ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟନ୍ତା କାଳିଆ ଠାକୁର ଅଳ୍ପ ଦୂର ଆଗକୁ ବଢ଼ିଛନ୍ତି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ।

Advertisment

ରଥଯାତ୍ରା ଅବସରରେ ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ଅପରାହ୍‌ଣ ୪ଟା ସୁଦ୍ଧା ତିନି ରଥରୁ ଚାରମାଳ ଫିଟା ଯାଇଥିଲା। ଅପରାହ୍‌ଣ ପ୍ରାୟ ୪ଟା ୧୦ରେ ତାଳଧ୍ବଜ ରଥ ଶରଧାବାଲି ଅଭିମୁଖେ ବାହାରିଥିଲେ। ପ୍ରାୟ ୬ଟାରେ ସଭଦ୍ରାଙ୍କ ଦର୍ପଦଳନ ବାହାରିଥିବା ବେଳେ ୭ଟା ୪୫ରେ ନନ୍ଦିଘୋଷରେ ମହାପ୍ରଭୁ ଜଗନ୍ନାଥ ଆଗକୁ ବଢ଼ିଥିଲେ। ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୯ଟାରେ ପୁଣି ଥରେ ରଥ ଟଣାଯିବ।

ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ଶରଧାବାଲି ଅଭିମୁଖେ ବାହାରିଥିଲା। କାଳିଆ ଠାକୁରଙ୍କ ନନ୍ଦିଘୋଷଙ୍କୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣିଟାଣି ନେଇଥିଲେ। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଭିତରେ ହରିବୋଲ ଓ ହୁଳିହୁଳି ସହିତ ଘଣ୍ଟ, ଶଙ୍ଖରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ନନ୍ଦିଘୋଷ ପୂର୍ବରୁ ଦେବୀ ସୁଭଦ୍ରା ନିଜର ଦର୍ପଦଳନରେ ଆଗକୁ ବଢ଼ିଥିଲା। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ବଜ ସିଂହଦ୍ବାର ସାମ୍ନାରୁ ବାହାରି ଥିଲା।  

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ଶରଧାବାଲି ଅଭିମୁଖେ ତିନିରଥ ଗଡୁଛି। ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ଚାରମାଳ ଫିଟା ସରିବା ପରେ  ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ରଥଯାତ୍ରାର ଆକର୍ଷଣୀୟ ‘ରଥ’ ଗଡ଼ିଥିଲା। 

ଶ୍ରୀଜିଉଙ୍କ ୯ ଦିନିଆ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ଦେଖାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ଆହୁରି ଭକ୍ତମାନେ ପୁରୀ ଅଭିମୁଖେ ବାହାରିଛନ୍ତି।

ଶ୍ରୀ ମନ୍ଦିରର ନୀତିକାନ୍ତି ପରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ। 

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଥିଲା।

ପ୍ରାୟ ୧୦ଟାରେ ପ୍ରଭୁ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ ଅପରାହ୍‌ଣ ପ୍ରାୟ ୩ଟାରେ ଶ୍ରୀଜିଉମାନଙ୍କୁ ରଥାରୁଢ଼ କରାଯାଇଥିଲା। ରଥ ଉପରେ ଆବଶ୍ୟକ ନୀତି ଶେଷ ହେଲା ‌ପ‌ରେ ରଥ ଟଣା ଯାଇଛି। ଭକ୍ତଙ୍କ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ପାଇଁ ସିସିଟିଭି କ୍ୟ‌ମେରା ସମେତ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।  

rath yatra | puri