ରାୟଗଡ଼ା: ଗତକାଲି ଭୋରରେ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ଚିନ୍ନାଟେକୁରୁ ଠାରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏକ ଭୟାନକ ଦୁର୍ଘଟଣାର ଶିକାର ହୋଇ ଏସି ବସରେ ନିଆଁ ଲାଗିଯିବାରୁ  ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ରାୟଗଡ଼ା ଜିଲ୍ଳା ଲିଙ୍କ ରହିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ବସଟି ରାୟଗଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୁନଃ ରେଜିଷ୍ଟ୍ରେସନ ହୋଇଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି । ବସଟି ଏକ ମୋଟରସାଇକେଲ ସହିତ ଧକ୍କା ହେବା ଏବଂ ଇନ୍ଧନ ଲିକ୍ ହେବାର କିଛି ମିନିଟ୍ ପରେ ବସ୍ ଟିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ କିଛି ଯାତ୍ରୀ ଝରକା ଭାଙ୍ଗି ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଥିବା ବ‌େଳେ ଯେଉଁ ଯାତ୍ରୀ ବସରୁ ଡେଇଁ ପାରିନଥିଲେ ସମସ୍ତେ ମୃତ୍ୟୁବରଣ କରିଛନ୍ତି।

Advertisment

ରାୟଗଡ଼ାରେ ବସର ପୁନଃ ରେଜିଷ୍ଟ୍ରେସନ

ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ବସ୍ ଟିରେ ଦୁଇ ଡ୍ରାଇଭରଙ୍କ ସମେତ ୪୧ ଜଣ ଥିଲେ। ଅଗ୍ନିଶମ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ  କରିଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସର ରାୟଗଡ଼ା ଜିଲ୍ଲା ଲିଙ୍କ ବାହାରିବା ପରେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବସଟି କାହିଁକି ରାୟଗଡ଼ାରେ ପୁନଃ ରେଜିଷ୍ଟ୍ରେସନ ହୋଇଥିଲା ସେନେଇ ଚର୍ଚ୍ଚା ଜୋର ଧରିଛି ।

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂଚନାରୁ ଜଣାପଡିଛି ବସ ନଂ ଡିଡି-୦୧-ଏନ-୯୪୯୦ ପ୍ରଥମେ ତେଲେଙ୍ଗାନାରେ ରେଜିଷ୍ଟ୍ରେସନ ହେବା ‌ପରେ  ୨୦୧୮ ମସିହା ଅଗଷ୍ଟ ମାସରେ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଡିଉରେ ରେଜିଷ୍ଟ୍ରେସନ ହୋଇଥିଲା । କିନ୍ତୁ କୌଣସି କାରଣ ବଶତ୍ଃ ସେଠାରୁ  ଅନଲାଇନରେ ଏନଓସି ଆଣି ୨୦୨୫ ବର୍ଷ ଅପ୍ରେଲ ମାସରେ ରାୟଗଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପୁନଃ ରେଜି‌ଷ୍ଟ୍ର‌େସନ କରାଯାଇଥିଲା । ବିଭାଗ ତରଫରୁ ଟୁରିଷ୍ଟ ବସ ପରମିଟ ୨୦୨୫ରୁ ୨୦୩୦ ୫ ବର୍ଷ ପାଇଁ  ଦିଆଯାଇଥିବା ବେଳେ ଅଲ ଇଣ୍ଡିଆ ପରମିଟ ଜୁଲାଇ ମାସ ୩୧ ତାରିଖ ୨୦୨୬ ପର୍ଯ୍ୟନ୍ତ ରହିଥିଲା ଯାହା ରୋଡ ଟ୍ରାନ୍ସପୋର୍ଟ ଓ ହାଇୱେ ମନ୍ତ୍ରାଳୟରୁ ଦିଆଯାଇଥିଲା । ଗାଡିର ଫିଟନେସ ସାର୍ଟିଫିକେଟ ୨୦୨୭ ପର୍ଯ୍ୟନ୍ତ ବୈଧ ଥିବାବେଳେ ରୋଡ ଟେକ୍ସ ମାର୍ଚ୍ଚମାସ  ୨୦୨୬ ପର୍ଯ୍ୟନ୍ତ ପୈଠ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟି ସମସ୍ତ ବୈଧ କାଗଜ ପତ୍ର ଅନଲାଇନରେ ଦାଖଲ କରି ରାୟଗଡ଼ା ଆରଟିଓ ଅଫିସରେ ପୁନଃ ରେଜିଷ୍ଟ୍ରେସନ ହୋଇଥିବା ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ବିନୟ କୁମାର ପଲ ପ୍ରକାଶ କରିଛନ୍ତି । କେଉଁ କାରଣରୁ ବସଟି ୩ଥର ରେଜିଷ୍ଟ୍ରେସନ ହୋଇଥିଲା ଉଭୟ ରାଜ୍ୟର ପରିବହନ ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: Fire Garment Shop: ଅଗ୍ନିକାଣ୍ଡରେ ଜଳିଗଲା କପଡ଼ା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ସୂଚନାରୁ ଜଣାପଡ଼ିଛି ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରୋଡ ଟ୍ୟାକ୍ସ ଅଧିକା ହୋଇଥିବାରୁ ଓଡ଼ିଶାରେ ପୁନଃ ରେଜିଷ୍ଟ୍ରସନ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାଗ୍ରସ୍ତ ବସଟି ଭେମୁରୀ କାଭେରୀ ଟ୍ରାଭଲ୍ସ ମାଲିକାନାରେ ଥିବାବେଳେ ଏହା ରାୟଗଡ଼ାର ଭେମୁରୀ ବିନୋଦ କୁମାରଙ୍କ ଦ୍ବାରା ପରିଚାଳିତ ହେଉଥିବା ଜଣାପଡ଼ିଛି । ପରିଚାଳକ ବିନୋଦ କୁମାର ଏକ ଆଫିଡେଭିଟ ମାଧ୍ୟମରେ ରାୟଗଡ଼ା ବାସିନ୍ଦା ବୋଲି ଦର୍ଶାଇ ଓଡ଼ିଶାରେ ପୁନଃ ରେଜିଷ୍ଟ୍ର‌େସନ କରିଛନ୍ତି । ବସଟିର ଟୁରିଷ୍ଟ ପରମିଟ ଥିବାବେଳେ ଏହା ଯାତ୍ରୀବାହୀ ବସ ରୂପେ ବ୍ୟବହାର ହେଉଥିଲା କି ସନ୍ଦେହ କରି ଆନ୍ଧ୍ରପ୍ରଦେଶ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:ବିଜେଡିର ବଡ଼ ଗଡ଼ ଏବେ ଗଡ଼ବଡ଼: ଜିଲ୍ଲା ସଭାପତି ଜେଲ୍‌ରେ, କିଏ ନେବ ନେତୃତ୍ବ?

Accident