ଭୁବନେଶ୍ବର: ବରଗଡ଼ର ନାବାଳିକାଙ୍କ ଆତ୍ମାହୁତି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ବରଗଡ଼ର ଗାଇସିଲଟରେ ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରାଇବା ଖବର ମୋତେ ଗଭୀର ଭାବେ ବ୍ୟଥିତ, ଚକିତ ଓ ମର୍ମାହତ କରିଛି। ନାବାଳିକାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।
ନିଆଁ ଲଗାଇ ଆମ ଝିଅମାନେ ଜୀବନ ହାରିବାର ଏହି ଧାରା ଅତ୍ୟନ୍ତ ବିଚଳିତ କରିଦେବା ପରି। ଏଇ ଗୋଟେ ମାସ ଭିତରେ ଚାରି ଚାରି ଜଣ ଯୁବତୀ ସମାନ ଭାବରେ ନିଜ ଜୀବନ ହାରି ଦେଇଛନ୍ତି। ଏପରି ନିରୀହ ଜୀବନ ଚାଲିଯିବା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ କରୁଛି। ଏହା ଆହୁରି ହୃଦୟବିଦାରକ ଯେ, ସେମାନେ ଆଉ କୌଣସି ରାସ୍ତା ନ ପାଇ ଶେଷରେ ନିଜ ଜୀବନ ହାରିଦେବାକୁ ବାଛି ନେଉଛନ୍ତି। କେବଳ ଏଇ ଚାରି ନିରୀହ ଜୀବନ ନୁହେଁ, ଏବେ ପ୍ରତିଦିନ ଅପରାଧର ଶିକାର ହୋଇ ଓଡ଼ିଶାର ଅନେକ ଝିଅ ଏପରି ପରିସ୍ଥିତିର ସାମ୍ନା କରୁଛନ୍ତି।
ସେମାନଙ୍କ ନିରାଶା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ। ପ୍ରତିଦିନ ଘଟୁଥିବା ଏପରି ଘଟଣା, ବ୍ୟବସ୍ଥାର ବିଫଳତା ପରି ଏକ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ବିଜେପିର ଶାସନ, ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଫଳ ହୋଇଛି। ଆମେ ଆମ ଝିଅମାନଙ୍କ ପାଇଁ ସୁନିଶ୍ଚିତ କରି ପାରୁନାହାନ୍ତି; ଯେଉଁଠି ସେମାନେ ସୁରକ୍ଷିତ ଥିବେ, ସେମାନଙ୍କ କଥା ଶୁଣା ଯାଉଥିବ ଏବଂ ସେମାନଙ୍କ ଗୁରୁତ୍ୱ ଥିବ।
ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ବିଜେପି ସରକାର ଆଉ କେତେ ସମୟ ଅପେକ୍ଷା କରିବ? ବିଜେପି ସରକାରର ଏପରି ଅସ୍ୱାଭାବିକ ନୀରବତା ଏବଂ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/28/xBB7YIzRNXyfQjhCh2yx.jpeg)