ଦିନ ସମୟ ଲାଗିଛି। ମୁଁ ଏହି ରଥାକୃତିକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଛି।
-ବିଶ୍ବଜିତ ନାୟକ
ସୂଚନାଯୋଗ୍ୟ, ବିଶ୍ବଜିତ ନାୟକ ୨୦୨୦ରେ ପ୍ରଥମେ ନନ୍ଦିଘୋଷ ରଥାକୃତି ପ୍ରସ୍ତୁତ କରିଥିଲେ। ଏହା ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିଲା। ସେହି ରଥାକୃତିରେ ମଧ୍ୟ ଆଇସକ୍ରିମ୍ କାଠି ବ୍ୟବହାର ହୋଇଥିଲା। ୨୦୨୧ରେ ମଧ୍ୟ ଆଇସକ୍ରିମ କାଠିରୁ ରଥକୃତି ପ୍ରସ୍ତୁତ କରିଥିଲେ। ୨୦୨୩ରେ ହାଇଦ୍ରବାଦ ଥିବା ବେଳେ ମଧ୍ୟ ସେ ରଥାକୃତି ପ୍ରସ୍ତୁତ କରିଥିଲେ। ସେ କଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି।
puri | rath yatra